Posted inଜାତୀୟ

ଦରଦାମ ନିୟନ୍ତ୍ରଣ ପାଇଁ କିଛି ନାହିଁ

ନୂଆଦିଲ୍ଲୀ,୨୪ା୭: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ମଙ୍ଗଳବାର ପାର୍ଲାମେଣ୍ଟରେ ୨୦୨୪-୨୫ ଆର୍ଥିକବର୍ଷର ବଜେଟ ଉପସ୍ଥାପନ କରିଛନ୍ତି। ନରେନ୍ଦ୍ର ମୋଦି ସରକାରଙ୍କ ତୃତୀୟ ପାଳି କାର୍ଯ୍ୟକାଳରେ ପ୍ରଥମ ଆର୍ଥିକବର୍ଷର ରୂପରେଖ ଆଙ୍କିବାକୁ ଯାଇ ସୀତାରାମନ୍‌ ସରକାର ଗୁରୁତ୍ୱ ଦେଉଥିବା ୯ଟି ପ୍ରାଥମିକତା ଉପରେ ଜୋର୍‌ ଦେଇଛନ୍ତି। ଆଗାମୀ ୫ ବର୍ଷରେ କୃଷି, ନିଯୁକ୍ତି, ସାମାଜିକ ନ୍ୟାୟ, ସହରାଞ୍ଚଳ ବିକାଶ, ଶକ୍ତି, ସୁରକ୍ଷା, ଭିତ୍ତିଭୂମି, ନବ ପ୍ରବର୍ତ୍ତନ ଓ ସଂସ୍କାର କ୍ଷେତ୍ରରେ ଉତ୍ପାଦନଶୀଳତା ଏବଂ ପ୍ରତିକୂଳ ପରିସ୍ଥିତିର ମୁକାବିଲା ସାମର୍ଥ ବୃଦ୍ଧିକୁ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ସୀତାରାମନ୍‌ ଟ୍ୟାକ୍ସ ସ୍ଲାବ୍‌କୁ ଏକ ନୂଆ ବ୍ୟବସ୍ଥା ଅଧୀନରେ ସମୀକ୍ଷା କରିଛନ୍ତି। ମଧ୍ୟବିତ୍ତ ଶ୍ରେଣୀର ସୁବିଧା ପାଇଁ ସେ ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୫୦,୦୦୦ ଟଙ୍କାରୁ ୭୫,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିପରି ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ବିତ କରିବା ଲାଗି ସୀତାରାମନ୍‌ ନିଯୁକ୍ତି ସମ୍ପର୍କିତ ପ୍ରୋତ୍ସାହନ ଯୋଜନା ଘୋଷଣା କରିଛନ୍ତି। ଏହାବାଦ୍‌ ଆମତ୍ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ପାଇଁ ଅର୍ଥମନ୍ତ୍ରୀ ମୁଦ୍ରା ଯୋଜନା ଅଧୀନରେ ଋଣ ରାଶି ସୀମାକୁ ୧୦ ଲକ୍ଷରୁ ଦୁଇଗୁଣ ବୃଦ୍ଧି କରି ୨୦ ଲକ୍ଷ ଟଙ୍କା କରିଛନ୍ତି। ବଜେଟରେ ଆଉ ଏକ ବଡ଼ ଘୋଷଣା କରାଯାଇଛି। ତାହା ହେଲା ଗୁରୁତ୍ୱପୂର୍ଣ୍ଣ ଖଣିଜ ଆମଦାନୀରେ ସୀମାଶୁଳ୍କକୁ ହଟାଇ ଦିଆଯାଇଛି। ସୀତାରାମନ୍‌ ସୁନା ଓ ରୁପା ଉପରେ ମଧ୍ୟ ସୀମାଶୁଳ୍କ ହ୍ରାସ କରିଛନ୍ତି। ସରକାରଙ୍କ ଆର୍ଥିକ ପରିଯୋଜନାକୁ ପ୍ରଶଂସା କରି ସୀତାରାମନ୍‌ କହିଛନ୍ତି, ବିତ୍ତୀୟ ନିଅଣ୍ଟ ୪.୯%କୁ ହ୍ରାସ ପାଇଛି। ସରକାର ୨୦୨୬-୨୭ ଆର୍ଥିକବର୍ଷରେ ଏହାକୁ ୪.