ବଫେଟ୍‌, ଷ୍ଟିଫେନ୍‌ଙ୍କ ସହ ଖାଇବାକୁ ୯୦ ଲକ୍ଷ ଡଲାର

ନ୍ୟୁୟର୍କ, ୧୬ା୫ : ଆମେରିକାର ବିଶିଷ୍ଟ ପୁଞ୍ଜି ନିବେଶକ ୱାରେନ ବଫେଟ୍‌ ଏବଂ ବାସ୍କେଟବଲ୍‌ ତାରକା ଷ୍ଟିଫେନ୍‌ କରିଙ୍କ ସହ ମଧ୍ୟାହ୍ନଭୋଜନ କରିବା ପାଇଁ ଜଣେ ବ୍ୟକ୍ତି ୯୦ ଲକ୍ଷ ଡଲାରରୁ ଅଧିକ (ପ୍ରାୟ ୭୫ କୋଟିରୁ ଅଧିକ ଟଙ୍କା) ଦେବାକୁ ସମ୍ମତି ପ୍ରକାଶ କରିଛନ୍ତି। ବଫେଟ ଏବଂ କରିଙ୍କ ସହ ଏହି ସ୍ବତନ୍ତ୍ର ସାକ୍ଷାତ୍‌କାର ପାଇଁ ‘ଇ-ବେ’ ମାଧ୍ୟମରେ ହୋଇଥିବା ନିଲାମ ପ୍ରକ୍ରିୟା ଗୁରୁବାର ରାତିରେ ଶେଷ ହୋଇଛି।
ଏହି ନିଲାମରୁ ମିଳିଥିବା ସମୁଦାୟ ୯,୦୦୦,୧୦୦ ଡଲାର ଅର୍ଥରାଶି ଚାରିଟି ସଂସ୍ଥାକୁ ପ୍ରଦାନ କରାଯିବ। ଏହା ସହିତ ୱାରେନ ବଫେଟ ନିଜ ପକ୍ଷରୁ ସମାନ ପରିମାଣର ଅର୍ଥ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାଦ୍ୱାରା ଦୁଇଟି ମୁଖ୍ୟ ଚାରିଟି ସଂସ୍ଥା ଉପକୃତ ହେବେ। ଏହି ଅର୍ଥ ସାନ ଫ୍ରାନ୍ସିସ୍କୋର ବାସଚ୍ୟୁତଙ୍କ ପାଇଁ କାମ କରୁଥିବା ‘ଗ୍ଲାଇଡ୍‌ ଫାଉଣ୍ଡେଶନ’ ଏବଂ ଷ୍ଟିଫେନ କରି ଓ ତାଙ୍କ ସ୍ତ୍ରୀ ଆୟେଶାଙ୍କ ଦ୍ୱାରା ପରିଚାଳିତ ‘ଇଟ୍‌.ଲର୍ନ.ପ୍ଲେ.’ ଫାଉଣ୍ଡେଶନକୁ ପ୍ରଦାନ କରାଯିବ, ଯାହାକି ଶିକ୍ଷା, ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚ ହେବ।
ଆସନ୍ତା ମାସରେ ବଫେଟ୍‌ଙ୍କ ନିଜ ସହର ନେବ୍ରାସ୍କାର ଓମାହାରେ ଏହି ବହୁ ପ୍ରତୀକ୍ଷିତ ମଧ୍ୟାହ୍ନଭୋଜନ ଅନୁଷ୍ଠିତ ହେବ। ଏହି ସୁଯୋଗ ଜିତିଥିବା ବ୍ୟକ୍ତି ନିଜର ପରିଚୟ ଗୋପନ ରଖିଛନ୍ତି। ଏହି ଅବସରରେ ଷ୍ଟିଫେନ କରି ଦମ୍ପତି କହିଛନ୍ତି ଯେ, ‘ବିଭିନ୍ନ ପିଢ଼ି ଏବଂ ଅନୁଷ୍ଠାନ ଏକାଠି ହେଲେ ସମାଜର ଅଭାବୀ ଲୋକଙ୍କ ପାଇଁ ଆମେ ଏକ ବଡ଼ ଏବଂ ସ୍ଥାୟୀ ପରିବର୍ତ୍ତନ ଆଣିପାରିବା।’
ସୂଚନାଥାଉ କି ୱାରେନ ବଫେଟ୍‌ ୨୦୦୦ ମସିହାରୁ ଏହି ନିଲାମ ପ୍ରକ୍ରିୟା ଆରମ୍ଭ କରିଥିଲେ। ୨୦୨୨ ମସିହାରେ ଜଣେ ବ୍ୟକ୍ତି ତାଙ୍କ ସହ ମଧ୍ୟାହ୍ନଭୋଜନ ପାଇଁ ୧୯ ନିୟୁତ ଡଲାର ଦେଇ ରେକର୍ଡ କରିଥିଲେ। ଚଳିତ ବର୍ଷର ଏହି କାର୍ଯ୍ୟକ୍ରମ ବଫେଟ୍‌ଙ୍କ ଜୀବନର ଏକ ସମୟରେ ଆସିଛି, କାରଣ ସେ ଗତ ଜାନୁଆରୀରେ ‘ବର୍କଶାୟର୍‌ ହାଥାୱେ’ର ସିଇଓ ପଦରୁ ଅବସର ଗ୍ରହଣ କରିଛନ୍ତି। ୯୫ ବର୍ଷୀୟ ଏହି ନିବେଶକ ଏବେ ମଧ୍ୟ କମ୍ପାନୀର ଚେୟାରମ୍ୟାନ ପଦରେ ରହିଛନ୍ତି।

Odisha’s No.1 Odia Daily

Share