Categories: ଜାତୀୟ

ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା: ଜଣେ ଯବାନ ଶହୀଦ

ଅଗରତାଲା,୧୯।୮: ଉତ୍ତର ତ୍ରିପୁରା ଜିଲା କାଞ୍ଚନପୁର ସ୍ଥିତ ଭାରତ-ବାଂଲାଦେଶ ସୀମାରେ ଉତ୍ତେଜନା ଦେଖାଦେଇଛି। ଶୁକ୍ରବାର ସକାଳେ ନ୍ୟାସନାଲ ଲିବରେସନ ଫ୍ରଣ୍ଟ ଅଫ୍‌ ତ୍ରିପୁରା(ଏନ୍‌ଏଲ୍‌ଏଫ୍‌ଟି)ର କେତେକ ସନ୍ଦିଗ୍ଧ ଉଗ୍ରପନ୍ଥୀ ଓ ବିଏସ୍‌ଏଫ୍‌ ଯବାନ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିବା ଜଣାପଡ଼ିଛି। ଶହୀଦ ଯବାନ ଜଣଙ୍କ ହେଲେ ବିଏସ୍‌ଏଫ୍‌ର ୧୪୫ତମ ବାଟାଲିୟନର ୫୩ବର୍ଷୀୟ ମୁଖ୍ୟ କନଷ୍ଟେବଳ ଗିରିଜେଶ କୁମାର। ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ୮ଟା ୩୦ରେ କାଞ୍ଚନପୁର ସବ୍‌ଡିଭିଜନର ସୀମା-୨ ଆଉଟ୍‌ପୋଷ୍ଟ ଅଞ୍ଚଳରେ ଏକ ବିଏସ୍‌ଏଫ୍‌ ଟିମ୍‌ ଅପରେଶନରେ ଥିବା ବେଳେ ବାଂଲାଦେଶ ପାର୍ଶ୍ୱରୁ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ବାଂଲାଦେଶର ରଙ୍ଗମତିି ପର୍ବତୀୟ ଜିଲାର ଜୁପୁଇ ଅଞ୍ଚଳରୁ ସଶସ୍ତ୍ର କେତେକ ଉଗ୍ରପନ୍ଥୀ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପ୍ରତି ଜବାବରେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ। ଏହି ଗୁଳିବିନିମୟରେ ଜଣେ ଯବାନ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଅଗରତାଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଏହି ଘଟଣା ପରେ ଭାରତ-ବାଂଲାଦେଶ ସୀମାରେ ସୁରକ୍ଷାକୁ ଆହୁରି ବୃଦ୍ଧି କରାଯିବା ସହ ଏହି ଅଞ୍ଚଳରେ ଅପରେଶନକୁ ଜୋରଦାର କରାଯାଇଛି। ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସୀମା ସୁରକ୍ଷା ବାଂଲାଦେଶ(ବିଜିବି) ସହ ଆଲୋଚନା କରାଯିବ ବୋଲି ଏସ୍‌ପି କିରଣ କୁମାର କହିଛନ୍ତି।

Share