୫%ରେ ସୀମିତ ରଖିବାକୁ ଲକ୍ଷ୍ୟ ରଖିଛନ୍ତି। ସେହିପରି ଭାଜପା ଏବଂ ଏହାର ସହଯୋଗୀ ଦଳ କ୍ଷମତାସୀନ ଥିବା ଓଡ଼ିଶା, ବିହାର ଓ ଆନ୍ଧ୍ରପ୍ରଦେଶ ପାଇଁ କେନ୍ଦ୍ର ସରକାର କେତୋଟି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଏବଂ ପର୍ଯ୍ୟଟନ ବିକାଶ ପ୍ରକଳ୍ପ ଘୋଷଣା କରିଛନ୍ତି। ମୋଟାମୋଟି ଭାବେ ଦେଖିଲେ ଗତ ଲୋକ ସଭା ନିର୍ବାଚନରେ ଭାଜପା ପ୍ରତି ହ୍ରାସ ପାଇଥିବା ଜନ ସମର୍ଥନର ରାଜନୈତିକ ବାର୍ତ୍ତାକୁ ହୃଦୟଙ୍ଗମ କରି ହାତରୁ ଖସିଯାଇଥିବା କେତେକ ବର୍ଗଙ୍କ ଆସ୍ଥା ପୁନଃ ହାସଲ ପାଇଁ ମୋଦି ସରକାର ଏହି ବଜେଟରେ ଉଦ୍ୟମ କରିଛନ୍ତି। କିନ୍ତୁ ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ବଢ଼ିଚାଲିଥିବା ଦରଦାମକୁ ନିୟନ୍ତ୍ରଣକୁ ଆଣିବା ସହ ରେଳ ଓ ସଡ଼କ, ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଯେପରି ବୁଷ୍ଟ୍‌ ମିଳିବା କଥା ତାହା ୪୮,୨୦,୫୧୨ କୋଟି ଟଙ୍କାର ବ୍ୟୟ ଅଟକଳରେ ଦେଖିବାକୁ ମିଳିନାହିଁ। ସେହିପରି ଆୟକର ସୀମା ବୃଦ୍ଧି ନେଇ ମଧ୍ୟବିତ୍ତ ଶ୍ରେଣୀ ଅର୍ଥମନ୍ତ୍ରୀଙ୍କଠାରୁ ଅନେକ ଆଶା ରଖିଥିଲେ। ସେମାନଙ୍କୁ ବଜେଟରେ ନିରାଶହେବାକୁ ପଡ଼ିଛି। କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଏହାକୁ କପିପେଷ୍ଟ, ଚୌକି ବଞ୍ଚାଇବା ପାଇଁ ଉଦ୍ଦିଷ୍ଟ ଏବଂ ଜନବିରୋଧୀ ବଜେଟର ଆଖ୍ୟା ଦେଇଛନ୍ତି।
ଅର୍ଥମନ୍ତ୍ରୀ ସୀତାରାମନ୍‌ ଅଷ୍ଟାଦଶ ଲୋକ ସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ମୋଦି ସରକାରଙ୍କ ବାର୍ଷିକ ଆର୍ଥିକ ରିପୋର୍ଟ କାର୍ଡ ଇକୋନୋମିକ୍‌ ସର୍ଭେ ରିପୋର୍ଟ-୨୦୨୩ ଉପସ୍ଥାପନ କରିଥିଲେ। ଏହାର ଦିନକ ପରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କୁ ପଛରେ ପକାଇ ଲଗାତର ସପ୍ତମ ଥର ପାଇଁ ଅର୍ଥ ବିଲ୍‌ ଉପସ୍ଥାପନ କରିଛନ୍ତି, ଯାହାକି ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗତ ଫେବୃୟାରୀରେ ଅନ୍ତରୀଣ ବଜେଟ ଉପସ୍ଥାପିତ ହୋଇଥିବାବେଳେ ନିର୍ବାଚନ ପରେ ଏହା ହେଉଛି ପୂର୍ଣ୍ଣାଙ୍ଗ ବଜେଟ। ପୂର୍ବ ଥର ଭଳି ଏଥର ମଧ୍ୟ ସୀତାରାମନ୍‌ ପାରମ୍ପରିକ ‘ବହି-ଖାତା’ ଶୈଳୀ ପରିବର୍ତ୍ତେ ଡିଜିଟାଲ ଟାବ୍‌ଲେଟ ବଜେଟ ଉପସ୍ଥାପନ କରିଛନ୍ତି। ୯୦ ମିନିଟ୍‌ ଅବଧିର କାଗଜବିହୀନ ବଜେଟ ଅଭିଭାଷଣ ପ୍ରାରମ୍ଭରେ ଧଳା ସିଲ୍କ ଶାଢ଼ି ପିନ୍ଧିଥିବା ଅର୍ଥମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଗତ ଦଶନ୍ଧିରେ ଭାରତର ଅର୍ଥନୈତିକ ବିକାଶ ଘଟିଛି। ବିଶ୍ୱ ଆର୍ଥିକ ଅନିଶ୍ଚିତତା ଦେଇ ଗତି କରୁଥିବାବେଳେ ଭାରତର ଧୀର ମୁଦ୍ରାସ୍ଫୀତି ଦେଶର ମଜଭୁତ ମାକ୍ରୋ-ଇକୋନୋମିକ୍‌ ବ୍ୟବସ୍ଥାକୁ ସୂଚାଉଛି। ଏହା ପରେ ଅର୍ଥମନ୍ତ୍ରୀ ଅନ୍ତରୀଣ ବଜେଟ ଉପସ୍ଥାପନ ବେଳେ ଗରିବ, ମହିଳା, ଯୁବ ଓ କୃଷକଙ୍କ ପାଇଁ କରିଥିବା ପ୍ରମୁଖ ଘୋଷଣାଗୁଡ଼ିକୁ ସ୍ମରଣ କରିଥିଲେ।
ସୀତାରାମନ୍‌ କହିଥିଲେ, ଭାରତର ଜନସାଧାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ ସରକାର ଉପରେ ପୁନଃ ଆସ୍ଥା ପ୍ରକଟ କରି ହ୍ୟାଟ୍ରିକ୍‌ ବିଜୟ ଦେଇଛନ୍ତି। ତେଣୁ ଜାତି, ଧର୍ମ, ଲିଙ୍ଗ, ବୟସ ନିର୍ବିଶେଷରେ ସମସ୍ତ ଭାରତୀୟଙ୍କ ପ୍ରଗତିକୁ ସୁନିଶ୍ଚିତ କରିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମେ ‘ବିକଶିତ ଭାରତ’ର ନକ୍ସା ଆଙ୍କିବାକୁ ଯାଇ ୯ଟି କ୍ଷେତ୍ର ଉପରେ ସର୍ବାଧିକ ଗୁରୁତ୍ୱ ଦେଇଛୁ। ସେଗୁଡ଼ିକ ହେଲା ନିଯୁକ୍ତି ଓ ଦକ୍ଷତା ବିକାଶ, ସମାବେଶୀ ମାନବ ସମ୍ବଳ ବିକାଶ ଓ ସାମାଜିକ ନ୍ୟାୟ, ମାନୁଫାକ୍ଚରିଂ ଓ ସେବା, ସହରାଞ୍ଚଳ ବିକାଶ, ଶକ୍ତି ନିରାପତ୍ତା, ଭିତ୍ତିଭୂମି, ନବପ୍ରବର୍ତ୍ତନ, ଗବେଷଣା ଓ ବିକାଶ ଏବଂ ପରବର୍ତ୍ତୀ ପିଢ଼ି ବିକାଶ। ନିଯୁକ୍ତି, ଦକ୍ଷତା ବିକାଶ ଓ ଅନ୍ୟ ସୁଯୋଗଗୁଡ଼ିକୁ ପ୍ରୋତ୍ସାହନ ଦେବା ପାଇଁ ସୀତାରାମନ୍‌ ବଜେଟରେ ୨ ଲକ୍ଷ କୋଟି ଟଙ୍କାର ଅନେକ ଯୋଜନା ଘୋଷଣା କରିଛନ୍ତି। ଏହାଦ୍ୱାରା ୪.୧ କୋଟି ଯୁବତୀଯୁବକ ଉପକୃତ ହେବେ। ୨୦୨୫ ଆର୍ଥିକବର୍ଷରେ ଶିକ୍ଷା, ନିଯୁକ୍ତି ଓ ଦକ୍ଷତା ବିକାଶ ପାଇଁ ୧.୪୮ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ନିଯୁକ୍ତି ସମ୍ପର୍କିତ ପ୍ରୋତ୍ସାହନ ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ୟାକେଜ୍‌ର ଏକ ଅଂଶ, ଯହିଁରେ ୩ଟି ଯୋଜନା ରହିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି