ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା। ଏଥିରେ ଭାରତ ସମେତ ୧୬୪ ଦେଶ ଏହା ସପକ୍ଷରେ ଭୋଟ ଦେଇଥିବା ବେଳେ କେବଳ ଆମେରିକା ବିଶ୍ୱ ମାନଚିତ୍ର ପରିବର୍ତ୍ତନ ବିରୋଧରେ ଭୋଟ ଦେଇଥିଲା। ୟୁକ୍ରେନ ସହିତ ଇସ୍ତୋନିଆ, ଜର୍ଜିଆ, ଲୁଥୁଏନିଆ, ମାଲ୍ଡୋଭା ଓ ସର୍ବିୟା ଭୋଟଦାନରୁ ବିରତ ରହିଥିଲେ।
ଫ୍ଲେମିଶ୍ (ବେଲଜିୟମ ଉତ୍ତରାଞ୍ଚଳର ଡଚ୍ଭାଷୀ) ଭୂଗୋଳବିତ୍ ତଥା ମାନଚିତ୍ରକାର ଭାବେ ଜଣାଶୁଣା ଜେରାର୍ଡସ ମର୍କେଟର ୧୫୬୯ରେ ବିଶ୍ୱ ମାନଚିତ୍ର ପ୍ରସ୍ତୁତ କରିଥିଲେ। ବସ୍ତୁତଃ ସେ ସ୍ଥିର ଦିଗ ବିଶିଷ୍ଟ ସାମୁଦ୍ରିକ ଯାତ୍ରାର ମାର୍ଗଗୁଡ଼ିକୁ ସରଳରେଖା ଭାବରେ ଦର୍ଶାଇ ଏକ ଅଭିନବ ଉଦ୍ଭାବନ କରିଥିଲେ, ଯାହା ଆଜି ମଧ୍ୟ ନୌଚାଳନା ଚାର୍ଟଗୁଡ଼ିକରେ ବ୍ୟବହୃତ ହେଉଛି। ହେଲେ ତାହାକୁ ପରବର୍ତ୍ତୀ ସମୟରେ ଭୂଭାଗ ମାପରେ ସନ୍ନିବେଶିତ କରାଇ ଦିଆଯାଇଥିଲା। ମର୍କେଟର ମ୍ୟାପ୍ ଭଳି ଅନ୍ୟ କେତୋଟି ପଦ୍ଧତି ଆଜିମଥ, କୋନିକ୍ ମାନଚିତ୍ର ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ତନ୍ମଧ୍ୟରୁ ମର୍କେଟର ଅଧିକ ପ୍ରଚଳିତ। ୪୫୦ରୁ ଅଧିକ ବର୍ଷ ତଳେ ପ୍ରସ୍ତୁତ ହୋଇଥିବା ମର୍କେଟର ପ୍ରକ୍ଷେପଣ ବା ମର୍କେଟର ପ୍ରୋଜେକ୍ଶନ ବିଶ୍ୱସ୍ତରୀୟ ମାନକ ଭାବରେ ଗ୍ରହଣ କରାଯାଇଆସୁଛି। କିନ୍ତୁ ଏହା ଭୂଭାଗଗୁଡ଼ିକର ଆପେକ୍ଷିକ ଆକାରକୁ ଗୁରୁତର ଭାବେ ବିକୃତ ବା ଛୋଟ/ବଡ଼ କରିଦେଇଥାଏ ବୋଲି ଅଭିଯୋଗ ହେଉଛି। ମର୍କେଟର ମାନଚିତ୍ର ବିଷୁବରେଖାଠାରୁ ଦୂରରେ ଥିବା ଅଞ୍ଚଳଗୁଡ଼ିକୁ ବଡ଼ କରି ଦର୍ଶାଉଥିବା ବେଳେ ଏହାର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଛୋଟ କରି ଦେଖାଇଥାଏ। ଫଳରେ ଗ୍ରୀନ୍ଲାଣ୍ଡ୍ ଏବଂ ଆଫ୍ରିକା ଏକ ମାନକ ମାନଚିତ୍ରରେ ପ୍ରାୟ ସମାନ ଆକାରର ଦେଖାଯାଆନ୍ତି। ଦେଖିବାକୁ ଗଲେ ଆଫ୍ରିକା ହେଉଛି ଗ୍ରୀନ୍ଲାଣ୍ଡ୍ଠାରୁ ୧୪ ଗୁଣ ବଡ଼। ୟୁରୋପ ଏବଂ ଉତ୍ତର ଆମେରିକା ଅତ୍ୟଧିକ ବଡ଼ ଦେଖାଯାଉଥିବା ବେଳେ ବିଷୁବରେଖା ଅଞ୍ଚଳ ଯେପରିକି ଆଫ୍ରିକା, ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ଆମେରିକା ସେମାନଙ୍କର ପ୍ରକୃତ ଆକାରଠାରୁ ଯଥେଷ୍ଟ ଛୋଟ ଦେଖାଯାଆନ୍ତି। ତେଣୁ ଆକାର ଓ ହିସାବରେ ଅସଙ୍ଗତି ଲକ୍ଷ୍ୟ କରାଯିବା ପରେ ଆଫ୍ରିକୀୟ ଦେଶଗୁଡ଼ିକ ମାନଚିତ୍ରରେ ସଂଶୋଧନ ଦାବି କରିବା ପରେ ୟୁଏନ୍ଜିଏ ପକ୍ଷରୁ ଏଭଳି ସଂକଳ୍ପ ଅଣାଯାଇଛି।
