ପୋତିହେଲାଣି ଆଲକଟା ବନ୍ଧ, ପୁନରୁଦ୍ଧାର ଦାବି

ଛତ୍ରପୁର, ୧୮।୧୦ (ଦିଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଏକ ପୁରୁଣା ସହର ହୋଇଥିବା ବେଳେ ଜିଲା ମୁଖ୍ୟାଳୟ ଏଠାରେ ରହିଛି। କିନ୍ତୁ ସହରର କଳେବର ବଢ଼ିଥିବା ବେଳେ ଏଠାରେ ଥିବା ବନ୍ଧଗୁଡିକର ବିକାଶ ହୋଇପାରିନାହିଁ। ଛତ୍ରପୁର ଏନଏସି ଅଧୀନରେ ଥିବା ଆଲକଟା ବନ୍ଧ ବିକାଶର ବାସ୍ତବତାକୁ ପଦାକୁ ଆଣିଛି। ବହୁ ବର୍ଷ ହେଲା ଏହି ବନ୍ଧ ପୋତି ହୋଇ ପଡିଥିଲେ ବି ଏନଏସି ପକ୍ଷରୁ ଏହାକୁ ପଦକ୍ଷେପ ନିଆଯାଇ ନାହିଁ । ଫଳରେ ପୂତି ଗନ୍ଧମୟ ପରିବେଶ ସୃଷ୍ଟି ହେବାରୁ ନିକଟରେ ଥିବା ସାହେବ ଜେନାପଲ୍ଲୀ, ଶାନ୍ତିନଗର ଓ ବାସନାପଲ୍ଲୀ ଅଞ୍ଚଳର ଲୋକେ ଏହାର ପୁନରୁଦ୍ଧାର ପାଇଁ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, ଛତ୍ରପୁର ନିକଟ ଅଭିମନ୍ୟୁପୁର ରାଜସ୍ବ ଗ୍ରାମର ୨ ଏକର ୪୦୦ ଡେସିମିଲି ସ୍ଥାନରେ ଏହି ପୁରାତନ ପୋଖରୀ (ବନ୍ଧ) ରହିଛି। ୧୪ ନଂ. ୱାର୍ଡରେ ଥିବା ଏହି ପୋଖରୀ ଲୋକଙ୍କ ସ୍ନାନ ଶୌଚର ମାଧ୍ୟମ ପାଲଟିଥିଲା। ଏଥିସହିତ ଜଳସେଚନ ପାଇଁ ବର୍ଷାଜଳକୁ ଆଲକଟ କରି ରଖାଯିବାରୁ ଏହି ପୋଖରୀ କାଳକ୍ରମେ ଆଲକଟା ବନ୍ଧ ନାମରେ ପରିଚିତ ହେଲା । ହେଲେ ସହରର କଳେବର ବୃଦ୍ଧି ପାଇବା ପରେ ଉକ୍ତ ପୋଖରୀ ପାର୍ଶ୍ୱରେ ସହରର ଆବର୍ଜନା ଜଳ ନିଷ୍କାସନ ପାଇଁ ଏକ ନାଳ ନିର୍ମାଣ କରାଗଲା, ଯାହାର ନାମ ରହିଲା ରଜାନାଳ। ଦାସିରୀ ଜଗନ୍ନାଥ ମନ୍ଦିର ଦେଇ ଯାଇଥିବା ଏହି ନାଳ ଦ୍ୱାରା ପୁତି ଗୋପାଳପୁର, ଅପର ବସଷ୍ଟାଣ୍ଡ, ସହରର ବିଭିନ୍ନ ଗଳିକନ୍ଦିର ଆବର୍ଜନା ଜଳ ନିଷ୍କାସିତ ହୋଇ ଚିକଲଖଣ୍ଡି ନିକଟରେ ଜମିକୁ ଯାଇଥାଏ। ତେବେ ବନ୍ୟା ସମୟରେ ଏହି ନାଳର ଉଦବୃତ୍ତ ଜଳ ଏହି ପୋଖରୀକୁ ଯାଇଥାଏ। ଦୀର୍ଘଦିନ ହେଲା ଏପରି ଲାଗି ରହିବାରୁ ଧୀରେ ଧୀରେ ଏହି ପୋଖରୀ ଆବର୍ଜନାରେ ପୋତି ହୋଇପଡିଛି। ଉକ୍ତ ଜଳ ବ୍ୟବହାର ଉପଯୋଗୀ ନ ହେବା ଓ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ଏହି ବନ୍ଧକୁ ହାଣି ପାଣି ନିଷ୍କାସିତ କରିଥିଲେ। ଏବେ ଏହି ପୋଖରୀ ଘାସ, ଲଟାବୁଦାରେ ପରିପୂର୍ଣ୍ଣ ହୋଇଥିବାରୁ ଦୁର୍ଗନ୍ଧ ପରିବେଶ ସୃଷ୍ଟି ହେଉଛି। ଏ ସଂକ୍ରାନ୍ତରେ ଅନେକ ଦାବି ହେବା ପରେ ବି ଏନଏସି ଆଖିବୁଜିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ତେଣୁ ଏହି ପୋଖରୀର ପୁନରୁଦ୍ଧାର ଜରୁରୀ ବୋଲି ସ୍ଥାନୀୟ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।