ଦାରିଙ୍ଗବାଡ଼ି, ୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିଆଙ୍ଗବାଲିଠାରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଗ୍ରାମବାସୀଙ୍କ ପକ୍ଷରୁ କରାଯାଇଥିବା ବିକ୍ଷୋଭ ୩ ଘଣ୍ଟା ପରେ ପ୍ରତିଶ୍ରୁତି ମିଳିବାରୁ ପ୍ରତ୍ୟାହାର ହୋଇଛି। ସୂଚନା ଅନୁଯାୟୀ, ସିଆଙ୍ଗବାଲିଠାରୁ କୁସିପାଙ୍କା ଗ୍ରାମ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବସ ସେବା ଚଳାଚଳ କରାଇବା ଦାବିରେ ଗ୍ରାମବାସୀ ଆନ୍ଦୋଳନ କରିଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ବସ୍କୁ ଅଟକାଇ ଦିଆଯାଇଥିଲା।
ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ ଏବଂ ମୁଖ୍ୟମନ୍ତ୍ରୀ ବସ ସେବା କାର୍ଯ୍ୟାଳୟର ସୁପରଭାଇଜର ସୁହାନି ସୁବୁଦ୍ଧି ଆସନ୍ତା ଏକ ମାସ ମଧ୍ୟରେ ଦାବି ପୂରଣ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆନ୍ଦୋଳନକାରୀମାନେ ବିକ୍ଷୋଭରୁ ଓହରିଥିଲେ।
ବିଡିଓ ପ୍ରୀତିରଞ୍ଜନ ରଥ ବର୍ତ୍ତମାନ ଏକ ତାଲିମ କାର୍ଯ୍ୟକ୍ରମ ପାଇଁ ରାଜ୍ୟ ବାହାରେ ଥିବାରୁ ସେ ଫେରିବା ପରେ ଏନେଇ ଆବଶ୍ୟକ ପଦକ୍ଷେପ ନିଆଯାଇ ଲୋକଙ୍କ ଦାବି କାର୍ଯ୍ୟକାରୀ କରାଯିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ତେବେ ଏକ ମାସ ମଧ୍ୟରେ ଦାବି ପୂରଣ ନହେଲେ ପୁଣିଥରେ ଆନ୍ଦୋଳନକୁ ଜୋରଦାର କରାଯିବ ଏବଂ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।