Categories: ଖେଳ

କେବେ ଚାହୁଁ ନ ଥିବା ରେକର୍ଡ କଲେ ବୁମ୍‌ରା

ଓଭାଲ,୩।୯: କ୍ରିକେଟ ଦୁନିଆରେ, ଅନେକ ଥର ନ ଚାହିଁ ମଧ୍ୟ ଖେଳାଳିମାନେ ଏମିତି କିଛି କାର୍ଯ୍ୟ କରନ୍ତି, ଯାହା ଫଳରେ ସେମାନେ ରେକର୍ଡ ବୁକ୍‌ରେ ସ୍ଥାନ ପାଇଥାନ୍ତି। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଜସପ୍ରୀତ ବୁମ୍‌ରାଙ୍କ ସହ ସମାନ ଘଟଣା ଘଟିଛି। ବୁମରା ମ୍ୟାଚର ପ୍ରଥମ ଦିନରେ ୧୦ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଖାତା ଖୋଲି ନ ପାରି ଆଉଟ୍‌ ହୋଇଥିଲେ। ଚଳିତ ବର୍ଷ ସପ୍ତମ ଥର ପାଇଁ ବୁମ୍‌ରା ଶୂନ ସ୍କୋରରେ ପାଭିଲିୟନକୁ ଫେରିଛନ୍ତି। ଏହା ସହ ସେ ଏକ ବର୍ଷ ମଧ୍ୟରେ ସର୍ବାଧିକ ସଂଖ୍ୟକ ‘ଶୂନ’ରେ ଆଉଟ୍‌ ହୋଇଛନ୍ତି। ଏହି କ୍ଷେତ୍ରରେ ସେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ବିଶନ ସିଂ ବେଦୀଙ୍କ ସହ ସମକକ୍ଷ ହୋଇଛନ୍ତି। ଏହା ହେଉଛି ଜସପ୍ରୀତ ବୁମ୍‌ରାଙ୍କ ୨୪ ତମ ଟେଷ୍ଟ ମ୍ୟାଚ। ଏହି ଟେଷ୍ଟରେ ବୁମରା ୧୪ ଥର ଶୂନରେ ଆଉଟ୍‌ ହୋଇଛନ୍ତି। କୌତୁହଳର ବିଷୟ ହେଉଛି, ୧୪ ଥର ମଧ୍ୟରୁ ୭ ଥର ସେ ୨୦୨୧ରେ ଶୂନରେ ଆଉଟ୍‌ ହୋଇଛନ୍ତି। ଚଳିତ ବର୍ଷ ବୁମରା ପରେ ଇଂଲଣ୍ଡର ରୋରୀ ବର୍ନସଙ୍କୁ ଅଧିକାଂଶ ଥର ଆଉଟ୍‌ କରାଯାଇଛି। ୨୦୨୧ ରେ ଓପନର୍‌ ବର୍ନସ ଏକ ଖାତା ନ ଖୋଲି ୫ ଥର ଆଉଟ ହୋଇଛନ୍ତି । ୱେଷ୍ଟଇଣ୍ଡିଜର ମର୍ଭିନ ଡିଲନ ଗୋଟିଏ ବର୍ଷରେ ସର୍ବାଧିକ ସଂଖ୍ୟକ ଶୂନରେ ଆଉଟ୍‌ ହେବାର ବିଶ୍ୱ ରେକର୍ଡ କରିଥିଲେ। ୨୦୦୨ରେ ୧୧ଟି ଟେଷ୍ଟରେ ସେ ୧୦ଥର ଆକାଉଣ୍ଟ ଖୋଲିପାରି ନଥିଲେ। ଶୂନରେ ଆଉଟ୍‌ ହେବା ତାଲିକାରେ ବୁମରା, ବିଶନ ସିଂ ବେଦୀଙ୍କ ସମେତ ୮ ଖେଳାଳି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏଥିମଧ୍ୟରେ ମିଚେଲ ଜନସନ, କର୍ଟନି ୱାଲଶ, ଜେରୋମ ଟେଲର, ନୁଆନ ପ୍ରଦୀପ, ଭେନ କ୍ଲାର୍କ ଏବଂ ଆଲାନ ହର୍ଷ୍ଟ ଅଛନ୍ତି।

Share