ବୁଧୁରାମଙ୍କୁ ମିଳିନି ଭିନ୍ନକ୍ଷମ ଭତ୍ତା

ଲୋଇସିଂହା, ୧୧।୧୨(ଡି.ଏନ.ଏ)
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିବାହାଲ ପଞ୍ଚାୟତ ସୁଦାମପାଲିର ବୁଧୁରାମ ଭୁଏ(୪୮)। ଜନ୍ମରୁ ସେ ଭିନ୍ନକ୍ଷମ। ଡାହାଣ ଗୋଡ଼ ପୋଲିଓ ଗ୍ରସ୍ତ। ବାପା ଦୁର୍ଜନ ଭୁଏଙ୍କ ପରଲୋକ ହୋଇଯାଇଛି। ବଡଭାଇ ପରିବାର ସହ ବାହାରେ ରହୁଛନ୍ତି। ଏବେ ସେ ବିଧବା ମା’ ବୈଦେହୀ ଓ ସ୍ତ୍ରୀ ଚଞ୍ଚଳାଙ୍କ ସହ ଗଁାରେ ରହୁଛନ୍ତି। ଜମିବାଡି ବୋଲି କିଛି ନାହିଁ। ପଞ୍ଚାୟତ ପକ୍ଷରୁ ମିଳିଥିବା ରାଶନ କାର୍ଡରେ ସେ ପିଡିଏସ୍‌ ସାମଗ୍ରୀ ପାଉଛନ୍ତି। ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ତାଙ୍କୁ ଏ ଯାଏ ଭତ୍ତା ଯୋଜନାରେ ସାମିଲ କରାଯାଇନାହିଁ। ଭତ୍ତା ପାଇଁ ପଞ୍ଚାୟତରୁ ବ୍ଲକ ଅଫିସ ଯାଏ ଧାଇଁ ସେ ନୟାନ୍ତ ହେଲେଣି ସିନା କୌଣସି ସୁଫଳ ମିଳୁନାହିଁ। ତେଣୁ ଜୀବନ ଜୀବିକା ଲାଗି ମୂଲମଜୁରି କରି ପରିବାର ପରିପୋଷଣ କରୁଛନ୍ତି। ବ୍ଲକ ପରିସରରେ ହେଉଥିବା ଭିନ୍ନକ୍ଷମ ସାମର୍ଥ୍ୟ ଶିବିରକୁ ଯାଇ ସେ ଦୁଃଖ ଜଣାଉଥିଲେ ବି ଭତ୍ତା ପାଇବା ଦୂରେ ଥାଉ ଆଶା ବାଡିଟିଏ ମଧ୍ୟ ମିଳୁ ନ ଥିବା କ୍ଷୋଭର ସହ କହିିଛନ୍ତି ବୁଧୁରାମ। ଏ ସମ୍ପର୍କରେ ସରପଞ୍ଚ ଉର୍କୁଲୀ ଧରୁଆଙ୍କୁ ପଚାରିବାରୁ ବୁଧୁରାମଙ୍କ ପାଖରେ ଭିନ୍ନକ୍ଷମ ପ୍ରମାଣପତ୍ର ନାହିଁ। ତେଣୁ ଭତ୍ତା ଯୋଜନାରେ ସାମିଲ କରିବାକୁ ଆମେ ଆଗ୍ରହୀ ଥିଲେ ମଧ୍ୟ ଉପାୟଶୂନ୍ୟ ବୋଲି ସେ କହିଛନ୍ତି। ବ୍ଲକ ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି ା