ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ନିର୍ମମ ହତ୍ୟା: ୫୨ ଦିନ ପରେ ମାଟି ତଳୁ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୨୨।୧୧(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବଡ଼ଡୁମ୍ବୁଳା ପଞ୍ଚାୟତ ଛଣବଗଡ ଗାଁର ସାଇବାଣୀ ମଲ୍ଲିକ ନାମକ ଜଣେ ୭୦ ବର୍ଷୀୟା ଦିବ୍ୟାଙ୍ଗ ବୃଦ୍ଧାଙ୍କୁ ଡାହାଣୀ ସନ୍ଦେହରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସାଇବାଣୀଙ୍କ ଗଳିତ ମୃତଦେହକୁ ରବିବାର ସକାଳେ ଗାଁଠାରୁ ପ୍ରାୟ ୩ କିମି ଦୂର ଦୁର୍ଗମ ଜଙ୍ଗଲର ମାଟି ତଳୁ ପୋଲିସ ପକ୍ଷରୁ ଉଦ୍ଧାର ହୋଇଛି। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ଗତ ପ୍ରାୟ ୨ ବର୍ଷ ମଧ୍ୟରେ ଗାଁର କିଛି ପୁରୁଷ ଓ ମହିଳା ବିଭିନ୍ନ ରୋଗରେ ସଂକ୍ରମିତ ହୋଇ ମୃତ୍ୟୁ ଘଟିଥିବାରୁ ସାଇବାଣୀଙ୍କୁ ଲୋକେ ଡାହାଣୀ ସନ୍ଦେହ କରିଥିଲେ। ଅବିବାହିତା ସାଇବାଣୀ ଘରେ ସଦା ସର୍ବଦା ଦେବୀ ପୂଜା କରୁଥିବାରୁ ସେ ଜଣେ ଗୁଣିଆ ବୋଲି କିଛି ଗ୍ରାମବାସୀଙ୍କ ମନରେ ସନ୍ଦେହ ଆସିିଥିଲା। ଅକ୍ଟୋବର ୮ ତାରିଖରେ କିଛି ବ୍ୟକ୍ତି ପୂର୍ବ ଯୋଜନା ପ୍ରକାରେ ସାଇବାଣୀଙ୍କୁ ତାଙ୍କ ଘର ବାରି ପଟେ ତଣ୍ଟି ଚିପି ହତ୍ୟା କରିବାପରେ ଦୁର୍ଗମ ଜଙ୍ଗଲରେ ପୋତି ଦେଇଥିଲେ। ସାଇବାଣୀ ଗାଁରୁ ନିଖୋଜ ଥିବା ଶୁଣିୟ ଅକ୍ଟୋବର ୧୦ ତାରିଖରେ ପାଖ ଗାଁ ନୁଆବନ୍ଧ ପଲ୍ଲୀରେ ରହୁଥିବା ଝିଆରୀ ହେମଲତା ମଲ୍ଲିକ ଗାଁରେ ପହଞ୍ଚି ବହୁ ଖୋଜା ଖୋଜି କଲାପରେ ମଧ୍ୟ ତାଙ୍କ ସନ୍ଧାନ ନ ମିଳିବାରୁ ଏ ନେଇ ସେ ଥାନାରେ ଏତଲା ଦେଇଥିଲେ। ପୋଲିସ ଏତଲାକୁ ଭିତ୍ତିକରି ନିଖୋଜ ମାମଲା ଏମ୍‌ ଏମ୍‌ ସି ନଂ.୨୩/୨୦ ଅନୁଯାୟୀ ମକଦ୍ଦମା ରୁଜୁ କରିବାସହ ତଦନ୍ତ ଚଳାଇଥିଲେ। ସାଇବାଣୀଙ୍କୁ ଗୁଣିଆ ସନ୍ଦେହରେ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ ପୋଲିସକୁ ପକ୍କା ଖବର ମିଳିବା ସହ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଭୁବନେଶ୍ୱରର ସାଲିଆ ସାହି ଶ୍ରମିକ ବସ୍ତିରେ ରହୁଥିବା ପୋଲିସ ଜାଣିବାକୁ ପାଇଥିଲା। ଛଦ୍ମ ବେଶରେ ଭୁବନେଶ୍ୱରର ଉକ୍ତ ଶ୍ରମିକ ବସ୍ତିରେ ଚଢ଼ାଉ କରିଥିଲେ ମଧ୍ୟ ଅଭିଯୁକ୍ତ ଜଣକ ପୋଲିସକୁ ଚକମା ଦେଖାଇ ଖସି ଯାଇଥିଲେ। କିଛିଦିନ ବ୍ୟବଧାନର ଶନିବାର ସାରେ ପୋଲିସ କୌଶଳ କ୍ରମେ ଅଭିଯୁକ୍ତଙ୍କୁ କାବୁ କରିବା ପରେ ସେ ସମସ୍ତ ତଥ୍ୟ ଜଣାଇଥିଲେ। ମୁଖ୍ୟ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ପୋଲିସ କହିଛି।