ସ୍ବର୍ଗଦ୍ୱାରରେ ଦାହ କଟକଣା ମାସେ ବଢ଼ିଲା

ପୁରୀ ଅଫିସ,୨ା୧୦: ମହାମାରୀ କରୋନା ସଂକ୍ରମଣକୁ ନଜରରେ ରଖି ସ୍ବର୍ଗଦ୍ୱାରରେ ବାହାର ଜିଲା ଏବଂ ଅନ୍ୟ ରାଜ୍ୟର ମୃତଦେହ ଦାହ ଓ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ କଟକଣା ଲଗାଯାଇଛି। ଜିଲା ପ୍ରଶାସନ ଏହି କଟକଣାକୁ ପୁଣି ମାସେ ବଢାଇ ଦେଇଛନ୍ତି। ଅର୍ଥାତ୍‌ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବାହାର ଜିଲା ଏବଂ ଅନ୍ୟ ରାଜ୍ୟର ମୃତଦେହ ସ୍ବର୍ଗଦ୍ୱାରରେ ଦାହ ହୋଇପାରିବ ନାହିିଁ କି ମହୋଦଧିରେ ଅସ୍ଥି ବିସର୍ଜନ କରାଯାଇପାରିବ ନାହିଁ ବୋଲି ଗୁରୁବାର ନିର୍ଦ୍ଦେଶନାମା ଜାରି ହୋଇଛି। ମାତ୍ର କୋଭିଡ୍‌ ନିୟମ ଅନୁପାଳନ କରି ଜିଲାବାସୀ ସ୍ବର୍ଗଦ୍ୱାରରେ ସେମାନଙ୍କ ସମ୍ପର୍କୀୟଙ୍କ ମୃତଦେହ ଦାହ ସହ ସମୁଦ୍ରରେ ଅସ୍ଥି ବିସର୍ଜନ କରିପାରିବେ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ଏତଦ୍‌ବ୍ୟତୀତ ଜିଲା ମଧ୍ୟକୁ ଆସୁଥିବା ବାହାର ଜିଲା ଓ ରାଜ୍ୟର ଶବାଧାର ଉପରେ ନଜର ରଖିବାକୁ ସମ୍ପୃକ୍ତ ତହସିଲଦାର ଏବଂ ଆଇଆଇସିମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ସ୍ବର୍ଗଦ୍ୱାର ପ୍ରତିଟି ହିନ୍ଦୁଙ୍କ ଭାବାବେଗ ସହ ଜଡ଼ିତ। ବିଶ୍ୱାସ ରହିଛି ଏଠାରେ ମୃତଦେହ ଦାହ କଲେ ଆତ୍ମା ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହି ବିଶ୍ୱାସକୁ ପାଥେୟ କରି ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ମୃତଦେହ ଦାହ ପାଇଁ ଆସିଥାଏ। ଏଥିସହ ମହୋଦଧିରେ ଅସ୍ଥି ବିସର୍ଜନ କରିବାର ପରମ୍ପରା ବି ରହିଛି। ମାତ୍ର କରୋନା ସ୍ଥିତିକୁ ଦେଖି ଗତ ଜୁଲାଇ ୭ରୁ ଜିଲା ପ୍ରଶାସନ ସ୍ବର୍ଗଦ୍ୱାରରେ ମୃତଦେହ ଦାହ ଓ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ କଟକଣା ଲଗାଇଥିଲା। ଏହି କଟକଣାକୁ ପୁଣି ବୃଦ୍ଧି କରାଯାଇଛି।