ଭାଇଚାରା: ଆଗ୍ରାର ମୁସଲମାନ ପରିବାର ତିଆରି କରୁଛନ୍ତି ଦଶହରା ଲାଗି ରାବଣ ମୂର୍ତ୍ତି…

ଆଗ୍ରା, ୨୫।୯ : ଆଗ୍ରାର ଐତିହାସିକ ରାମଲୀଳାରେ ହିନ୍ଦୁ-ମୁସଲମାନ ଏକତାର ବାର୍ତ୍ତା ଏକ ଉଦାହରଣ ସୃଷ୍ଟି କରୁଛି। ଆଗ୍ରା ରେ, ରାବଣ ଏବଂ ତାଙ୍କ ପରିବାର ସଦସ୍ୟଙ୍କର ମୂର୍ତ୍ତିଗୁଡ଼ିକ ମଥୁରାର କୋସି କଳାର ମୁସଲମାନ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି। ଚଳିତ ଥର ଆଗ୍ରା ଦୁର୍ଗ ନିକଟ ରାମଲୀଳା ମୈଦାନରେ ୧୦୦ ଫୁଟର ରାବଣ ମୂର୍ତ୍ତି ତିଆରି ଜାରି ରହିଛି। ଗତ ଏହା ୨୫ ଦିନ ଧରି ୫ କାରିଗର ମୂର୍ତ୍ତି ତିଆରି କରିବାରେ ନିୟୋଜିତ ଅଛନ୍ତି। ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଥଙ୍କ ମୂର୍ତ୍ତି ପାଇଁ ୨୦,୦୦୫ ବାଉଁଶ, ଗୋଟିଏ କ୍ୱିଣ୍ଟାଲ କାଗଜ ସହିତ ୫୦ କିଲୋଗ୍ରାମ ସୂତା ଏବଂ ଅନ୍ୟାନ୍ୟ ଜିନିଷ ଲାଗିବ।

ଶ୍ରୀ ରାମଲୀଳା କମିଟିର ଉପାଧ୍ୟକ୍ଷ ଆନନ୍ଦ ମଙ୍ଗଲ କହିଛନ୍ତି ଯେ, ଏଠାରେ ଭାଇଚାରାର ଉଦାହରଣ ଦେଖିବାକୁ ମିଳିଥାଏ। ଉଭୟ ହିନ୍ଦୁ ଏବଂ ମୁସଲମାନ ଦଶହରାରେ ପାରସ୍ପରିକ ସହଯୋଗରେ ଉତ୍ସବକୁ ପାଳନ କରିଥାନ୍ତି।

ମଥୁରାର କୋସି ନିବାସୀ ଜାଫର ଅଲି କୁହନ୍ତି ଯେ ପୂର୍ବରୁ ଆମର ପିତୃପୁରୁଷମାନେ ରାବଣ ଏବଂ କୁମ୍ଭକର୍ଣ୍ଣଙ୍କର ମୂର୍ତ୍ତି ତିଆରି କରୁଥିଲେ। ବର୍ତ୍ତମାନ ଆମେ କରୁଛୁ । ଆମେ ପ୍ରାୟ ୧୩୫ ବର୍ଷ ଧରି ପିଢ଼ି ପରେ ପିଢ଼ି ଏହା କରୁଛୁ। ବର୍ଷା ଲାଗି ରହିଛି,ତେଣୁ ମୂର୍ତ୍ତି ତିଆରି କରିବାରେ ସମସ୍ୟା ହେଉଛି। ଏପଟେ ଦଶହରା ମଧ୍ୟ ପାଖେଇ ଆସୁଛି। ଶୀଘ୍ର ଆମେ ଅଧିକ କାରିଗର ଯୋଗାଡ଼ କରି ଧାର୍ଯ୍ୟ ଦିନ ପୂର୍ବରୁ କାମ ଶେଷ କରିବୁ। ଆମ ପାଇଁ ଉଭୟ ହିନ୍ଦୁ ଏବଂ ମୁସଲମାନ ଧର୍ମ ସମାନ। ଯେପରି ଆମ ପାଇଁ ଆଲ୍ଲା ଅଛନ୍ତିି, ସେହିପରି ଆମ ପାଇଁ ରାମ ମଧ୍ୟ ଅଛନ୍ତି। କାରଣ, ଏଠାରେ କାମ କରି ଆମେ ରୋଜଗାର ପାଇଥାଉ, ଯେଉଁ କାରଣରୁ ଆମ ଘରର ଚୁଲି ଜଳେ। ତେଣୁ ଏହା ଆମ ପାଇଁ ଭାଇଚାରା ଛଡ଼ା ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ।

Share