Categories: ଫୁରସତ

ମଇଁଷି ମୋ ମା’ ଭଳି, ସେବା କରିବା ମୋର କର୍ତ୍ତବ୍ୟ: ୬ ଦିନ ଛୁଟି ମାଗିଲେ କନଷ୍ଟେବଳ

ଭୋପାଳ, ୨୮।୬: ମଧ୍ୟପ୍ରଦେଶ ରେଓ୍ବା ଜିଲାରେ ଜଣେ କନଷ୍ଟେବଳ ପାଳିତ ମଇଁଷିର ସେବା ପାଇଁ ୬ ଦିନର ଛୁଟି ମାଗିଛନ୍ତି। ଏନେଇ ଦେଇଥିବା ଛୁଟି ଦରଖାସ୍ତରେ ସେ ଲେଖିଛନ୍ତି ଯେ, ମଇଁଷି ମୋ ମା’ ଭଳି। ତାର କ୍ଷୀର ପିଇ ମୁଁ ପୋଲିସ ବିଭାଗରେ ଭର୍ତ୍ତି ହୋଇଛି। ଏବେ ମଇଁଷି ଏକ ଛୁଆ ଜନ୍ମ କରିଛି। ତାର ଦେଖାଶୁଣା କରିବା ଲାଗି କେହି ନ ଥିବାରୁ ଏସ୍‌ଏଏଫ୍‌-୯ ବାଟାଲିୟନ୍‌ର କନଷ୍ଟେବଳ କୁଲଦୀପ୍‌ ତୋମର ଏଭଳି ଛୁଟି ଦରଖାସ୍ତ ଲେଖିଛନ୍ତି। ଘରେ ଦୁଇ ମାସ ଧରି କୁଳଦୀପ୍‌ଙ୍କ ମା’ଙ୍କର ଦେହ ଖରାପ ରହିଛି। ତେଣୁ ସେ ମଇଁଷିର ଯତ୍ନ ନେଇ ପାରିବେ ନାହିଁ ବୋଲି ଦରଖାସ୍ତରେ ଉଲ୍ଲେଖ କରାଯାଇଛି। ଦରଖାସ୍ତଟି ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ପୋଲିସ ବିଭାଗ ପକ୍ଷରୁ କୁଲଦୀପ୍‌ଙ୍କୁ ତାଗିଦ୍‌ କରାଯାଇ ଯାଇଛି। ତେବେ ଏହି ଦରଖାସ୍ତ ସେ ଲେଖି ନ ଥିବା କହିଛନ୍ତି। ଅନ୍ୟ କେହି ତାଙ୍କ ନାମରେ ଏଭଳି କରିଥିବା କୁଳଦୀପ୍‌ ଅଭିଯୋଗ କରିଛନ୍ତି। ଏନେଇ ବାଟାଲିୟନ୍‌ କମାଣ୍ଡର ଆର୍‌.ଏସ୍‌ ମିନା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Share