Categories: ଖେଳ

ବ୍ୟାକ୍‌ଫୁଟ୍‌ରେ ଇଂଲଣ୍ଡ: ଖାତା ଖୋଲିବାକୁ ଦେଉନାହାନ୍ତି ବୁମ୍‌ରା-ଶାମି

ନୂଆଦିଲ୍ଲୀ,୧୨।୭: ଇଂଲଣ୍ଡ ବିପକ୍ଷରେ ମଙ୍ଗଳବାର ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ବୋଲର୍‌ଙ୍କ ଜବରଦସ୍ତ ବୋଲିଂ ଦେଖିବାକୁ ମିଳିଛି। ଦ୍ରୁତ ବୋଲର ମହମ୍ମଦ ଶାମି ଏବଂ ଜସପ୍ରିତ ବୁମ୍‌ରା ପ୍ରାରମ୍ଭରୁ ଇଂଲଣ୍ଡ ଖେଳାଳିମାନଙ୍କୁ ପ୍ୟାଭିଲିୟନ ଫେରାଇଛନ୍ତି। ପରିଣାମସ୍ବରୂପ ଦଳ ୭ ରନ୍‌ ସ୍କୋରରେ ୩ ଉଇକେଟ ହରାଇଥିଲା। ଏବେ ଦଳର ସ୍କୋର ୧୪.୩ ଓଭରରେ ୫୯ ରନ୍‌ ଥିବା ବେଳେ ୭ ଉଇକେଟ ଯାଇସାରିଛି।

ତେବେ ଦ୍ୱିତୀୟ ଓଭରରେ ଇଂଲଣ୍ଡକୁ ପ୍ରଥମ ଝଟ୍‌କା ଲାଗିଥିଲା। ବୁମ୍‌ରାଙ୍କ ବଲ୍‌ରେ ଖେଳିବାକୁ ଯାଇ ଜେସନ ରୟ ଉଇକେଟ ହରାଇଥିଲେ। ଏହା ପରେ ଜୋ ରୁଟ୍‌ ଏବଂ ବେନ ଷ୍ଟୋକ୍ସ ମଧ୍ୟ ଖାତା ଖୋଲି ପାରି ନ ଥିଲେ। ସେହିଭଳି ଜନି ବେୟରଷ୍ଟୋ ଏବଂ ଜୋସ୍‌ ବଟଲର୍‌ ପାଳିକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ମାତ୍ର ୧୦ ରନ୍‌ ଦଳର ସ୍କୋରରେ ଯୋଡ଼ିବା ପରେ ଚତୁର୍ଥ ଉଇକେଟ ଯାଇଥିଲା। ଷ୍ଟୋକ୍ସଙ୍କ ପରେ ବଟଲର୍‌, ଲିଆମ ଲିଭିଂଷ୍ଟୋନ୍‌, ମୋଇନ୍‌ ଅଲିଙ୍କ ଉଇକେଟ ମଧ୍ୟ ଖୁବ୍‌ କମ୍‌ ରନ୍‌ ସ୍କୋରରେ ଯାଇଛି। ଫଳରେ ଇଂଲଣ୍ଡ ପ୍ରଥମ ମ୍ୟାଚ୍‌ରେ ବ୍ୟାକ୍‌ଫୁଟ୍‌ରେ ଥିବା ଭଳି ମନେ ହେଉଛି।

ଅପରପକ୍ଷେ ଭାରତ ପକ୍ଷରୁ ଶାମି ୨ ଉଇକେଟ ନେଇଥିବା ବେଳେ ବୁମ୍‌ରା ୪ ଏବଂ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଉଇକେଟ ନେଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୩ ଓଭର ବୋଲିଂ କରିଥିଲେ ହେଁ ଗୋଟିଏ ବି ଉଇକେଟ ନେଇପାରିନାହାନ୍ତି।

Share