Categories: ଜାତୀୟ

ବୁଲେଟ ଟ୍ରେନ୍‌ ପ୍ରକଳ୍ପ: ବିଳମ୍ବ ହେବ ୫ ବର୍ଷ

ଅହମଦାବାଦ , ୫।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ଆକାଂକ୍ଷିତ ବୁଲେଟ ଟ୍ରେନ୍‌ ପ୍ରକଳ୍ପ ଏବେ ବିଳମ୍ବରେ ଶେଷ ହେବ। କରୋନା ମହାମାରୀ ସଙ୍କଟ ଯୋଗୁ ଜମି ଅଧିଗ୍ରହଣରେ ସମସ୍ୟା ଏବଂ ଟେଣ୍ଡର ରଦ୍ଦ ଯୋଗୁ ସୃଷ୍ଟି ହୋଇଥିବା ଅସୁବିଧା ଲାଗି ଏହା ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟରେ ଶେଷ ହୋଇପାରିବ ନାହିଁ ବୋଲି କୁହାଯାଉଛି। ଅହମଦାବାଦରୁ ମୁମ୍ବାଇ ମଧ୍ୟରେ ଦେଶର ପ୍ରଥମ ବୁଲେଟ ଟ୍ରେନ୍‌ ଚଳାଚଳ କରିବାର ଯୋଜନା ରହିଛି। ୨୦୨୩ରେ ଏହି ପ୍ରକଳ୍ପ ଶେଷ ହେବ ବୋଲି ସମୟ ଧାର୍ଯ୍ୟ ହୋଇଥିଲା। ତେବେ ଏବେ ଏହା ୨୦୨୮ରେ ଶେଷ ହେବାର ସମ୍ଭାବନା ରହିଛି। ସେହିପରି ଜାପାନର କେତେକ କମ୍ପାନୀ ବୁଲେଟ ଟ୍ରେନ୍‌ ପ୍ରକଳ୍ପରେ ଆଗ୍ରହ ପ୍ରକାଶ କରୁ ନ ଥିବାରୁ ମଧ୍ୟ ବାଧା ସୃଷ୍ଟି ହୋଇଛି। ଏହି ପ୍ରକଳ୍ପ ଅନ୍ତର୍ଗତ ୫୦୮ କିମି ରେଳପଥ ମଧ୍ୟରୁ ମାଟି ତଳେ ସୁଡ଼ଙ୍ଗରେ ୨୧ କିମିର ରେଳଲାଇନ ବିଛାଯିବ। ସେଥିମଧ୍ୟରେ ମୁମ୍ବାଇର ସମୁଦ୍ର ତଳେ ୭ କିମିର ସୁଡ଼ଙ୍ଗ ପଥ ବି ରହିଛି। ସୁଡ଼ଙ୍ଗରେ ରେଳଲାଇନ ବିଛାଯିବା ପାଇଁ ୬୦ ମାସ ସମୟ ଲାଗିବ ବୋଲି କୁହାଯାଉଛି। ମହାରାଷ୍ଟ୍ରରେ ଏହି ପରିଯୋଜନା ପାଇଁ ୪୩୦ ହେକ୍ଟର ଜମି ଆବଶ୍ୟକ। ସେଥିମଧ୍ୟରୁ ସରକାର ୧୦୦ ହେକ୍ଟର ଜମି ଅଧିଗ୍ରହଣ କରି ସାରିଛନ୍ତି। ସେହିପରି ଗୁଜରାଟରେ ଜମି ଅଧିଗ୍ରହଣ କାର୍ଯ୍ୟ ଜାରି ରହିଛି। ବର୍ଷ ଶେଷ ସୁଦ୍ଧା ୧୦୦୦ ହେକ୍ଟର ଜମି ଅଧିଗ୍ରହଣ ଶେଷ ହେବାର ଆଶା ରହିଛି। ବର୍ତ୍ତମାନ ସୁଦ୍ଧା ଗୁଜରାଟ ସରକାର ୩୪୫ କିମି ରେଳପଥ ପାଇଁ ଜମି ଅଧିଗ୍ରହଣ କରି ସାରିଛନ୍ତି। ଏହି ପ୍ରକଳ୍ପ ପାଇଁ ଜାପାନର ଜାପାନ ଇଣ୍ଟରନ୍ୟାଶନାଲ୍‌ କୋପରେଶନ୍‌ ଏଜେନ୍ସି(ଜାଇକା) ପକ୍ଷରୁ ମୋଟ ୧ ଲକ୍ଷ କୋଟି ବ୍ୟୟ ଅଟକଳର ୮୦ ପ୍ରତିଶତ ଟଙ୍କାର ଋଣ ୦.୧ ପ୍ରତିଶତ ସୁଧହାରରେ ଯୋଗାଇ ଦେଇଛି।

Share