Categories: ଖେଳ

ଟି-୨୦ ବିଶ୍ୱକପ୍‌ରୁ ବାଦ୍‌ ପଡିବା ପରେ ମୁହଁ ଖୋଲିଲେ ବୁମ୍‌ରା

ନୂଆଦିଲ୍ଲୀ,୪।୧୦: ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ୨୦୨୨ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ଏକ ବଡ଼ ଝଟ୍‌କା ଲାଗିଛି। ଆହତ କାରଣରୁ ଷ୍ଟାର ଫାଷ୍ଟ ବୋଲର ଜଶପ୍ରୀତ ବୁମ୍‌ରାଙ୍କୁ ଟି-୨୦ ବିଶ୍ୱକପରୁ ବାଦ ଦିଆଯାଇଛି। ସୋମବାର ରାତିରେ ବିସିସିଆଇ ବୁମରାଙ୍କ ବିଶ୍ୱକପରୁ ବାଦ ପଡିଥିବା ନିଶ୍ଚିତ କରିଛି। ଏନେଇ ବୁମରା ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ଏହି ବଡ ଟୁର୍ନାମେଣ୍ଟରୁ ବାହାରିବା ପରେ ସେ ଏକ ସ୍ବତନ୍ତ୍ର ଟୁଇଟ କରିଛନ୍ତି।
ବୁମରା ଟୁଇଟ୍‌ କରି କହିଛନ୍ତି, ମୁଁ ଦୁଃଖିତ ଯେ ମୁଁ ଏଥର ଟି -୨୦ ବିଶ୍ୱକପ୍‌ର ଅଂଶ ହେବି ନାହିଁ, କିନ୍ତୁ ମୋର ପ୍ରିୟଜନଙ୍କ ତରଫରୁ ଶୁଭେଚ୍ଛା, ଯତ୍ନ ଏବଂ ସମର୍ଥନ ପାଇଁ କୃତଜ୍ଞ। ମୁଁ ସୁସ୍ଥ ହେବା ମାତ୍ରେ ଅଷ୍ଟ୍ରେଲିଆରେ ସେମାନଙ୍କ ଅଭିଯାନ ମାଧ୍ୟମରେ ଦଳକୁ ସମର୍ଥନ କରିବି।
ବିସିସିଆଇ ଏକ ବିବୃତ୍ତି ଜାରି କରି କହିଛି, ଜଶପ୍ରୀତ ବୁମ୍‌ରା ଆଇସିସି ଟି-୨୦ ବିଶ୍ୱକପ ପାଇଁ ଫିଟ ନାହଁାନ୍ତି। ବୁମରାଙ୍କ ଫିଟନେସ ବିଷୟରେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରାଯାଇଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରୁ ବୁମରା କେବଳ ପିଠି ଯନ୍ତ୍ରଣା ହେତୁ ବାଦ ପଡିଥିଲେ। କିନ୍ତୁ ବର୍ତ୍ତମାନ ବିସିସିଆଇ ଖୁବ ଶୀଘ୍ର ବିଶ୍ୱକପ ପାଇଁ ବୁମରାଙ୍କ ସ୍ଥାନ ଘୋଷଣା କରିବ।

Share