Categories: ଜାତୀୟ

ବଜେଟ ଅଧିବେଶନ: ୩୦ରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ, ୨୧।୧(ପି.ଟି.): ସଂସଦର ବଜେଟ ଅଧିବେଶନ ଜାନୁୟାରୀ ୨୯ରୁ ଆରମ୍ଭ ହେଉଥିବାବେଳେ ୩୦ରେ ସର୍ବଦଳୀୟ ବୈଠକ ଡକାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା କରିବେ। ସରକାର ଆଣିବାକୁ ଥିବା ବିଧେୟକଗୁଡିକର କାର୍ଯ୍ୟସୂଚୀ ଉପରେ ଉକ୍ତ ବୈଠକରେ ଆଲୋଚନା କରାଯିବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ବୁଧବାର କହିଛନ୍ତି। ଉକ୍ତ ବୈଠକ ଭର୍ଚୁଆଲି ଅନୁଷ୍ଠିତ ହେବାକୁ ଥିବାବେଳେ ସବୁ ଦଳର ଗୃହର ନେତାମାନଙ୍କୁ ଏଥିପାଇଁ ଆମନ୍ତ୍ରଣ କରାଯାଇଛି। ଗୃହକାର୍ଯ୍ୟ ଯେପରି ସୁରୁଖୁରୁରେ ଚାଲିବ ତାହା ସୁନିଶ୍ଚିତ କରିବା ପାଇଁ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ପାରମ୍ପରିକ ଭାବେ ଅନୁଷ୍ଠିତ ହୋଇଥାଏ। କିନ୍ତୁ ଏଥର ଅଧିବେଶନ ଆରମ୍ଭ ହେବାର ଦିନକ ପରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି।
ଜାନୁୟାରୀ ୨୯ରୁ ବଜେଟ ଅଧିବେଶନ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଫେବୃୟାରୀ ୧୫ରେ ଶେଷ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ। ପାର୍ଲାମେଣ୍ଟ ମଧ୍ୟ ଦୁଇ ଶିଫ୍ଟରେ ଚାଲିବ। ସକାଳେ ରାଜ୍ୟ ସଭା ଅଧିବେଶନ ଏବଂ ସନ୍ଧ୍ୟାରେ ଲୋକ ସଭା ଅଧିବେଶନ ବସିବ। ମହାମାରୀ ସମୟରେ ବଜେଟ ଅଧିବେଶନ ପାଇଁ କ’ଣ ସବୁ ସତର୍କତାମୂଳକ ପଦକ୍ଷେପ ନିଆଯିବ, ସେନେଇ ମଙ୍ଗଳବାର ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ସରକାରୀ ଅଧିକାରୀମାନଙ୍କ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା।

Share