ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ ବିପଦ ମଧ୍ୟ ସବୁବେଳେ ଯୋଡ଼ିହୋଇ ରହୁଛି। ୧୯ ଏପ୍ରିଲରେ ବିରୁଧନଗର ଜିଲାର କଟ୍ଟନାରପଟ୍ଟି ଗ୍ରାମରେ ଥିବା ‘ବନଜ’ ବାଣ କାରଖାନାରେ ବିସ୍ଫୋରଣ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେତେଜଣ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବଢ଼ିବ ବୋଲି କୁହାଯାଉଛି। ଚଳିତ ମାସ ୧୩ ତାରିଖରେ ଏହି ବିରୁଧନଗର ଜିଲାର ମୁଦାଥୁପଟ୍ଟିଠାରେ ଥିବା ଏକ୍ସେଲ ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା। ସେହିପରି ୨୦୨୪ ଫେବୃଆରୀ ୧୭ରେ ସେଠାରେ ଥିବା ଅନ୍ୟ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୧୦ ଜଣଙ୍କ ପ୍ରାଣ ଯାଇଥିଲା। ତାଲିକା ପ୍ରସ୍ତୁତ କଲେ ଲମ୍ବି ଚାଲିବ। ଓଡ଼ିଶାରେ ମଧ୍ୟ ବାଣ ବିସ୍ଫୋରଣଜନିତ ମୃତ୍ୟୁ ଘଟଣା ସମୟ ବ୍ୟବଧାନରେ ଶୁଣିବାକୁ ମିଳେ। ୩ ଏପ୍ରିଲରେ ନୟାଗଡ଼ ଜିଲା ନୂଆଗାଁ ଥାନା ଅନ୍ତର୍ଗତ କୋରଡ଼ା ଗ୍ରାମରେ ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ଘଟିଥିଲା। ଏଥିରେ ୬ ଜଣ ଗୁରୁତର ଆହତ ହୋଇଥିଲେ। ପରେ ୫ ଦିନ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରା ପାଇଁ ବାଣ ପ୍ରସ୍ତୁତ ବେଳେ ଏହି ଦୁର୍ଘଟଣା ଘଟିଥିଲା।
ବାଣ କାରଖାନାରେ ବାରମ୍ବାର ଦୁର୍ଘଟଣା ମାନବୀୟ ଅବହେଳା ଓ ପ୍ରଶାସନିକ ଉଦାସୀନତାର ପରିଣାମ ବୋଲି କହିହେବ। ଶିବକାଶୀ ଅଞ୍ଚଳ ଭାରତର ବାଣ ଉତ୍ପାଦନର ରାଜଧାନୀ ଭାବେ ପରିଚିତି ହାସଲ କରିଛି। ଏଠାରେ ଅନେକ ଲକ୍ଷ ଲୋକ ନିଯୁକ୍ତି ପାଇଛନ୍ତି। ନିଶ୍ଚିତ ଭାବେ ଅର୍ଥନୈତିକ ଦୃଷ୍ଟିକୋଣରୁ ଏହି ଅଞ୍ଚଳ ଗୁରୁତ୍ୱ ବହନ କରୁଛି। କିନ୍ତୁ ସମସ୍ୟା ହେଲା ଏହି ଅଞ୍ଚଳରେ ଅନେକ ବାଣ କାରଖାନା ବିନା ଲାଇସେନ୍ସରେ ଚାଲିଥାଏ। ବିଶେଷଜ୍ଞଙ୍କ ମତରେ ବହୁ ବାଣ କାରଖାନା ପେଟ୍ରୋଲିୟମ୍ ଆଣ୍ଡ୍ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେଶନ (ପିଇଏସ୍ଓ) ଓ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସୁରକ୍ଷା ନିୟମକୁ ଅନୁପାଳନ କରି ନ ଥାଆନ୍ତି। ବାଣ ପ୍ରସ୍ତୁତ ଲାଗି ପୋଟାସିୟମ୍ ନାଇଟ୍ରେଟ୍ ଓ ସଲ୍ଫର ଭଳି ରାସାୟନିକ ପଦାର୍ଥକୁ ସୁରକ୍ଷିତ ଢଙ୍ଗରେ ବ୍ୟବହାର କରୁ ନ ଥିବାରୁ ତାହା ବିସ୍ଫୋରଣର କାରଣ ପାଲଟିଥାଏ। ଏଥିସହିତ ଠିକ୍ ଭାବେ ବାଣକୁ ସାଇତି ନ ରଖିବା, ଘର୍ଷଣ ଓ ଅତ୍ୟଧିକ ଗରମ ଯୋଗୁ ଦୁର୍ଘଟଣା ମଧ୍ୟ ଘଟୁଥିବା ଜଣାପଡ଼ୁଛି। ନିୟମ ଉଲ୍ଲଂଘନ ଯୋଗୁ ଉତ୍ପାଦନ ଓ ଭଣ୍ଡାରଣସ୍ଥଳୀରେ ରକ୍ଷଣାବେକ୍ଷଣରେ ଓଲମବିଲମ୍ ହେବାରେ ଲାଗୁଛି। ପର୍ବପର୍ବାଣି ସହ ବିବାହବ୍ରତ ଓ ଉତ୍ସବାନୁଷ୍ଠାନରେ ବାଣ ବା ଆତସବାଜିର ଚାହିଦା ପ୍ରବଳ ରହୁଥିବାରୁ କାରଖାନା କର୍ତ୍ତୃପକ୍ଷ ଅତ୍ୟଧିକ ଲାଭକୁ ଦୃଷ୍ଟିରେ ରଖି ପ୍ରଚୁର ଉତ୍ପାଦନ କରିବାରେ ଲାଗିପଡ଼ୁଛନ୍ତି। ଚାହିଦା ଦେଖି ଅନେକେ ବେଆଇନ ଭାବେ କାରଖାନା ଚଳାଇ ବାଣ ତିଆରି କରୁଥିବା ବିଷୟ ପଦାକୁ ଆସିଥାଏ। ଫଳରେ ନିରାପତ୍ତା ବା ସୁରକ୍ଷା ଦିଗକୁ ଅଧିକାଂଶ ଦେଖିବାକୁ ତର ପାଇ ନ ଥାଆନ୍ତି। କାରଖାନାଗୁଡ଼ିକ ସୁରକ୍ଷା ନିୟମ ଅନୁପାଳନ କରୁଛନ୍ତି କି ନାହିଁ, ତାହାର ତଦାରଖ ପ୍ରଶାସନ କଠୋର ଭାବେ କରୁ ନ ଥିବାରୁ ଦୁର୍ଘଟଣା ଘଟିବା ସ୍ବାଭାବିକ। କୁହାଯାଇପାରେ ଯେ, ଭାରତରେ କେବଳ ବାଣ କାରଖାନା ନୁହେଁ, ପ୍ରାୟତଃ ସବୁ କ୍ଷେତ୍ରରେ ସୁରକ୍ଷାରେ ଢିଲା ଥିବା ଲକ୍ଷ୍ୟ କରାଯାଏ।
ବାଣ କାରଖାନାରେ ବିସ୍ଫୋରଣକୁ କେବଳ ଶିଳ୍ପ ସମସ୍ୟା ଭାବେ ଦେଖାଯିବା କଥା ନୁହେଁ। ସରକାରୀ ସ୍ତରରେ ଏଭଳି ଦୁର୍ଘଟଣାକୁ ରୋକିବା ଲାଗି ପଦକ୍ଷେପ ନିଆଯାଇପାରେ, ଯେପରି ସମସ୍ତ କାରଖାନାକୁ ନିୟମିତ ଓ ଅଚାନକ ତଦାରଖ କରାଯାଇ ଲାଇସେନ୍ସ ଯାଞ୍ଚକୁ କଡ଼ାକଡ଼ି କରାଯାଇପାରନ୍ତା। ଶ୍ରମିକଙ୍କ ପାଇଁ ତାଲିମ ବାଧ୍ୟତାମୂଳକ କରାଯିବା ସହ ସେମାନଙ୍କ ନିରାପତ୍ତା ଲାଗି ଉନ୍ନତ ସୁରକ୍ଷା ଉପକରଣ ଯୋଗାଇବାର ବ୍ୟବସ୍ଥା ହେବା ଦରକାର। ମାତ୍ର ଦୁର୍ଘଟଣା ଘଟିବା ପରେ ତଦନ୍ତ ହେବା, କାଗଜପତ୍ର ଯାଞ୍ଚ କରାଯିବା ଓ ସର୍ବଉପରେ ମୃତକଙ୍କ ପରିବାରକୁ କିଛି କ୍ଷତିପୂରଣ ଦେଇ ପ୍ରଶାସନ କାମ ସାରିଦେଲେ ଏଭଳି ଘଟଣାର ପୁନରାବୃତ୍ତି ହେବା ନିଶ୍ଚିତ। ଏବର ସମୟ ହେଉଛି ସମସ୍ୟାର ମୂଳକୁ ଯାଇ ତ୍ରୁଟି ଖୋଜି ଅତିଶୀଘ୍ର ନିରାକରଣ ବାହାର କରିବାର।