Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ ପ୍ରାର୍ଥୀଙ୍କ ନାମ ଦଳ ଘୋଷଣା କରିଛି। ଏହି ତାଲିକାରେ ଦଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀରୁ ପ୍ରାର୍ଥୀ ପରିବର୍ତ୍ତନ କରିଛି। ବିଏସ୍‌ପି ପୂର୍ବରୁ ବାରାଣସୀ ଆସନରୁ ଅତହର ଜମାଲ ଲାରିଙ୍କୁ ଟିକେଟ ଦେଇଥିଲା, କିନ୍ତୁ ଏବେ ସୟଦ ନେୟାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଟିକେଟ ଦିଆଯାଇଛି।

କହିରଖୁଛୁ, ଏହା ହେଉଛି ବିଏସ୍‌ପିର ୬ଷ୍ଠ ତାଲିକା ଯେଉଁଥିରେ ୧୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଏସ୍‌ପି କେବଳ ବାରାଣାସୀରୁ ନିଜର ପ୍ରାର୍ଥୀ ବଦଳାଇନାହିଁ ବରଂ ଅନ୍ୟାନ୍ୟ ଆସନରୁ ପ୍ରାର୍ଥୀ ମଧ୍ୟ ବଦଳାଇଛ। ଦଳ ସନ୍ଥ କବୀରନଗର, ଫତେହପୁର ଏବଂ ଫିରୋଜାବାଦରୁ ପ୍ରାର୍ଥୀ ବଦଳାଇଛି।

ପ୍ରକାଶ ଯେ, ବିଏସପି ମୁଖ୍ୟ ମାୟାବତୀ ତାଙ୍କ ପ୍ରାର୍ଥୀଙ୍କ ନାମ ବିଳମ୍ବରେ ଘୋଷଣା କରୁଥିଲେ ହେଁ ବହୁ ବିଚାର ବିମର୍ଶ ପରେ ହିଁ ନିଷ୍ପତ୍ତି ନେଉଛନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବାରାଣାସୀରୁ ତାଙ୍କ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରିବା ମଧ୍ୟ ତାଙ୍କ ନୂତନ ରଣନୀତିର ଏକ ଅଂଶ ଭାବରେ ବିବେଚନା କରାଯାଉଛି।

Share