ବିଏସ୍‌ଏଫ୍‌ ପକ୍ଷରୁ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ, ଡଗ୍‌ ଶୋ

ଜୟପୁର ୨୭।୪(ନି. ପ୍ର.): ଦେଶର ସୁରକ୍ଷା ନେଇ ବ୍ୟବହୃତ ହେଉଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ର ସମ୍ପର୍କରେ ଜ୍ଞାନ ଆହରଣ ଲାଗି କୋରାପୁଟ ବିଏସ୍‌ଏଫ୍‌ ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ସହ ଡଗ୍‌ ଶୋ। ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଜୟପୁର ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟରେ ଅସ୍ତ୍ରଶସ୍ତ୍ର ସହ ଦେଶର ସୁରକ୍ଷା ପାଇଁ ଆବଶ୍ୟକ ସ୍ବତନ୍ତ୍ର ଉପକରଣ ଯନ୍ତ୍ରପାତି ପ୍ରଦର୍ଶନ କରାଯାଇଥିଲା। ଏଥିରେ ଛୋଟ ଯୁଦ୍ଧ ହତିଆର, ଆସଲ୍‌ଟ ରାଇଫଲ, ହେଣ୍ଡ ଗ୍ରେନେଡ, ଅଣ୍ଡର ବେରଲ ଗ୍ରେନେଡ ଲଞ୍ଚର, ମୋର୍ଟସ, ଲାଇଟ ମେଶିନ ଗନସ, ମିଡିୟମ ମେଶିନ ଗନ୍‌ସ, ହ୍ୟାଣ୍ଡ ହେଲ୍‌ଡ ମେଟଲ ଡିଟେକଟର, ଥର୍ମାଲ ଇମେଜିଂ ଡିଭାଇସ, ଲାଇଟ ଭିଜନ ଇକ୍ୟୁପମେଣ୍ଟ ଆଦି ପ୍ରଦର୍ଶନ ହୋଇଥିଲା। ଏହି ଅବସରରେ କଲେଜ ପରିସରରେ ଏକ ଡଗ୍‌ ଶୋ ମଧ୍ୟ ଆୟୋଜିତ ହୋଇଥିଲା। ୫ଟି କୁକୁର ବିଭିନ୍ନ ରଣକୌଶଳ ପ୍ରଦର୍ଶନ କରିଥିଲେ। ବିଏସ୍‌ଏଫ୍‌ ଯବାନମାନେ କିପରି ଦେଶକୁ ସୁରକ୍ଷା ଦେଉଛନ୍ତି ଏବଂ କୁକୁରମାନଙ୍କୁ କିପରି ସିକ୍ୟୁରିଟି ଫୋର୍ସ ଭାବେ ତାଲିମ ମିଳିଛି ସେନେଇ ଛାତ୍ରୀଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ଓ ଡଗ୍‌ ଶୋ’ ଦ୍ୱାରା ଛାତ୍ରୀଛାତ୍ର ବିଏସ୍‌ଏଫ୍‌କୁ ନେଇ ଯେପରି ନିଜ କ୍ୟାରିୟର କରିପାରିବେ ସେନେଇ ବୁଝାଇଥିଲେ। କାର୍ଯ୍ୟକ୍ରମରେ ବିଏସ୍‌ଏଫ୍‌ ଡିଆଇଜି ମଦନ ଲାଲ, ୧୫୧ ବିଏସ୍‌ଏଫ୍‌ ବାଲାଲିୟନର କମାଣ୍ଡାଣ୍ଟ ଅଜୟ କୁମାର, ପ୍ରଥମ ଓଡ଼ଶା ଇନ୍‌ଫାଣ୍ଟ୍ରି କମ୍ପାନୀର କର୍ନେଲ ନବୀନ ପରାଶର, କଲେଜ ଅଧ୍ୟକ୍ଷ ଗୋପାଳ ହାଲ୍‌ଦାର, ଡିଆଇଜି ମଦନ ଲାଲ ପ୍ରମୁଖ ଉପସ୍ଥିତ ଥିଲେ।