ଭାଇଚାରା: ପାହାଡ଼ ଚଢ଼ି ଦେବବେଦୀଙ୍କ ମୂର୍ତ୍ତି ମନ୍ଦିରରେ ପହଞ୍ଚାଇଲେ ମୁସଲମାନ…

ନୂଆଦିଲ୍ଲୀ, ୬।୮ : ଜମ୍ମୁ-କଶ୍ମୀରର ଡୋଡାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ମୁସଲମାନ ଲୋକମାନେ ମଧ୍ୟ ୭୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଦେବବେଦୀଙ୍କ ମୂର୍ତ୍ତିଗୁଡ଼ିକୁ ପାହାଡ଼ ଚଢ଼ି ମନ୍ଦିରରେ ପହଞ୍ଚାଇବାକୁ ଆଗେଇ ଆସିଥିଲେ। ସୂଚନାନୁସାରେ, ମୁସଲମାନମାନେ ହିନ୍ଦୁ ଧର୍ମର ଲୋକଙ୍କ ସହ ମିଳିମିଶି ପାହାଡ଼ ଚଢ଼ି ମୂର୍ତ୍ତିଗୁଡ଼ିକୁ ମନ୍ଦିରକୁ ନେଇଥିଲେ।

ଭଦ୍ରଓ୍ବାହ-ଡୋଡା ରାଜପଥଠାରୁ ତିନି କିଲୋମିଟର ଦୂରରେ ଥିବା ଏକ ପାହାଡ ଉପରେ ଅବସ୍ଥିତ କୁରସାରୀରେ ଥିବା ଶିବ ମନ୍ଦିର ଅଞ୍ଚଳରେ ଏଭଳି ଭାଇଚାରାର ଉଦାହରଣ ଦେଖିବାକ ମିଳିଛି। ଏହି ମନ୍ଦିରର ପୁନରୁଦ୍ଧାର ପାଇଁ ରାଜସ୍ଥାନରୁ ୫୦୦ କିଲୋଗ୍ରାମରୁ ୭୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଏବଂ ଗ୍ରାନାଇଟରେ ନିର୍ମିତ ୬ଟି ପ୍ରତିମା କ୍ରୟ କରାଯାଇଥିଲା। ଶିବ ମନ୍ଦିର କମିଟି ଅନୁଯାୟୀ ଏହି ରାସ୍ତା ନ ଥିବାରୁ ମୂର୍ତ୍ତି ପରିବହନ କରିବା ଏକ କଷ୍ଟସାଧ୍ୟ କାର୍ଯ୍ୟ ଥିଲା।

ଅସୁବିଧାକୁ ଅନୁଭବ କରି କୁରସରୀ ପଞ୍ଚାୟତର ସରପଞ୍ଚ ସାଜିଦ ମୀର କେବଳ ସଡକ ନିର୍ମାଣ ପାଇଁ ୪.୬ ଲକ୍ଷ ଟଙ୍କା ଆବଣ୍ଟନ କରିବା ସହ ତାଙ୍କ ସମ୍ପ୍ରଦାୟର ୧୫୦ ଗ୍ରାମବାସୀଙ୍କୁ ମଧ୍ୟ ସାହାଯ୍ୟ କରିବାକୁ କହିଥିଲେ। ପିଟିଆଇ ସହ କଥାବାର୍ତ୍ତା କରି ମୀର କହିଛନ୍ତି, ଏହା ଆମର ସଂସ୍କୃତି ଏବଂ ଏହା ଆମର ମୂଲ୍ୟବୋଧ ଯାହାର ଆମେ ଉତ୍ତରାଧିକାରୀ ହୋଇଛୁ। ସେଥିପାଇଁ ଯେଉଁମାନେ ଧର୍ମ ଆଧାରରେ ଆମକୁ ବିଭାଜନ କରିବାକୁ ଚେଷ୍ଟା କରୁଛନ୍ତି ସେମାନଙ୍କର ଷଡ଼ଯନ୍ତ୍ରର ଆମେ ଶିକାର ହୋଇ ନାହୁଁ। ଆଜି ଆମେ ପୁଣି ଦେଖାଇଛୁ ଯେ ଆମେ ଏକଜୁଟ।

ଚାରି ଦିନ ମଧ୍ୟରେ, ଉଭୟ ସମ୍ପ୍ରଦାୟର ଲୋକମାନେ ମୂର୍ତ୍ତିଗୁଡ଼ିକୁ ମନ୍ଦିରକୁ ଆଣିବା ପାଇଁ ମେସିନ ଏବଂ ଦଉଡି ବ୍ୟବହାର କରିଥିଲେ। ଅଗଷ୍ଟ ୯ରେ ଏକ ଧାର୍ମିକ ସମାରୋହରେ ମୂର୍ତ୍ତିଗୁଡ଼ିକର ସ୍ଥାପନ କରାଯିବ ବୋଲି ମୀର କହିଛନ୍ତି। ଆମେ ଆମର କାର୍ଯ୍ୟ ପାଇଁ ଉତ୍ସାହିତ। ସେନାର ସ୍ଥାନୀୟ ୟୁନିଟ, ସଡକ ନିର୍ମାଣକାରୀ କମ୍ପାନୀ ଏବଂ ନାଗରିକ ପ୍ରଶାସନ ମଧ୍ୟ ଆଗକୁ ଆସି ସେମାନଙ୍କର ସମ୍ପୂର୍ଣ୍ଣ ସହଯୋଗ କରିଥିବା ସେ କହିଛନ୍ତି। ଶିବ ମନ୍ଦିର କମିଟି ମୁସଲିମ ପଡ଼ୋଶୀମାନଙ୍କୁ ସେମାନଙ୍କର କାର୍ଯ୍ୟ ଏବଂ ଉତ୍ସାହ ପାଇଁ ପ୍ରଶଂସା କରିଛନ୍ତି। ମନ୍ଦିର କମିଟିର ଅଧ୍ୟକ୍ଷ ରବିନ୍ଦର ପରଦୀପ କହିଛନ୍ତି, ଆମ ପଡ଼ୋଶୀମାନଙ୍କ ପ୍ରେମ ଏବଂ ସ୍ନେହ, ଯାହା ଆମକୁ ଶକ୍ତି ଦେଇଥିଲା, ଏହା ଅତ୍ୟନ୍ତ ଉତ୍ସାହଜନକ। ମୂର୍ତ୍ତିଗୁଡ଼ିକର ପରିବହନ ପରିଚାଳନା ପାଇଁ ଆମେ ଗତ ଚାରି ଦିନ ମଧ୍ୟରେ କଠିନ ପରିଶ୍ରମ କରିଥିଲୁ, ଯାହା ଏକ ସମୟରେ ଏକ ଅସମ୍ଭବ କାର୍ଯ୍ୟ ପରି ମନେହୋଇଥିଲା। ମାତ୍ର ଭାଇଚାରା ଦ୍ୱାରା ଏହା ସମ୍ଭବ ହୋଇଥିଲା।

Share