ତେବେ ପ୍ରଶ୍ନ ଉଠୁଛି ଯେ, ୟୁରୋପର ୬ଟି ଦେଶ ଯଥା-ୟୁକ୍ରେନ, ଇସ୍ତୋନିଆ, ଜର୍ଜିଆ, ଲୁଥୁଏନିଆ, ମାଲ୍ଡୋଭା ଏବଂ ସର୍ବିୟା ଭୋଟ ଦେବାରୁ କାହିଁକି ବିରତ ରହିଲେ। ଏହା ପଛରେ ମୁଖ୍ୟ କାରଣ ହେଉଛି ଏହି କେତୋଟି ଦେଶ ୟୁକ୍ରେନର ସନ୍ଦେହକୁ ସମର୍ଥନ କରି ଭୋଟ ଦେଲେ ନାହିଁ। ୟୁକ୍ରେନର କହିବା ହେଉଛି ଯେ, ନୂତନ ଭାବେ ପ୍ରସ୍ତୁତ ହେବାକୁ ଯାଉଥିବା ବିଶ୍ୱ ମାନଚିତ୍ରରେ ଯୁଦ୍ଧରେ ରୁଷିଆ ମାଡ଼ିବସିଥିବା ୟୁକ୍ରେନ ଅଞ୍ଚଳକୁ କେଉଁଭଳି ଦର୍ଶାଯିବ ତାହା ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ, ଏହିସବୁ ୟୁରୋପୀୟ ଦେଶ ମଧ୍ୟରୁ ସର୍ବିଆକୁ ଛାଡ଼ି ଅନ୍ୟଗୁଡ଼ିକ ପୂର୍ବରୁ ସୋଭିଏଟ୍ ରୁଷିଆର ଅଙ୍ଗ ଥିଲେ ଏବଂ ସେଠାକାର ଜନସାଧାରଣଙ୍କ ମନରେ ଭୟ ସୃଷ୍ଟି ହୋଇଛି ଯେ ୟୁକ୍ରେନକୁ କବଳରେ ଆଣିବା ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଅନ୍ୟ ଦେଶ ଉପରେ ଆକ୍ରମଣ କରିପାରନ୍ତି। ତେଣୁ ୟୁକ୍ରେନକୁ ସମର୍ଥନ ଜଣାଇ ଭୋଟ୍ରୁ ବିରତ ରହିଲେ। ୟୁକ୍ରେନ୍ ଏବଂ ତାକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ଆଫ୍ରିକୀୟ ରାଷ୍ଟ୍ରଙ୍କ ପ୍ରସ୍ତାବକୁ ବିରୋଧ କରି ନ ଥିଲେ। କିନ୍ତୁ ନିଜର ସ୍ଥିତି ସମ୍ପର୍କରେ ସମଗ୍ର ପୃଥିବୀକୁ ଜଣାଇ ଦେଇଥିଲେ। ଭାରତର ସେହିଭଳି ସମସ୍ୟା ଥିବା ବେଳେ କୌଣସି ସ୍ପଷ୍ଟ ନୀତି ଆପଣାଇବାରେ ସରକାର ଅସଫଳ ରହିଲେ। ସୂଚନା ଦିଆଯାଇପାରେ ଯେ, ଭାରତର କେତେକ ଅଞ୍ଚଳ ପାକିସ୍ତାନ ଏବଂ ଚାଇନା ଜବରଦଖଲ କରି ରଖିଛନ୍ତି। ସେହିସବୁ ଅଞ୍ଚଳକୁ ଭାରତ ସହ ମାନଚିତ୍ରରେ ଦର୍ଶାଯାଉ ବୋଲି ଭୋଟ୍ର ଦୁଇଦିନ ପରେ ଭାରତ ସରକାରଙ୍କ ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ ଜାତୀୟ ଗଣମାଧ୍ୟମକୁ କହିଛନ୍ତି। କିନ୍ତୁ ଅନ୍ତର୍ଜାତୀୟ ଗଣମାଧ୍ୟମ ସାମ୍ନାରେ ପାଟି ଫିଟାଇବାକୁ ଭୟ କଲେ ଏବଂ ସମର୍ଥନରେ ଭୋଟ ମଧ୍ୟ ଦେଇଦେଲେ। ପରବର୍ତ୍ତୀ ସମୟରେ ମାନଚିତ୍ରରେ ଭାରତ ସରକାର ଆଞ୍ଚଳିକ ଅଖଣ୍ଡତା ବିଷୟରେ ପାଟି ଫିଟାଇବା କଷ୍ଟକର ହେବ। ଯଦି କଶ୍ମୀରରୁ ଖଣ୍ଡେ କଟିଗଲେ ଦେଶ ଭିତରେ ଅନେକ ଲୋକ କ୍ରୋଧରେ ଡେଉଁଛନ୍ତି, ତେବେ ସରକାର ଏ ସମ୍ପର୍କରେ ଜାତିସଂଘରେ ଉଲ୍ଲେଖ କରିବା ଉଚିତ ଥିଲା। ଯଦି ନ୍ୟୁୟର୍କରେ ପାଟି ଫିଟାଇବାକୁ ଭୟ କରୁଛନ୍ତି ତେବେ ୨ଦିନ ବିଳମ୍ବରେ ଦେଶ ଭିତରେ ମତ ପ୍ରକାଶ କରିବା ଅତ୍ୟନ୍ତ ହାସ୍ୟାସ୍ପଦ କଥା। ଘରେ ଷଣ୍ଢ, ପଦାରେ ଛେଳି।