ଡିଭାଇଡରରେ ପିଟି ହୋଇ ଓଲଟିଲା ମିନିବସ, ଜଣେ ଯାତ୍ରୀଙ୍କ ଜୀବନ ଗଲା; ୬ ଗୁରୁତର

ରାଉରକେଲା ଅଫିସ,୨୭ା୧୨: ୧୪୩ ନଂ ଜାତୀୟ ରାଜପଥର ବାଲୁଘାଟ ଏନ୍‌ଏଚ୍‌ ଡାକ ବଙ୍ଗଳା ନିକଟରେ ଏକ ମିନି ବସ୍‌ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ବସ୍‌ରେ ଥିବା ଅନ୍ୟ ୬ ଯାତ୍ରୀ ଗୁରୁତର ହୋଇଛନ୍ତି। ବସ୍‌ଟି ଲାଠିକଟାରୁ ରାଉରକେଲା ଆସୁଥିଲା। ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରଘୁନାଥପାଲି ପୋଲିସ ଦୁର୍ଘଟଣାଗ୍ରସ୍ତ ବସ୍‌ଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ସୂଚନାନୁଯାୟୀ, ଆଜି ସକାଳେ ଘରୋଇ ମିନି ବସ୍‌ (ମା ତାରିଣୀ) ୧୫ଜଣ ଯାତ୍ରୀଙ୍କୁ ନେଇ ଲାଠିକଟାରୁ ରାଉରକେଲା ଆସୁଥିଲା। ଅଧ ଘଣ୍ଟା ପରେ ଅର୍ଥାତ ୮ଟାରେ ବାଲୁଘାଟ ଏନ୍‌ଏଚ୍‌ ଡାକବଙ୍ଗଳା ସମ୍ମୁଖରେ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ରାସ୍ତାରେ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକେ ବସ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ଓ ଆହତ ଯାତ୍ରୀଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଇଥିଲେ।