ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍ବରେ ଏକ କାର୍ ପୋଡିଯାଇ ପଡି ରହିଥିବା ମଙ୍ଗଳବାର ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ଲୋକେ ଆରଡି ଫାଣ୍ଡିକୁ ଜଣାଇଥିଲେ । ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ
ଆରମ୍ଭ କରିଛନ୍ତି।
ମଙ୍ଗଳବାର ବିଳମ୍ବିତ ରାତିରେ କାର୍ଟି ପୋଡିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ଅନ୍ୟପକ୍ଷେ କାର୍କୁ ନିଆଁ ଲଗାଇ ପୋଡି ଦିଆଯାଇଥିବା ସନ୍ଦେହ କରାଯାଉଛି। ଏପରିକି କାରର ନମ୍ବର ପ୍ଲେଟ ନ ଥିବା ବେଳେ କିଏ ଏବଂ କାହିଁକି କାର୍କୁ ପୋଡା ଯାଇଛି ତାହାର କୌରଣ ସଠିକ୍ ତଥ୍ୟ ମିଳିପାରି ନାହିଁ। ଏନେଇ ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକଙ୍କୁ ପଚାରିବାରୁ ଘଟଣା ସଂକ୍ରାନ୍ତରେ କୌଣସି ଏତାଲା ଦିଆଯାଇ ନ ଥିବା କହିଛନ୍ତି।
କୟାଁଗୋଲାରୁ ମଠଡିହ ମଧ୍ୟରେ ବିଭିନ୍ନ ସମୟରେ ଚୋରି, ଡକାୟତି ଏବଂ ଏବେ କାର୍ ପୋଡି ଘଟଣା ଅଞ୍ଚଳରେ ଆଇନ ଶୃଙ୍ଖଳା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ସମ୍ପୃକ୍ତ ରାସ୍ତାରେ ପୋଲିସ ବିଳମ୍ବିତ ରାତିଯାଏ ପାଟ୍ରୋଲିଂ କରିବାକୁ ସ୍ଥାନୀୟ ଓଳଗ, ସୁନ୍ଦରପୁର, ଆରଡି ଓ ନାନ୍ଦପୁର ପଞ୍ଚାୟତ ଲୋକେ ଦାବି କରିଛନ୍ତି।

