ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର କାରବାରର ମୁଖ୍ୟ କିଙ୍ଗ୍‌ପିନ୍‌ ବାଲିଗୁଡ଼ା କଟାରୀ ସାହିର ରାଧେଶ୍ୟାମ କାର୍ଜି (୨୭)ଙ୍କୁ ୫୯ ନଂ. ଜାତୀୟ ରାଜପଥ ଗୋଇବନ୍ଧା ପୋଲ ନିକଟରୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ନିକଟରୁ ୬.୭ ଗ୍ରାମ ବ୍ରାଉନସୁଗାର, ୨୧ କେଜି ୧୦୦ ଗ୍ରାମ ଗଞ୍ଜେଇ ସମେତ ନଗଦ ୧୨ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଫୋନ ଜବତ କରିଛି ପୋଲିସ। ଜବତ ବ୍ରାଉନସୁଗାର ଓ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କାରୁ ଊଦ୍ଧର୍‌ବ ହେବ ବୋଲି ଆକଳନ କରାଯାଇଛି।
ସେପଟେ ବାଲିଗୁଡ଼ା ଅଞ୍ଚଳରେ ଦୀର୍ଘଦିନ ଧରି ରାଧେଶ୍ୟାମ ନୟାଗଡ଼ ଓ ଖୋର୍ଦ୍ଧା ଅଞ୍ଚଳରୁ ବ୍ରାଉନସୁଗାର ଆଣି ବାଲିଗୁଡ଼ା ଅଞ୍ଚଳରେ କାରବାର ଚଳାଇଥିବା ବେଳେ ବେଆଇନ ଗଞ୍ଜେଇ କାରବାର ମଧ୍ୟ କରୁଥିଲା। ପୂର୍ବରୁ ରାଧେଶ୍ୟାମ ଦୁଇଥର ଗିରଫ ହୋଇ ଜେଲ ଯାଇ ଫେରିଥିବାବେଳେ କିଛି ସହଯୋଗୀଙ୍କୁ ଧରି ଏବେ ମଧ୍ୟ ନିଶା କାରବାରକୁ ଜୋର୍‌ଦାର କରି ଚଳାଇଥିବା ଘଟଣା ବାଲିଗୁଡ଼ା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ସମୀର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇ ବାଲିଗୁଡ଼ା ଥାନାରେ କେସ୍‌ ନଂ ୨୧୫/୨୬ ରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ଆହୁରି ୫/୬ ଜଣ ସମ୍ପୃକ୍ତ ଥିବା ଘଟଣା ସାମ୍ନାକୁ ଆସିଛି। ଏନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଥିବା ବିଷୟ ଖବରଦାତା ସମ୍ମିଳନୀ ମାଧ୍ୟମରେ ବାଲିଗୁଡ଼ା ଏସ୍‌ଡିପିଓ ଶୁଭମ ଭୋସଲେ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share