ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ ମୁଣ୍ଡା(୩୦)। ଘଟଣାରେ ପୋଲିସ ଅଭିଯୁକ୍ତ ଶାଳକ ଅଜୟ ତିରିଆଙ୍କୁ ଗିରଫ କରି ତଦନ୍ତ କରୁଛି।
ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ରାତିରେ ବନମାଳୀ କୌଣସି ଏକ ଭୋଜିରୁ ଫେରି ଶୋଇଥିବା ଅବସ୍ଥାରେ ସ୍ତ୍ରୀ ଶୁକମତିଙ୍କୁ ଆକ୍ରମଣ କରି ଘରୁ ପଳାଇଯାଇଥିଲେ। ୨ ଦିନ ପରେ ଘରକୁ ଫେରିବାରୁ ସ୍ତ୍ରୀ ଶୁକମତି ନିଜ ମା’ ସରସ୍ବତୀ ତିରିଆ ଓ ଭାଇ ଅଜୟଙ୍କୁ ଖବର ଦେଇଥିଲେ। ଶୁକ୍ରବାର ରାତିରେ ଉଭୟ ଶୁକମତିଙ୍କ ମା’ ଓ ଭାଇ ଅର୍ଥାତ୍‌ ବନମାଳୀଙ୍କ ଶାଶୁ ଓ ଶାଳକ ବୁରୁସାହିରେ ପହଞ୍ଚତ୍ ବୁଝାଶୁଝା କରୁଥିଲେ। ଏହି ସମୟରେ ବନମାଳୀ ଓ ଶାଳକ ଅଜୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଠେଲାପେଲା ହୋଇଥିଲା। ଉତ୍ତ୍ୟକ୍ତ ହୋଇ ଅଜୟ ୨ ଚାପୁଡା ମାରିବାରୁ ବନମାଳୀ ଦୁଆର ବନ୍ଧରେ ପିଟିହୋଇ ତଳେ ପଡ଼ିଯାଇଥିଲେ। ଫଳରେ ବନମାଳୀଙ୍କ କାନରୁ ରକ୍ତସ୍ରାବ ହୋଇଥିଲେ ହେଁ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଇ ନ ଥିଲେ। ବିଳମ୍ବିତ ରାତି ପ୍ରାୟ ୩ ଟାରେ ବନମାଳୀଙ୍କ ମୃତ୍ୟୁ ଘଟିଥିଲା। ବନମାଳୀଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ଅଜୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଶନିବାର ସକାଳେ ଖବରପାଇ ପୋଲିସ ପହଞ୍ଚତ୍ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଥିଲା। ବଡ଼ବିଲ ଏସ୍‌ଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ ଘଟଣାସ୍ଥଳ ପରିଦର୍ଶନକରି କେନ୍ଦୁଝରରୁ ସାଇଣ୍ଟିଫିକ୍‌ ଟିମ୍‌ ଜରିଆରେ ତଦନ୍ତ କରିଥିଲେ। ଅଭିଯୁକ୍ତ ଅଜୟ ଚମ୍ପୁଆ ଥାନା ଅନ୍ତର୍ଗତ କୌଣସି ଏକ ସ୍ଥାନରେ ଲୁଚି ରହିଥିବା ସୂଚନା ପାଇ ପୋଲିସର ଏକ ଟିମ୍‌ ଅଜୟଙ୍କ ସନ୍ଧାନରେ ଯାଇ ଗିରଫ କରିବାକୁ ସକ୍ଷମ ହୋଇଛି। ବଡ଼ବିଲ ଏସ୍‌ଡିପିଓ ପିଙ୍ଗୁଆ କହିଛନ୍ତି, ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତଦନ୍ତକାରୀ ପୋଲିସ ଅଫିସର ବରଦା ପ୍ରସନ୍ନ ସାହୁ କହିଛନ୍ତି, ଏତଲା ଅନୁଯାୟୀ ହତ୍ୟା ମାମଲା( ନଂ. ୪୨୬/୨୦୨୬) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Dharitri – Odisha’s No.1 Odia Daily

Share