ଲକ୍ଷ୍ନୌ,୧୩।୯: ବହୁଜନ ସମାଜ ପାର୍ଟି (ବିଏସ୍ପି) ସୁପ୍ରିମୋ ମାୟାବତୀ ରବିବାର ଗଣମାଧ୍ୟମ ସହ ଆଲୋଚନା କରି ଆକାଶ ଆନନ୍ଦଙ୍କୁ ନେଇ ପୁଣି ବଡ଼ ଅଭିଯୋଗ ଆଣିଛନ୍ତି । ନିକଟରେ ଆକାଶଙ୍କୁ ଦଳରୁ ବାହାର କରିଥିବା ମାୟାବତୀ କହିଛନ୍ତି, ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଗୁଜବ ପ୍ରଚାର କରାଯାଉଛି । ଏହି କାରଣରୁ ସେ ନିଜେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି ।
ମାୟାବତୀ କହିଛନ୍ତି ଯେ, ଦଳର ହିତ ପାଇଁ ସେ ନିକଟରେ କିଛି କଠୋର ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଦଳକୁ କୌଣସି କ୍ଷତି ହେଉନାହିଁ, ବରଂ ଲାଭ ହେଉଛି। ତାଙ୍କ ଅସୁସ୍ଥତାକୁ ନେଇ ଗୁଜବ ପ୍ରଚାର ହେଉଥିବାରୁ ଏହାର ସ୍ପଷ୍ଟୀକରଣ ଦେବାକୁ ସେ ନିଜେ ମିଡିଆ ସାମ୍ନାକୁ ଆସିଥିବା କହିଛନ୍ତି। ତାଙ୍କ ଅସୁସ୍ଥତାକୁ ନେଇ ଗୁଜବ ପଛରେ ଆକାଶ ଆନନ୍ଦ ଓ ତାଙ୍କ ସହଯୋଗୀମାନେ ଥାଇପାରନ୍ତି । ସେ କହିଛନ୍ତି ଯେ, ତାଙ୍କ ବାସଭବନରେ ରାତି ପ୍ରାୟ ୧୦ଟା ସମୟରେ ଦଳୀୟ ପ୍ରଭାରୀ ଆଲୋକ କୁମାରଙ୍କ ପାଖକୁ ଆକାଶଙ୍କ ଫୋନ୍ ଆସିଥିଲା।
ଆକାଶ ଫୋନ୍ରେ ମାୟାବତୀ ଅସୁସ୍ଥ ଅଛନ୍ତି କି ନାହିଁ ଏବଂ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି ବୋଲି ପଚାରିଥିବା ମାୟାବତୀ କହିଛନ୍ତି । ଏହାର ଉତ୍ତରରେ ଆଲୋକ କୁମାର ମାୟାବତୀ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଏବଂ ନିଜ କାମ କରୁଥିବା କହିଥିଲେ। ଏହାପରେ ଆକାଶ ଏହି କଥା ମାୟାବତୀଙ୍କୁ ନ କହିବାକୁ କହି ଫୋନ୍ କାଟି ଦେଇଥିବା ସେ ଦାବି କରିଛନ୍ତି। ମାୟାବତୀ ଆହୁରି କହିଛନ୍ତି ଯେ, ଆକାଶଙ୍କ ଉଦ୍ଦେଶ୍ୟ ଠିକ୍ ମଧ୍ୟ ହୋଇପାରେ, ଭୁଲ୍ ମଧ୍ୟ ହୋଇପାରେ। କିନ୍ତୁ ସେ ଏବେ ବି ନିଜ ମସ୍ତିଷ୍କରେ ନୁହେଁ, ବରଂ ଅଶୋକ ସିଦ୍ଧାର୍ଥଙ୍କ ପ୍ରଭାବରେ କାମ କରୁଛନ୍ତି ବୋଲି ମାୟାବତୀ ଅଭିଯୋଗ କରିଛନ୍ତି।
ଏହି ଅବସରରେ ମାୟାବତୀ ଦଳର ସଂଗଠନକୁ ନେଇ ମଧ୍ୟ ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ଜାତୀୟ ସ୍ତରରେ ବିଏସ୍ପିର ସଂଗଠନକୁ ତିନୋଟି ସେକ୍ଟରରେ ବିଭକ୍ତ କରାଯାଇଛି। ପ୍ରଥମ ସେକ୍ଟରରେ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡକୁ ରଖାଯାଇଛି । ଏହି ଦୁଇ ରାଜ୍ୟରେ ଦଳର ସଂଗଠନର ସମସ୍ତ କାର୍ଯ୍ୟକୁ ମାୟାବତୀ ନିଜେ ତଦାରଖ କରିବେ। ଦେଶର ଅନ୍ୟ ରାଜ୍ୟଗୁଡ଼ିକୁ ଅନ୍ୟ ଦୁଇଟି ସେକ୍ଟରରେ ବାଣ୍ଟି ବିଭିନ୍ନ ନେତାଙ୍କୁ ସେକ୍ଟର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି।
ମାୟାବତୀ କହିଛନ୍ତି ଯେ, ଏହି ପ୍ରଭାରୀମାନଙ୍କଠାରୁ ସେ ଲକ୍ଷ୍ନୌରୁ ରିପୋର୍ଟ ନେବେ ଏବଂ ଫୋନ୍ ଯୋଗେ ମଧ୍ୟ ଯୋଗାଯୋଗ ରଖିବେ। ଅନ୍ୟ ଦୁଇ ସେକ୍ଟରର କେନ୍ଦ୍ରୀୟ ପ୍ରଭାରୀମାନେ ଦିଲ୍ଲୀରେ ରିପୋର୍ଟ ଦେବେ । ପ୍ରତି ଦେଢ଼ ମାସରେ ସେମାନଙ୍କ ବୈଠକ ହେବ।