ଦିଗପହଣ୍ଡି,୨୮|୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମରେ ଚୈତ୍ର ଶୁକ୍ଳ ନବମୀ ତିଥି ଗତ ମାର୍ଚ୍ଚ ୨୭ ତାରିଖରୁ ୧ ମାସ ବ୍ୟାପୀ ଚାଲିଥିବା ପ୍ରସିଦ୍ଧ ମା ‘ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ମଙ୍ଗଳବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି। ଯାତ୍ରା ର ଉଦଯାପନୀ ଦିବସ ଉପଲକ୍ଷେ ଗ୍ରାମର ଲଛିବିଲ ସାହି ଓ ଖୁଣ୍ଟିଆ ସାହିରେ ପୌରାଣିକ ମହାଭାରତ ନାଟକ ପରିବେଷଣ କରାଯାଇଥିବା ବେଳେ ଯାତ୍ରାପୀଠ ରେ ପୌରାଣିକ ରାଧାପ୍ରେମଲୀଳା ଗୀତି ନାଟକ ପରିବେଷଣ କରାଯାଇଥିଲା।ପୂର୍ବରୁ ଯାତ୍ରା ର ବିଭିନ୍ନ ଦିବସରେ ମା ‘ ବୁଢ଼ୀ ଠାକୁରାଣୀ ବାଘ,ଷଣ୍ଢ,ଦଶାବତାର, ଢେଙ୍କାନାଳ ର ସିଙ୍ଘ ବାଦ୍ୟ, ଆନ୍ଧ୍ରପ୍ରଦେଶର ଅଘୋରୀ, ବରଗଡ଼ ବରପାଲି ର ମା’ କାଳୀ ଘଣ୍ଟ ବାଦ୍ୟ କଳାଘୋଡା,ସମ୍ବଲପୁର ର ଦୁଲ୍ ଦୁଲି,ପୁରୀର ସାଇଯାତ,କୀର୍ତ୍ତନ ଓ ଘଣ୍ଟ ମୃଦଙ୍ଗ ପଟୁଆରେ ବିଭିନ୍ନ ସାହି ପରିକ୍ରମା କରିଥିଲେ। ସାମାଜିକ ନାଟକ ” ଦରିଆ କୁଳର ଦରଦୀ ବନ୍ଧୁ ” ମଞ୍ଚସ୍ଥ ହୋଇଥିବା ବେଳେ ବିଭିନ୍ନ ସାହିରେ ପୌରାଣିକ ମହାଭାରତ, ରାମାୟଣ, ଲକ୍ଷ୍ମୀ ପୁରାଣ ନାଟକ ମଞ୍ଚସ୍ଥ ହୋଇଥିଲା। ମଙ୍ଗଳବାର ନିଶାର୍ଦ୍ଧ ରେ କର୍ତ୍ତା ପଦ୍ମ ଲୋଚନ ପାଣିଗ୍ରାହୀ ଓ ତାଙ୍କ ସହଧର୍ମଣି ପ୍ରଭାସିନୀ ପାଣିଗ୍ରାହୀ ଙ୍କ ସମେତ ଯାତ୍ରା ପରିଚାଳନା କମିଟି ସଭାପତି ଟି. ବାବୁ ସୁବୁଦ୍ଧି,ସମ୍ପାଦକ ରଞ୍ଜନ ଖୁଣ୍ଟିଆ, ସହ ସମ୍ପାଦକ ଅରୁଣ ଖୁଣ୍ଟିଆ,କୋଷାଧ୍ୟକ୍ଷ ରଘୁନାଥ ବେହେରା,ଉପଦେଷ୍ଟା କୈଳାସ ସ୍ବାଇଁ , ଶଙ୍କର୍ଷଣ ସ୍ବାଇଁ,ଦିବାକର ପାଢ଼ୀ, ମୁକୁନ୍ଦ ଚନ୍ଦ୍ର ବରାଡ, କମିଟି ସଦସ୍ୟ ସିମାଞ୍ଚଳ ସେଠୀ, ଏମ. ମାଧବ ରେଡ୍ଡୀ,ନରେନ୍ଦ୍ର ରେଡ୍ଡୀ,ପରମାନନ୍ଦ ନାୟକ,ଶ୍ରୀକାନ୍ତ ଖୁଣ୍ଟିଆ, ଏମ. ଚିନ୍ମୟ ରେଡ୍ଡୀ ଓ ବହୁସଂଖ୍ୟକ ଗ୍ରାମବାସୀ ଙ୍କ ଉପସ୍ଥିତିରେ ପୂର୍ବ ପ୍ରଚଳିତ ନୀତି କାନ୍ତି ଅନୁଯାୟୀ ମା ‘ ଙ୍କୁ ମହାସ୍ନାନ କରାଯାଇଥିଲା। ମୁଖ୍ୟ ପୁରୋହିତ ପଣ୍ଡିତ ଚନ୍ଦନ ଶତପଥୀ,ପ୍ରମୋଦ ପୁରୋହିତ ମା ‘ ଙ୍କୁ ପୂଜାର୍ଚ୍ଚନା କରିବା ସହ ଭୋଗ ମଣୋହି ପରେ ହଜାର ହଜାର ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭକ୍ତ ମା ‘ ଙ୍କ ବାହୁଡ଼ା ଯାତ୍ରା ରେ ନିଜକୁ ସାମିଲ କରି ଫଗୁ ରଙ୍ଗ ଖେଳିବା ସହ ଆଗାମୀ ୨ ବର୍ଷ ପାଇଁ ମା ‘ ଙ୍କୁ ମେଲାଣି ଦେଇଥିଲେ। ଆତସ ବାଜି ରୋଷଣୀ ନୃତ୍ୟ ଗୀତ ବାଦ୍ୟ ବାଜଣା ସହକାରେ ବାଘ, ଘୋଡ଼ା, ତାଳ କୀର୍ତ୍ତନ, ଦଶ ଅବତାର ବେଶ ପଟୁଆର ରେ ମାନସିକଧାରୀ ଶ୍ରଦ୍ଧାଳୁ ମହିଳା ବୃନ୍ଦ ମସ୍ତକରେ ଘଟ ଧରି ପାଟପୁର – ରାଧାଦେଇପୁର ଗ୍ରାମ ପରିକ୍ରମା କରିବା ପରେ ମା ‘ ସାଆନ୍ତାଣୀ ବୁଢ଼ୀ ଠାକୁରାଣୀ ଝୁଲି ଝୁଲି ଅସ୍ଥାୟୀ ଯାତ୍ରାପୀଠ ରୁ ବାହାରି ସ୍ୱ – ମନ୍ଦିରରେ ପ୍ରବେଶ କରିଥିଲେ। ସେଠାରେ ସେବାୟତ(ଜାନି) ସମ୍ପ୍ରଦାୟ ପକ୍ଷରୁ ମନ୍ଦିର ପୀଠ କୁ ଶୋଧନ କରାଯାଇ ହୋମ ଯଜ୍ଞ କରାଯାଇଥିଲା। ପରେ ମା ‘ ଘଟ ତ୍ୟାଗ କରି ମନ୍ଦିର ପୀଠ କୁ ଗମନ କରିଥିଲେ।ପାଟପୁର ର ଗ୍ରାମଦେବତୀ ମା ‘ ବୁଢ଼ୀ ଠାକୁରାଣୀଙ୍କ ପୂଜା ଆରାଧନା ଯାତ୍ରା ପରମ୍ପରା ଗ୍ରାମରେ କେଉଁ ଆବାହମାନ କାଳରୁ ଚାଲି ଆସିଛି। ଗ୍ରାମଦେବତୀ ବୁଢ଼ୀ ଠାକୁରାଣୀଙ୍କୁ ଗ୍ରାମର ସୁରକ୍ଷା ଓ ଗ୍ରାମବାସୀ ଙ୍କ ମଙ୍ଗଳର ପ୍ରତୀକ ରକ୍ଷାକର୍ତ୍ତି ଭାବେ ବିଶ୍ୱାସ କରାଯାଏ। ଗ୍ରାମର ଅତି ପ୍ରିୟ ଓ ସମଗ୍ର ଗ୍ରାମବାସୀ ଙ୍କ ହିତ ସାଧନ କରୁଥିବା ଦେବୀଙ୍କ ମଧ୍ୟରେ ଗ୍ରାମଦେବତୀ ଠାକୁରାଣୀ ପ୍ରଥମ ଆରାଧ୍ୟ୍ୟ ଦେବୀ । ପ୍ରାୟ ୬ ଶହ ବର୍ଷ ପୂର୍ବେ ପାଟପୁର ଗ୍ରାମ ସ୍ଥାପନ କରାଯାଇଥିଲା ବୋଲି ଗ୍ରାମର ପୁରୁଖା ବ୍ୟକ୍ତି ବୃନ୍ଦ ମତଦିଅନ୍ତି।କଳା ସାହିତ୍ୟ ସଂସ୍କୃତି ଉଚ୍ଚ ଶିକ୍ଷା ସହ ସାମାଜିକ ଓ ଅର୍ଥନୈତିକ ବିକାଶ ର ନେତୃତ୍ୱ ନେଇଥିବା ଏହି ଗ୍ରାମରେ ବହୁ ବର୍ଷ ଧରି ଗ୍ରାମଦେବତୀ ମା, ବୁଢ଼ୀ ଠାକୁରାଣୀ ଙ୍କ ବାସନ୍ତୀକ ଯାତ୍ରା ମହୋତ୍ସବ ଖୁବ୍ ଉତ୍ସାହ ଉଦ୍ଦୀପନାର ସହ ପାଳନ ହୋଇଆସୁଥିବା ଜଣାପଡିଛି।