ରାଉରକେଲା,୨୪।୫(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ଅନ୍ତର୍ଗତ ପ୍ଲାଣ୍ଟସାଇଟ୍ ଥାନା ଅଧୀନ ମୀନାପଡ଼ା ଅଞ୍ଚଳରେ ଚଢାଉ କରି ଏକ ବଡ଼ଧରଣର ବ୍ରାଉନସୁଗାର ନେଟୱର୍କ ଠାବ କରାଯାଇଛି। ଏହି ଘଟଣାରେ ୬ ମହିଳାଙ୍କ ସମେତ ୮ଜଣ ନିଶା ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମୀନାପଡ଼ା ଅଞ୍ଚଳର ଏମ୍ଡ଼ି ଇମ୍ରାନ୍ ଆଲମ୍, ଏମ୍ଡ଼ି ଆଲମ୍ ଏବଂ ଅନ୍ୟ ୬ଜଣ ମହିଳା। ସେମାନଙ୍କ ନିକଟରୁ ୨୨୦ ଗ୍ରାମ ବ୍ରାଉନସୁଗାର, ନଗଦ ୨,୭୦,୨୪୦ ଟଙ୍କା ଏବଂ ୩ଟି ମୋବାଇଲ ଫୋନ୍ ଜବତ ହୋଇଛି। ଜବତ ବ୍ରାଉନସୁଗାରର ବଜାର ଦର ପ୍ରାୟ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି। ଏମ୍ଡି ଇମ୍ରାନ୍ ଆଲମ୍ଙ୍କ ନାଁରେ ୨ଟି, ଏମ୍ଡ଼ି ଆଲମଙ୍କ ନାଁରେ ୨ଟି ଏବଂ ଅନ୍ୟ ଜଣେ ଅଭିଯୁକ୍ତ ମହିଳାଙ୍କ ନାଁରେ ଗୋଟିଏ ଆପରାଧିକ ମାମଲା ରହିଛି। ଅନ୍ୟମାନଙ୍କ ସମ୍ପର୍କରେ ତଦନ୍ତ ଜାରି ରହିଛି। ପୋଲିସ ଏକ ମାମଲା(ନଂ. ୫୩୮/୨୬) ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଏ ନେଇ ରାଉରକେଲା ଏସ୍ପି ନିତେଶ ୱାଧୱାନୀ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଏସ୍ପି ୱାଧୱାନୀ ସୂଚନା ଦେଇ କହିଥିଲେ, ଚଳିତ ବର୍ଷର ଏହା ବଡ଼ଧରଣର ଚଢ଼ାଉ। ଗତବର୍ଷ ମଧ୍ୟ ଏହି ଅଞ୍ଚଳଗୁଡ଼ିକରେ ଧରପଗଡ଼ କରାଯାଇ ବ୍ୟାପକ ଡ୍ରଗ୍ସ ଜବତ ହୋଇଥିଲା। ଗୋଇନ୍ଦା ବିଭାଗକୁ ମିଳିଥିବା ସୂଚନାକୁ ଆଧାର କରି ଉକ୍ତ ଚଢ଼ାଉ କରାଯାଇଥିଲା। ବିଶେଷ କରି ଉକ୍ତ ବେପାରୀମାନେ ଯୁବବର୍ଗ ଓ ସ୍କୁଲ ଛାତ୍ରୀଛାତ୍ରଙ୍କୁ ଟାର୍ଗେଟ କରୁଥିଲେ। ସେମାନେ ବିଭିନ୍ନ ସ୍ଥାନକୁ ଡ୍ରଗ୍ସ ଚାଲାଣ କରୁଥିଲେ। ଏହା କେବଳ ସ୍ଥାନୀୟ ସମସ୍ୟା ନୁହେଁ ବରଂ ସମଗ୍ର ଦେଶରେ ଏହି ପରିସ୍ଥିତି ରହିଛି। ଏହି ମାମଲାରେ ଅଧିକ ଗିରଫଦାରି ହେବ।
ଅନେକ ତଥ୍ୟକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏହା ଆନ୍ତଃରାଜ୍ୟ ର଼୍ୟାକେଟ ବୋଲି ସନ୍ଦେହ କରାଯାଉଛି। ଅଭିଯୁକ୍ତମାନଙ୍କ ଘରକୁ ଉଚ୍ଛେଦ କରାଯିବ। ଏଥିପାଇଁ ରାଉରକେଲା ଏଡ଼ିଏମ୍ ଏବଂ ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯିବ। ଏପରିକି ଅଭିଯୁକ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି କହିଛନ୍ତି।