Categories: ଜାତୀୟ

ପାକିସ୍ତାନକୁ ବିଏସ୍‌ଏଫ୍‌ର କଡ଼ା ଜବାବ: ୫ ଅନୁପ୍ରବେଶକାରୀଙ୍କ ମୁଣ୍ଡ ଗଡ଼ିଲା

ଚଣ୍ଡିଗଡ଼, ୨୨।୮: ପଞ୍ଜାବର ଭାରତ ପାକିସ୍ତାନ ସୀମାରେ ବିଏସ୍‌ଏଫ୍‌କୁ ଏକ ବଡ଼ ସଫଳତା ମିଳିଛି। ବିଏସ୍‌ଏଫ୍‌ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ସୀମାବର୍ତ୍ତୀ ତାରନ ତରାନ ଜିଲାରେ ଭାରତ ମଧ୍ୟକୁ ଭୋର୍‌ ୪ଟା ୪୫ରେ ଅନୁପ୍ରବେଶ କରୁଥିବା ୫ ଅଜଣା ପାକିସ୍ତାନୀଙ୍କ ମୁଣ୍ଡ ଗଡ଼ିଛି। ଅନୁପ୍ରବେଶକାରୀଙ୍କୁ ବିଏସ୍‌ଏଫ୍‌ ୧୦୩ ବାଟାଲିୟନ୍‌ ଯବାନଙ୍କ ପକ୍ଷରୁ ସତର୍କ ସୂଚନା ଦିଆଯାଇଥିଲା। ତେବେ ସେମାନେ ଏହାକୁ ନ ମାନି ତାରବାଡ଼ ଡ଼େଇଁବା ଉଦ୍ୟମ କରିବା ସହିତ ବିଏସ୍‌ଏଫ୍‌ ଯବାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ପରେ ବିଏସ୍‌ଏଫ୍‌ ଯବାନଙ୍କ ପକ୍ଷରୁ ଏହାର ଜବାବରେ ପାଲଟା ଗୁଳି ଚାଳନା କରାଯାଇଥିଲା। ତାରବାଡ଼ ପାଖରେ ୩ଟି ମୃତ ଦେହ ପଡ଼ିଥିବା ବିଏସ୍‌ଏଫ୍‌ ପକ୍ଷରୁ କୁହାଯାଇଛି। ସେମାନଙ୍କ ପଛରେ ବ୍ୟାଗ ରହିଛି। ବ୍ୟାଗ୍‌ରେ ନିଶାଦ୍ରବ୍ୟ ଥିବା ବିଏସ୍‌ ଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଅନୁପ୍ରବେଶକାରୀଙ୍କଠାରୁ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ବିଏସ୍‌ଏଫ୍‌ ପକ୍ଷରୁ ପାକିସ୍ତାନ ରେଞ୍ଜରଙ୍କ ସହିତ ଏନେଇ ବୈଠକ କରାଯିବାର ଯୋଜନା କରାଯାଉଥିବା କୁହାଯାଉଛି। ଘଟଣାସ୍ଥଳରେ ବିଏସ୍‌ଏଫ୍‌ ଉଚ୍ଚଅଧିକାରୀ ପହଞ୍ଚିଛନ୍ତି। ଅନୁପ୍ରବେଶକାରୀମାନେ ଚୋରା ନିଶାଦ୍ରବ୍ୟ କାରବାର ସହିତ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି।

Share