ଶାଳୀଙ୍କ ନିର୍ବନ୍ଧ ଭୋଜିକୁ ଯାଇଥିଲେ: ଦୁର୍ଘଟଣାରେ ଚାଲିଗଲା ଭିଣୋଇଙ୍କ ଜୀବନ

ଦିଗପହଣ୍ଡି,୨୯।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମଠାରୁ ପଳାସପୁର ରାସ୍ତା ସିଙ୍ଗପୁର ଗ୍ରାମ ମା’ତାରିଣୀ ମନ୍ଦିର ନିକଟରେ ରବିବାର ସାରେ ଏକ ଦୁର୍ଘଟଣା ଘଟିଛି। ଏକ ବାଇକ୍‌ ଭାରସାମ୍ୟ ହରାଇ କଲଭର୍ଟକୁ ଧକ୍କା ଦେବା ଫଳରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶେରଗଡ଼ ବ୍ଲକ ମଛାକୋଟ ଗ୍ରାମର ସୀମାଞ୍ଚଳ ପ୍ରଧାନ(୩୫) ବୋଲି ପାଟପୁର ପୋଲିସ ଚିହ୍ନଟ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ସୀମାଞ୍ଚଳ ତାଙ୍କ ଶାଳୀଙ୍କ ନିର୍ବନ୍ଧ ଭୋଜିକୁ ଆଦିକନ୍ଦପୁର ଗ୍ରାମକୁ ଆସିଥିଲେ। କୌଣସି କାମରେ ବାଇକ୍‌ (ନଂ. ଓଆର୍‌୦୭ ଡବ୍ଲ୍ୟୁ-୪୯୬୧) ଯୋଗେ ଡେଙ୍ଗାଓସ୍ତା ଗ୍ରାମକୁ ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ରାସ୍ତାକଡ କଲଭର୍ଟକୁ ଧକ୍କା ଦେଇ ବାଇକ ସହ ରାସ୍ତା ଉପରେ ଛିଟକି ପଡ଼ିଥିଲେ।

ଏନେଇ ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ପାଟପୁର ଥାନା ପୋଡ଼ାମାରି ଫାଣ୍ଡିକୁ ଖବର ଦେଇଥିଲେ। ପୋଲିସ ଟିମ୍‌ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ଏତଲା ପରେ ପାଟପୁର ପୋଲିସ ଏକ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି।

Share