କାର୍ଯ୍ୟାଳୟ (ଇପିଏଫ୍‌ଓ)ରେ ପ୍ରଥମ ଥର ପଞ୍ଜୀକୃତ କର୍ମଚାରୀଙ୍କୁ ତିନୋଟି କିସ୍ତିରେ ମାସକର ଦରମା (୧୫,୦୦୦ ଟଙ୍କା ପର୍ଯ୍ୟନ୍ତ) ଦିଆଯିବ। ତେବେ ସମ୍ପୃକ୍ତ କର୍ମଚାରୀ ୧ ଲକ୍ଷ ଟଙ୍କା ଭିତରେ ଦରମା ପାଉଥିବା ଆବଶ୍ୟକ। ଏହି ଯୋଜନାରୁ ୨୧୦ ଲକ୍ଷ ଯୁବପିଢ଼ି ଉପକୃତ ହେବେ ବୋଲି ଆଶା କରାଯାଉଛି। ମାନୁଫାକ୍ଚରିଂରେ ନିଯୁକ୍ତି ସୃଷ୍ଟି ଅଧୀନରେ ସରକାର ବିନିର୍ମାଣ କ୍ଷେତ୍ରରେ ଅତିରିକ୍ତ ନିଯୁକ୍ତିକୁ ପ୍ରୋତ୍ସାହନ ଦେବେ। ନିଯୁକ୍ତିର ପ୍ରଥମ ୪ ବର୍ଷରେ ଉଭୟ କର୍ମଚାରୀ ଓ ନିଯୁକ୍ତିଦାତା ଏକ ନିର୍ଦ୍ଦିଷ୍ଟ ପ୍ରୋତ୍ସାହନ ରାଶି ପାଇବେ। ଏହାଦ୍ୱାରା ୩୦ ଲକ୍ଷ ଯୁବତୀ ଯୁବକ ଲାଭାନ୍ବିତ ହେବେ। ତୃତୀୟ ଯୋଜନାଟି ନିଯୁକ୍ତିଦାତାଙ୍କ ସମର୍ଥନ ପାଇଁ ଉଦ୍ଦିଷ୍ଟ। ଏହି ଯୋଜନାରେ ସବୁ ସେକ୍ଟରରେ ଅତିରିକ୍ତ ନିଯୁକ୍ତିକୁ ସାମିଲ କରାଯିବ, ଯହିଁରେ ଆହୁରି ୫୦ ଲକ୍ଷ ଲୋକ ଉପକୃତ ହେବେ। ସେହିପରି କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଭାଗୀଦାରି ବୃଦ୍ଧି ସକାଶେ ସରକାର ଶିଳ୍ପାନୁଷ୍ଠାନଗୁଡ଼ିକର ସହଯୋଗ ନେଇ କାର୍ଯ୍ୟରତ ମହିଳା ହଷ୍ଟେଲ ପ୍ରତିଷ୍ଠା କରିବେ। ଆଗାମୀ ୫ ବର୍ଷରେ ୨୦ ଲକ୍ଷ ଯୁବତୀଯୁବକଙ୍କ ଦକ୍ଷତା ବୃଦ୍ଧି କରାଯିବ ଏବଂ ୧,୦୦୦ ଇଣ୍ଡଷ୍ଟ୍ରିଆଲ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ (ଆଇଟିଆଇ) ପ୍ରତିଷ୍ଠା କରାଯିବ ବୋଲି ସୀତାରାମନ୍‌ କହିଛନ୍ତି।
ନିଯୁକ୍ତି କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏକ ମହତ୍ତ୍ୱାକାଂକ୍ଷୀ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନାରେ ଆଗାମୀ ୫ ବର୍ଷରେ ଦେଶର ୧ କୋଟି ଯୁବତୀଯୁବକ ୫୦୦ ଶ୍ରେଷ୍ଠ କମ୍ପାନୀରେ ଇଣ୍ଟର୍ନଶିପ୍‌ ସୁଯୋଗ ପାଇବେ। ସେମାନଙ୍କୁ ମାସିକ ୫,୦୦୦ ଟଙ୍କା ଲେଖାଏ ଇଣ୍ଟର୍ନଶିପ୍‌ ଭତ୍ତା ମିଳିବ। ଏଥିସହ ଥରୁଟିଏ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ମଧ୍ୟ ମିଳିବ। କୃଷକମାନଙ୍କୁ ଖୁସି କରିବା ପାଇଁ ସରକାର ଏହି ବଜେଟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୧.୫୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଆଗାମୀ ୨ ବର୍ଷରେ ପ୍ରାକୃତିକ କୃଷିରେ ୧ କୋଟି ଚାଷୀ ସାମିଲ ହେବେ। ସରକାର ‘ନୂତନ ୧୦୯ ଉଚ୍ଚ ଉତ୍ପାଦନକ୍ଷମ, ଜଳବାୟୁ ସହନଶୀଳ କିସମର ଫସଲ ସେମାନଙ୍କୁ ଯୋଗାଇ ଦିଆଯିବ। ୪୦୦ ଜିଲାରେ ଖରିଫ୍‌ରେ ଡିଜିଟାଲ କ୍ରପ୍‌ ସର୍ଭେ କରାଯିବ ବୋଲି ସୀତାରାମନ୍‌ ସୂଚନା ଦେଇଛନ୍ତି।
ପାର୍ଲାମେଣ୍ଟରେ ଭାଜପା ସଂଖ୍ୟାଗରିଷ୍ଠତା ହରାଇବାର ପ୍ରାୟ ମାସକ ପରେ ନିର୍ବାଚନରୁ ମିଳିଥିବା ରାଜନୈତିକ ସନ୍ଦେଶକୁ ବୁଝି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବଜେଟରେ କୃଷକ ଓ ଯୁବପିଢ଼ିଙ୍କ ଭଳି ପ୍ରମୁଖ ମତଦାତା ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କରିଛନ୍ତି। କୃଷି ଓ ନିଯୁକ୍ତି କ୍ଷେତ୍ରକୁ ଦିଆଯାଇଥିବା ଗୁରୁତ୍ୱକୁ ସମର୍ଥନ ହାସଲ ଉଦ୍ଦେଶ୍ୟରେ ପଦକ୍ଷେପ ବୋଲି କୁହାଯାଉଛି। ସେହିପରି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର ବିହାର ସହଯୋଗୀ ତଥା ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ଏବଂ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ମାଗୁଥିବା ସ୍ବତନ୍ତ୍ର ରାଜ୍ୟ ପାହ୍ୟାକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଥିବାବେଳେ ଏହି ବାବଦକୁ ଉଭୟ ରାଜ୍ୟକୁ ବଡ଼ ଆର୍ଥିକ ପ୍ୟାକେଜ୍‌ ଦେଇ ସନ୍ତୁଳନ ରକ୍ଷା ଉଦ୍ୟମ କରାଯାଇଛି। ବିହାରରେ ନୂଆ ରାଜପଥ, ୩ ଏକ୍ସପ୍ରେସ୍‌ଓ୍ବେ ପାଇଁ ୨୬,୦୦୦ କୋଟି ଏବଂ ବନ୍ୟାରୁ ରକ୍ଷା ଲାଗି ୧୫,୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଆନ୍ଧ୍ରପ୍ରଦେଶ ରାଜଧାନୀ ଅମରାବତିର ପୁନଃ ବିକାଶ ସକାଶେ ୧୫,୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଦୁଇ ଘୋଷଣାକୁ ସରକାର ବଞ୍ଚାଇବା ପାଇଁ ରାଜନୈତିକ ସ୍ବାର୍ଥ ଦୃଷ୍ଟିରୁ ଦେଖାଯାଉଛି। ବଜେଟ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀ ସୀତାରାମନ୍‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଭେଟିଥିଲେ। ରାଷ୍ଟ୍ରପତି ତାଙ୍କୁ ଦହି-ଚିନି ଖୁଆଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୨୦୨୪-୨୫ ଆର୍ଥିକବର୍ଷ (ଏପ୍ରିଲ ୨୦୨୪ରୁ ମାର୍ଚ୍ଚ ୨୦୨୫) ପାଇଁ ଉଦ୍ଦିଷ୍ଟ ବଜେଟକୁ ଅନୁମୋଦନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୌସେନାରେ ସାମିଲ ହେଲା ‘ଅରିଦମନ’

ନୂଆଦିଲ୍ଲୀ,୪ା୪: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଣବିକ ଶକ୍ତିସମ୍ପନ୍ନ ବାଲିଷ୍ଟିକ୍‌ ମିଶାଇଲ୍‌ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଅରିଦମନ ଶୁକ୍ରବାର ଭାରତୀୟ ନୌସେନାରେ ସାମିଲ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ପ୍ରଶାସନ ଆଖି ଆଗରେ ପ୍ରଦୂଷଣ: ରାସ୍ତାପାର୍ଶ୍ୱ ପାଲଟିଛି ଡମ୍ପିଂ ୟାର୍ଡ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ପ୍ରଶାସନ ଆଖି ଆଗରେ ପ୍ରଦୂଷଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଗତ କିଛିଦିନ ହେଲା ସହରର ବିଭିନ୍ନ ରାସ୍ତାରେ ସ୍ତୁପ ଭଳି କୁଢ଼…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

କୁନି କୁନି ପିଲାଙ୍କୁ ଖଡ଼ିଛୁଆଁଇବେ ମୁଖ୍ୟମନ୍ତ୍ରୀ: ଆଜି ବିଦ୍ୟାଳୟରେ ପ୍ରବେଶ ଉତ୍ସବ

ଭୁବନେଶ୍ୱର,୪ା୪(ସୁଚିସ୍ମିତା ସାହୁ):ଓଡ଼ିଆ ପକ୍ଷ ପାଳନ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶନିବାର ବିଦ୍ୟାଳୟଗୁଡିକରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଆୟୋଜିତ ହେବ। ରାଜଭବନ ସରକାରୀ…

୪୦ କିମି ବେଗରେ ବହିବ ପବନ, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା: ସତର୍କ ସୂଚନା ଜାରି

ଭୁବନେଶ୍ୱର,୪।୪: ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି ହୋଇଛି। ତେବେ ୨ଦିନ ପରେ ତାପମାତ୍ରା ୨ରୁ ୩ ଡିଗ୍ରୀ…

ଆଜି ରାଜ୍ୟ କ୍ୟାବିନେଟ୍‌: ନିଆଯିବ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୪।୪ (ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ସନ୍ଧ୍ୟା ୬ଟାରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri