ବଜେଟ: ମୁଣ୍ଡ ପିଛା ୬୦ ହଜାର ଟଙ୍କା

ଦାଦନ ଶ୍ରମିକ ଓ ଚାଷୀ ଆତ୍ମହତ୍ୟା ସମସ୍ୟାର ଅନ୍ତ ହେଲେ ହିଁ ଏକ ନୂଆଯୁଗ ଆସିପାରିବ- ଏ ଚିନ୍ତା ବିଜେଡି କରିବାର ବେଳ ଆସିଛି। ୨୦୨୩-୨୪ର ବଜେଟ ଏ ସୁଯୋଗ ଆଣିଦେଇଛି। ୪ କୋଟି ୨୦ ଲକ୍ଷ ଲୋକଙ୍କ ପାଇଁ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ଅଟକଳ: ମୁଣ୍ଡପିଛା ୫୯୫୨୩.୮୧ ଟଙ୍କା, ପ୍ରାୟ ୬୦ ହଜାର ଟଙ୍କା। ଯଥାଯଥ ବାଣ୍ଟିପାରିଲେ ଓଡ଼ିଶା ରାଜ୍ୟରେ ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଯିବ। ଆମ ରାଜ୍ୟର ‘ବିଲୋ ପଭର୍ଟି ଲାଇନ’ (ବିପିଏଲ୍‌) ଲୋକସଂଖ୍ୟା ୩୦% ବା ୧.୪ କୋଟି, ସେମାନଙ୍କ ଉପରେ ସାମାନ୍ୟ ପରିମାଣରେ ବେଶି ଆୟକାରୀ ‘ଏବଭ୍‌ ପଭର୍ଟି ଲାଇନ’ (ଏପିଏଲ୍‌)ଙ୍କ ସଂଖ୍ୟା ୧୫% ବା ୭୨ ଲକ୍ଷ ଧରିଲେ ଦୁଃଖରେ ଦିନ କାଟୁଥିବା ଲୋକସଂଖ୍ୟା ମୋଟରେ ୨କୋଟି ୧୦ ଲକ୍ଷ ହେବ- ସେମାନଙ୍କ ଭିତରୁ ୧୮ ବର୍ଷରୁ କମ୍‌ ସଂଖ୍ୟା ସରକାରୀ ହିସାବରେ ୮.୭% ବା ୧୮ ଲକ୍ଷ ୨୭ ହଜାର (ଧରନ୍ତୁ ୧୮ ଲକ୍ଷ)। ଯଦି ବଡ଼ମାନଙ୍କୁ ମାସିକ ୪୫୦୦ ଟଙ୍କା ଓ ସାନମାନଙ୍କୁ ମାସିକ ୧୫୦୦ ଟଙ୍କା ବିନାସର୍ତ୍ତରେ ଗ୍ୟାରେଣ୍ଟିଡ୍‌ ଇନ୍‌କମ୍‌ ଦିଆଯାଏ, ତେବେ ବଡ଼ଙ୍କ ପାଇଁ ୧୦୩ କୋଟି ୬୮ ଲକ୍ଷ ଏବଂ ସାନଙ୍କ ପାଇଁ ୩୨ କୋଟି ୪୦ ଲକ୍ଷ ଟଙ୍କା – ମୋଟ ୧,୩୬,୦୦୦ କୋଟି ୮ ଲକ୍ଷ ବର୍ଷକୁ ଖର୍ଚ୍ଚ ହେବ। ବାକି ୧,୧୪,୦୦୦ କୋଟିରୁ ବଜେଟରେ ଥିବା କର୍ମଚାରୀ ଓ ଅନ୍ୟମାନଙ୍କ ପାଇଁ ଦରମା ବାବଦ ୯୮,୦୦୦ କୋଟି ଭରଣା କରିସାରି ୧୬,୦୦୦କୋଟି ଟଙ୍କା ବିକାଶମୂଳକ କାର୍ଯ୍ୟ ତଥା ପୁଞ୍ଜିନିବେଶକାରୀ କାର୍ଯ୍ୟ ପାଇଁ ବଳିବ। ଚଳିତ ବଜେଟରେ କୁହାଯାଇଛି ରାଜ୍ୟ ନିଜ ସାଧନରେ ପ୍ରାୟ ୧ଲକ୍ଷ କୋଟି ଟଙ୍କା ଆଦାୟ କରିବ- ଉଭୟ ଟିକସ ଓ ଅଣଟିକସ କ୍ଷେତ୍ରରୁ। କେନ୍ଦ୍ର ସରକାରଙ୍କଠାରୁ ଟିକସ ବାବଦରେ ପ୍ରାୟ ୭୫ହଜାର କୋଟି ପାଉଥିଲା ବେଳେ ଅଣଟିକସ ୯୫ ହଜାର କୋଟି ପାଇବ। ଆଗାମୀ ବର୍ଷଗୁଡ଼ିକରେ କେନ୍ଦ୍ରରୁ ମିଳୁଥିବା ଟିକସ ପରିମାଣ ପ୍ରତିବର୍ଷ ୧୦%ରୁ ୨୫% ବଢ଼ି ଚାଲିିବ। ରାଜ୍ୟର ରେଭିନ୍ୟୁ ରିସିପ୍ଟ ବା ରାଜସ୍ବ ଆଦାୟ ବଢ଼ି ବଢ଼ି ଏବର୍ଷ ୧ ଲକ୍ଷ ୮୦ ହଜାର କୋଟି ହେବ, ଗତ ବର୍ଷ ତୁଳନାରେ ୧୫% ବେଶି। ସରକାର କହୁଛନ୍ତି ପ୍ରତିବର୍ଷ ରାଜସ୍ବ ବୃଦ୍ଧି ୬% ରୁ ୭% ହେଉଛି। ତେଣୁ ଗ୍ୟାରେଣ୍ଟିଡ୍‌ ଇନ୍‌କମ୍‌ ୭% ଲେଖାଏ ଆସନ୍ତା ଦୁଇବର୍ଷ ଯାଏ ବଢ଼ାଯାଇ ପାରିବ। ୨୦୨୪-୨୫ରେ ବଡ଼ଙ୍କୁ ମାସିକ ୫୦୦୦ ଓ ସାନଙ୍କୁ ମାସିକ ୨୦୦୦ ଲେଖାଏ ଏବଂ ୨୦୨୫-୨୬ରେ ଯଥାକ୍ରମେ ୫୫୦୦ ଓ ୨୫୦୦ ଏବଂ ୨୦୨୬-୨୭ରେ ୬୦୦୦ ଓ ୩୦୦୦ ହୋଇପାରେ।
୨୦୨୪ର ନିର୍ବାଚନ ପୂର୍ବର ଏହି ପୂର୍ଣ୍ଣ ବଜେଟକୁ ନୂଆ ମୋଡ଼ ଦେଲେ ରାଜ୍ୟର ହାପିନେସ୍‌ ଇଣ୍ଡେକ୍ସ ସବା ଉପରକୁ ଉଠିଯାଆନ୍ତା। ଭାବାବେଗ ଉପରେ ପର୍ଯ୍ୟବସିତ ଟଙ୍କିକିଆ ଚାଉଳ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବା କାଳିଆ ଭଳି ଯୋଜନା ରାଜ୍ୟର ଜନଜୀବନକୁ ଏବଂ ସବୁ ସଂସ୍ଥାକୁ ଭ୍ରଷ୍ଟାଚାର-ଭିତ୍ତିକ ଓ ଦୁର୍ନୀତିଗ୍ରସ୍ତ କରିଦେଲାଣି। ଭୋକଶୋଷରେ ହନ୍ତସନ୍ତ ଓ ଚାଷରେ କ୍ଷତିଗ୍ରସ୍ତ ଲୋକ ଦାଦନ ଯିବା ବା ଆତ୍ମହତ୍ୟା କରିବା ଯାଏ ସରକାରଙ୍କ ନୂଆ ଯୁଗ ଇତିହାସରେ ରହିଯିବ, କେତେକ କମ୍ୟୁନିଟି ୱର୍‌ଶିପ୍‌ରେ ବିଶ୍ୱାସ କରୁଥିବା ଧର୍ମାଳୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ମନ୍ଦିର ମସ୍‌ଜିଦ ନବୀକରଣ କଲେ (ଓଡ଼ିଶା ବାହାରର କଣ୍ଟ୍ରାକ୍ଟରମାନଙ୍କୁ ଓଡ଼ିଶାର ଧନ ଟେକିଦେଲେ) ପ୍ରାୟଶ୍ଚିତ୍ତ ହେବ ନାହିଁ। ସ୍ବର୍ଣ୍ଣ ଯୁଗ ଆରମ୍ଭ କରିବାର ବଡ଼ ମଉକା ହେଉଛି ସାର୍ବଜନୀନ ମୌଳିକ ଆୟ, ୟୁନିଭର୍ସାଲ ବେସିକ୍‌ ଇନ୍‌କମ୍‌ (ୟୁବିଆଇ) ଚାଲୁ କରିବା। ସରକାରୀ ଓ ବେସରକାରୀ କାର୍ଯ୍ୟକ୍ଷେତ୍ରରେ ଅଟୋମେଶନ୍‌ (କମ୍ପୁଟର ଚାଳିତ ନଥିପତ୍ର) ଆସ୍ତେ ଆସ୍ତେ ବଢୁଥିବାରୁ ଯେପରି କର୍ମନିଯୁକ୍ତି କମି କମି ଯାଉଛି ଓ ବେକାରି ବଢୁଛି ତାହାର ଏକମାତ୍ର ସମାଧାନ ହେଉଛି ୟୁବିଆଇ।
ଯେଉଁ ଲକ୍ଷାଧିକ କୋଟି ଟଙ୍କା ଦରିଦ୍ରମାନଙ୍କ ହାତକୁ ଯିବ, ତାହା ବିଭିନ୍ନ ପାରିବାରିକ ଖର୍ଚ୍ଚରେ ଓ ସେବା-ପାଇବା ଖର୍ଚ୍ଚରେ ଲାଗିଯିବ, ତେଣୁ ରାଜ୍ୟର ଜିଏସ୍‌ଟି ଓ ଭାଟ୍‌ ଅତି କମ୍‌ରେ ପ୍ରତିବର୍ଷ ୫% ବଢ଼ିବ, ଅର୍ଥାତ୍‌ ପରବର୍ଷ ରାଜ୍ୟର ବଜେଟ ଅଟକଳ ୨୫୦ ଲକ୍ଷର ୧୦୫% ମାନେ ୨୬୨.୫୦ ଲକ୍ଷ କୋଟି, ତା’ ପର ବର୍ଷ ୨୭୫.୬୨୫ କୋଟି ଟଙ୍କା ହୋଇଯିବ। କୌଣସି ପ୍ରକାର ସର୍ତ୍ତ ନ ଥାଇ ଗ୍ୟାରେଣ୍ଟିଡ୍‌ ଇନ୍‌କମ, ପ୍ରକୃତ ନାଁ ୟୁନିଭର୍ସାଲ ବେସିକ୍‌ ଇନ୍‌କମ୍‌ ଚାଲୁ କଲେ ବର୍ତ୍ତମାନର ବିଭିନ୍ନ ସାମାଜିକ ନିରାପତ୍ତା କାର୍ଯ୍ୟ ଦରକାର ହେବନାହିଁ, ତହିଁରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ, ତେଣୁ ଦରମା ବାବଦ ଖର୍ଚ୍ଚ କମିବ, (ୟୁବିଆଇ ମିଳିବା ଯୋଗୁ କମ୍‌ ଦରମା ପାଉଥିବା ଆଉଟସୋର୍ସିଂ କର୍ମଚାରୀମାନେ ଆଉ ଆଶାକର୍ମୀ ବା ଅଙ୍ଗନଓ୍ବାଡିରେ ନିଯୁକ୍ତ ଭଉଣୀମାନେ ଏପରି କି ସେଲ୍ଫ ହେଲ୍ପ ଗ୍ରୁପ୍‌ (ଏସ୍‌ଏଚ୍‌ଜି)ର ଭଉଣୀମାନେ ସ୍ବଚ୍ଛନ୍ଦରେ ଚଳିପାରିବେ। ଅଭାବ ଚିନ୍ତା ହ୍ରାସ ପାଇଲେ ନିଜେ ନିଜର ଅଧିକ ରୋଜଗାରର ପନ୍ଥା ବାହାର କରିନେବେ। ଯେଉଁମାନଙ୍କର ଆୟକର ଦେବା ଅବସ୍ଥା ଆସିଯିବ ସେମାନେ ୟୁବିଆଇରୁ ବଞ୍ଚିତ ହେବେ, ଯେମିତି ରନ୍ଧନଗ୍ୟାସ୍‌ ସବ୍‌ସିଡି କଟିଯାଉଛି। ଗୋଟିଏ ନିଶ୍ଚିତ ରୋଜଗାର ତ ଭଲ ସମୟରେ ନୂଆ ନୂଆ ବୃତ୍ତି ବା ବ୍ୟବସାୟ ଆରମ୍ଭ କରିବାର ବାଟ ଫିଟାଏ, କୋଭିଡ୍‌-୧୯ ଭଳି ମହାମାରୀ ଆସିଗଲେ ବି ବିପଦର ମାତ୍ରା କମାଇଦିଏ। ବିପଦ ଗରିବ ଲୋକକୁ ଡରାଏ ନାହିଁ କାରଣ କିଛି ନ ହେଲେ ତ ଗାରେଣ୍ଟିଡ୍‌ ଇନ୍‌କମ ଅଛି, ସେ ଭୋକିଲା ରହିବ ନାହିଁ, ବିପଦ ଟଳିଗଲା ପରେ କମିଯାଇଥିବା ବୃତ୍ତି ପୁଣି ତେଜି ଉଠିବ, ଖୋଲା ବଜାର ବୃଦ୍ଧି ପାଇବ, ପ୍ରତ୍ୟେକ ବ୍ୟକ୍ତି ବାଛି ବାଛି ଚାଉଳ ଡାଲି ଆଦି ଘର ସଉଦା କିଣିବ, ପଚାଶଢ଼ା ଚାଉଳ ନେବାକୁ ବାଧ୍ୟ ହେବ ନାହିଁ କି ଟଙ୍କାକିଆ ଚାଉଳ ପାଇଁ ଦିନକର ମଜୁରି ହରାଇ ଫେଆର୍‌ ପ୍ରାଇସ୍‌ ଦୋକାନ ଆଗରେ ଗୋଡ଼ ମୋଡ଼ି ଠିଆହେବ ନାହିଁ, ନାହୁଲି ମାହୁଲି ହେବ ନାହିଁ। ଗରିବ ଲୋକର ମାନ ମର୍ଯ୍ୟାଦା ବଢ଼ିଯିବ। ସବୁଠୁ ବଡ କଥା- ସମାଜରେ ଦୁର୍ନୀତି ଓ ଅନୈତିକତା ଦୂର ହୋଇଯିବ । ବିପିଏଲ୍‌ ଓ ଏପିଏଲ୍‌ ରାଶନ କାର୍ଡ ବ୍ୟବସ୍ଥାରେ ରାଜ୍ୟସାରା ଜନଜୀବନ ଭ୍ରଷ୍ଟାଚାରଗ୍ରସ୍ତ ହୋଇଥିଲା, ସେ ପ୍ରକାରର କାର୍ଡ ବ୍ୟବସ୍ଥା ଉଠିଗଲା ପରେ ଏକ ନୀତିସମ୍ପନ୍ନ ସମାଜ ଗଢ଼ିଉଠିବ, ବହୁ ମାତ୍ରାରେ ବିଶୃଙ୍ଖଳା ଓ ପରଧନ-ଲୁଟ୍‌ତରାଜ କମିଯିବ। ୟୁବିଆଇ ସବୁ ସମସ୍ୟାର ସମାଧାନ କରି ନ ପାରେ, କିନ୍ତୁ ଜୀବନଯାତ୍ରାକୁ ସହଜ କରିଦେବ। ଗ୍ଲୋବାଲ୍‌ ୱାର୍ମିଂଠୁ ଆରମ୍ଭ କରି ମହାମାରୀ ଯାଏ ଯେ କୌଣସି ବିପଦର ମୁକାବିଲା କରିପାରିବ ଓଡ଼ିଶାର ଦରିଦ୍ରତମ ବ୍ୟକ୍ତି। ସବୁ ମହିଳା ତ ମାସକୁ ମାସ ଗ୍ୟାରେଣ୍ଟିଡ୍‌ ଇନ୍‌କମ୍‌ ପାଇବେ ତ ଏସ୍‌ଏଚ୍‌ଜି ଭଳିକି ଭଳି ଫ୍ରିବି ବା ଭୋଟକିଣା କାରବାର ଲୋକଙ୍କୁ ପ୍ରଭାବିତ କରିବା ହ୍ରାସ ପାଇବ।
ଗତ ୧୦ ବର୍ଷ ହେଲା ଓଡ଼ିଶାର ଜିଡିପି ବର୍ଷକୁ ହାରାହାରି ୬.୫% ବୃଦ୍ଧି ଘଟୁଥିବା ବେଳେ କର୍ମଚାରୀଙ୍କୁ ଯଥାଯଥ ସଂଗଠିତ କରି ବ୍ୟୟର ଯୁକ୍ତିଯୁକ୍ତତା ଉପରେ ନଜର ରଖିପାରିଲେ ରାଜକୋଷରେ ବଳକା ଧନକୁ ନିବେଶଯୋଗ୍ୟ କରିବାରେ ରାଜ୍ୟ ସରକାର ସମର୍ଥ ହୋଇପାରିବେ; ଓଡ଼ିଶାରେ ମାନବ ସମ୍ବଳର ଅଭିବୃଦ୍ଧି ଅତୁଳନୀୟ ହେବ। ଫିସ୍କାଲ୍‌ ରେସ୍ପନସିବିଲିଟି ଆଣ୍ଡ ବଜେଟ ମାନେଜମେଣ୍ଟ ଆକ୍ଟ ଅନାବଶ୍ୟକ ହୋଇପଡ଼ିବ। ସୁଖୀ ଓଡ଼ିଶା ବିଶ୍ୱକୁ ଉଦାହରଣ ହୋଇପାରିବ ।
sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri