ଏଠାରେ ବୁଲୁଛି ଆତ୍ମା, ପୂଜା ପାଉଛି ବୁଲେଟ

ଚୋଟିଲା,୨୨।୧୨: ବୁଲେଟ ଗାଡିକୁ ବହୁ ଲୋକ ନିଜ ପସନ୍ଦର ଗାଡି ବୋଲି କହିଥାନ୍ତି। ତେବେ ଏହି ଗାଡି ଶୋ ରୁମରେ ପୂଜା ପାଇବା ବଦଳରେ ମନ୍ଦିରରେ ପୂଜା ହେଉଥିବା ଶୁଣି ଆପଣ ତାଜୁବ ହୋଇଯାଉଥିବେ। ରାଜସ୍ଥାନରେ ଏକ ଏପରି ମନ୍ଦିର ଅଛି, ଯେଉଁଠି ବୁଲେଟ ପୂଜା ପାଉଛନ୍ତି। ମନ୍ଦିରର ନାଁ ରହିଛି ବୁଲେଟ ବାବା ମନ୍ଦିର। ଏଠାରେ ବୁଲେଟ ବାବା ପୂଜା ପାଉଛନ୍ତି। ବୁଲେଟ ବାବା ମନ୍ଦିର ସହ ମନ୍ଦିରଟି ଓମ ବନ୍ନା ତୀର୍ଥ ନାମରେ ମଧ୍ୟ ପରିଚିତ। ରାଜସ୍ଥାନର ଯୋଧପୁର ଠାରୁ ୫୦କିମି ଦୂରରେ ଏହି ମନ୍ଦିର ରହିଛି। ଯୋଧପୁର-ପାଲି ହାଇଓ୍ବେ ନିକଟରେ ଥିବା ଚୋଟିଲା ନାମକ ଏକ ଗାଁରେ ଏହି ବୁଲେଟ ବାବା ଓମ ବନ୍ନା ବିରାଜିତ ହୋଇଛନ୍ତି।

ପ୍ରାୟ ୩୦ ବର୍ଷ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଠାକୁର ଯୋଗ ସିଂ ରାଠୋରଙ୍କ ପୁଅ ଓମ ସିଂ ରାଠୋରଙ୍କ ନାମରେ ଚୋଟିଲା ଗ୍ରାମରେ ଏହି ମନ୍ଦିର ନିର୍ମାଣ କରାଯାଇଛି।
ଘଟଣା ହେଉଛି, ଓମ ସିଂ ନାମକ ଯୁବକଙ୍କ ଏହି ସ୍ଥାନରେ ଦୁର୍ଘଟଣା ହୋଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ପୋଲିସ ପହଞ୍ଚି ଘଟଣାସ୍ଥଳରୁ ଓମଙ୍କ ବୁଲେଟ ଜବତ କରିଥିଲା। ପରେ ବୁଲେଟଟିକୁ ପୋଲିସ ଥାନାରେ ଆଣି ରଖିଥିଲା। କିନ୍ତୁ ରାତିରେ ହଠାତ୍‌ ବାଇକଟି ଥାନାରୁ ଗାଏବ ହୋଇଯାଇଥିଲା। ପୋଲିସ ଖୋଜିବା ପରେ ଘଟଣାସ୍ଥଳରେ ବାଇକ ପଡିଥିବା ଦେଖିବାକୁ ପାଇଥିଲା। କେବଳ ଥରେ ନୁହେଁ ପ୍ରତିଦିନ ରାତିରେ ଏହି ଘଟଣା ବାରବାର ଘଟିବାରୁ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

ଶେଷରେ ପୋଲିସ ବାଇକକୁ ପରିବାର ସଦସ୍ୟଙ୍କୁ ଫେରାଇ ଦେଇଥିଲା। ପରେ ଓମଙ୍କ ବାପା ଓମଙ୍କ ମୃତ୍ୟୁସ୍ଥଳୀରେ ଗୋଟିଏ ମନ୍ଦିର ନିର୍ମାଣ କରିଥିଲେ ଯାହା ବୁଲେଟ ବାବା ମନ୍ଦିର ଭାବେ ପରିଚିତ। ବିଶ୍ୱାସ ଅଛି କି, ଓମ ବନ୍ନାଙ୍କର ଆତ୍ମା ସେହି ମନ୍ଦିରେ ରହୁଛି। ସେହି ମନ୍ଦିର ଦେଇ ଯାତ୍ରୀ ଅତିକ୍ରମ କଲେ ସେଠାରେ ଅଟକି ପୂଜା ନିଶ୍ଚୟ କରିଥାନ୍ତି। ଓମ୍‌ ବାନ୍ନା ବା ବୁଲେଟ ବାବା ସେମାନଙ୍କୁ ଦୁର୍ଘଟଣାରୁ ରକ୍ଷା କରିଥାନ୍ତି ବୋଲି ସ୍ଥାନୀୟ ଲୋକ ବିଶ୍ୱାସ କରନ୍ତି।

Share