କଟକ ସଦର, ୨୫ା୧୦ (ସୁଶାନ୍ତ କୁମାର ଜେନା): ୨୦୨୨ ମସିହାରେ କଟକ ଜିଲା କିଶନନଗର ତହସିଲ ଅନ୍ତର୍ଗତ ରଟିଲୋ ଗ୍ରାମରେ ମହାନଦୀ ପଠାରେ ଥିବା ଏକ ହନୁମାନ ମନ୍ଦିରକୁ ଜାତୀୟ ସବୁଜ ପ୍ରାଧିକରଣ (ଏନ୍ଜିଟି), ନୂଆଦିଲ୍ଲୀ ବେଞ୍ଚଙ୍କ ନିର୍ଦ୍ଦେଶକ୍ରମେ ଜିଲା ପ୍ରଶାସନ ଭାଙ୍ଗି ଦେଇଥିଲା। ଏହି ନିର୍ଦ୍ଦେଶକୁ ଆଧାର କରି ମହାନଦୀ ଓ କାଠଯୋଡ଼ି ନଦୀପଠାରେ ଥିବା ସରକାରୀ ଓ ବେସରକାରୀ ଜମିର କିସମ ପରିବର୍ତ୍ତନ ନ କରିବାକୁ ମଧ୍ୟ ଏନ୍ଜିଟିଙ୍କ ନିର୍ଦ୍ଦେଶ ରହିଥିବା କୁହାଯାଉଛି। ତେବେ ଏ ସମ୍ପର୍କିତ ନିର୍ଦ୍ଦେଶନାମା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ହସ୍ତଗତ ହୋଇ ନ ଥିବାରୁ ନଦୀପଠା ଜମିର କିସମ ପରିବର୍ତ୍ତନ ଚାଲିଥିବା ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, କାଠଯୋଡ଼ି ଓ ମହାନଦୀ ପଠାରେ ଥିବା ଜମିକୁ ଲୋକେ କିଣିବା ପରେ ଏହାର କିସମ ପରିବର୍ତ୍ତନ କରି ଘରବାଡ଼ିରେ ପରିଣତ କରୁଛନ୍ତି। ଏହାପରେ ନଦୀଧାର ନିକଟରେ ବଡ଼ ବଡ଼ କୋଠା ନିର୍ମାଣ ହେଉଛି। କେତେକ ବିଲ୍ଡର ନଦୀଧାର ନିକଟସ୍ଥ ଜମିକୁ କମ୍ ଦରରେ କିଣି ପରେ ପ୍ଲଟିଂ କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି।
କାଠଯୋଡ଼ି ଓ ସିଡୁଆ ନଦୀ ଅବବାହିକାରେ ଥିବା ୪୨ ମୌଜା ତ୍ରିକୋଣଭୂମି ଅଞ୍ଚଳରେ ନଦୀପଠା ଜମିର ମୂଲ୍ୟ ଡିସିମିଲ ପିଛା ୫ ଲକ୍ଷ ଟଙ୍କାରେ ପହଞ୍ଚିଥିବା କୁହାଯାଉଛି। ଏହି ଅଞ୍ଚଳ ପଞ୍ଚାୟତ ଅଧୀନରେ ଥିବାରୁ କମ୍ ପ୍ରିମିୟମ୍ରେ ତହସିଲ ପ୍ରଶାସନର ସହଯୋଗରେ ଜମିର କିସମ ପରିବର୍ତ୍ତନ କରାଯାଉଥିବା ଅଭିଯୋଗ ରହିଛି। ଏହାଦ୍ୱାରା ନଦୀପଠା ଜମିରେ ନିର୍ମାଣ କାର୍ଯ୍ୟ ବଢ଼ିବା ସହ ଚାଷଜମି ଓ ଜଳ ନିଷ୍କାସନ ପଥ ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।
ଅଭିଯୋଗ ଅନୁଯାୟୀ, ଘରବାଡ଼ି କିସମକୁ ପରିବର୍ତ୍ତିତ ହୋଇଥିବା ଜମି ପଛପଟେ ଥିବା ଚାଷଜମିକୁ ଯିବା ପାଇଁ ରାସ୍ତା ଛାଡ଼ିବା ସମ୍ପର୍କରେ ଭୂ-ସଂସ୍କାର ଆଇନରେ ବ୍ୟବସ୍ଥା ରହିଛି। ହେଲେ ରାସ୍ତା ଛଡ଼ାଯାଉ ନ ଥିବାରୁ ଅନ୍ୟ ଚାଷୀମାନେ ନିଜ ଜମିକୁ ଉଚିତ ଦରରେ ବିକ୍ରି କରିବାକୁ ଅସୁବିଧାରେ ପଡ଼ୁଥିବା ଅଭିଯୋଗ କରିଛନ୍ତି। ଏପରି ସ୍ଥିତିରେ କେତେକ ଚାଷୀ ବାଧ୍ୟ ହୋଇ କମ୍ ଦରରେ ଜମି ବିକ୍ରି କରୁଥିବା କୁହାଯାଉଛି।
ଅନ୍ୟପକ୍ଷରେ, ୪୨ ମୌଜା ଅଞ୍ଚଳର ଝରକଟା, ମଣିବାଡ଼, ଝିଙ୍କିରିଆ ଓ ବ୍ରହ୍ମପୁର ଗ୍ରାମରେ ନଦୀପଠା ଜମିକୁ କେତେକ ବିଲ୍ଡର କମ୍ ଦରରେ କିଣି ପରେ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ବିଶେଷକରି କିଶନନଗର ଓ କଟକ ସଦର ତହସିଲ ଅଞ୍ଚଳରେ ନଦୀପଠା ଜମିର କିସମ ପରିବର୍ତ୍ତନ ଚାଷୀମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।
ଏ ସମ୍ପର୍କରେ ଉପଜିଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓଙ୍କ ମତାମତ ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ମତାମତ ଦେବାକୁ ମନା କରିଥିଲେ। ନଦୀପଠା ଜମିର ସୁରକ୍ଷା ଓ କିସମ ପରିବର୍ତ୍ତନ ପ୍ରସଙ୍ଗରେ ସମ୍ପୃକ୍ତ ବିଭାଗର ସ୍ପଷ୍ଟୀକରଣ ଏବେ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି।