ସମ୍ପତ୍ତି ପାଇଁ ବଡ଼ ଭଉଣୀକୁ କଟୁରିରେ ହାଣିଲେ ଭାଇ

ଆଳି,୧୪ା୧୨(ଡି.ଏନ.ଏ.): ଯେଉଁ ହାତ ଭଉଣୀର ବିପଦ ସମୟରେ ସୁରକ୍ଷା ପାଇଁ ବଢି ଆସେ ସେହି ହାତ ମଙ୍ଗଳବାର ଭଉଣୀ ଜୀବନ ନେବାକୁ ଆଗକୁ ଆସିଥିଲା। ପାରିବାରିକ ସମ୍ପତ୍ତି ଭାଗ ବଣ୍ଟାକୁ ନେଇ ଭଉଣୀକୁ କଟୁରୀରେ ଭାଇର ଆକ୍ରମଣ ଘଟଣା ଏବେ ଚଞ୍ଚଲ୍ୟ ସୃଷ୍ଟି କରିଛି। ଭାଇ ଆକ୍ରମଣରେ ଭଉଣୀ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ଯାଇଥିବା ସୂଚନା ମିଳିଛି। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଅନ୍ତର୍ଗତ କଳସପୁର ପଞ୍ଚାୟତ ହରିଜନ ସାହିରେ।
ଗ୍ରାମର ନବୀନ ମଲ୍ଲିକଙ୍କ ପରିବାର କହିଲେ, ସ୍ତ୍ରୀ ସରସ୍ବତୀ, ବଡ଼ଝିଅ ମମତା ଓ ପୁଅ ବ୍ରହ୍ମାନନ୍ଦ ମଲ୍ଲିକ(ଟିମା )। ଭଉଣୀ ମମତା ସଙ୍ଗୀତ କଳାକାର ଭାବେ ଯାତ୍ରା ଓ ବ୍ରାସ ବ୍ୟାଣ୍ଡ ପାର୍ଟିରେ କାର୍ଯ୍ୟ କରିଥାନ୍ତି। ପ୍ରାୟ ୧୫ ବର୍ଷ ପୂର୍ବେ ସେ ବିବାହ କରିଥିଲେ। ପରେ ବିବାହ ବିଚ୍ଛେଦ ହେବାରୁ ମମତା ବାପ ଘରେ ରହୁଥିଲେ। ଅଧିକାଂଶ ସମୟ ମମତା ବାହାରେ ରୁହନ୍ତି। ତାଙ୍କ ଦୁଇପୁଅ ମଧ୍ୟ ବାହାରେ କାମ କରିଥାନ୍ତି। କିନ୍ତୁ ମମତା ଓ ତାଙ୍କ ଭାଇ ବ୍ରହ୍ମାନନ୍ଦ ମଧ୍ୟରେ କିଛିଦିନ ହେବ ସମ୍ପତ୍ତି ଭାଗବାଣ୍ଟକୁ ନେଇ ତିକ୍ତତା ଲାଗି ରହିଥିଲା। କିଛିଦିନ ପୂର୍ବ ପଞ୍ଚାୟତରେ ତାହା ସମାଧାନ ହୋଇଥିଲା। ପୁଣି ଏହି ତିକ୍ତତା ବୃଦ୍ଧି ହେବାରୁ ମାମଲା ଆଳି ଥାନାକୁ ଆସିଥିଲା। ଥାନାରେ ସୋମବାର ସକାଳେ ଘଟଣାର ସମାଧାନ ହେବା ପରେ ରାତିରେ ପଞ୍ଚାୟତର ମୁରବୀ ଶ୍ରେଣୀର ଲୋକମାନେ ପିତୃ ସମ୍ପତ୍ତିକୁ ଉଭୟଙ୍କ ମଧ୍ୟରେ ସମାନ ଢଙ୍ଗରେ ବାଣ୍ଟ କରିଥିଲେ। ମଙ୍ଗଳବାର ଅପରାହ୍ନ ୨ଟାରେ ମମତାଙ୍କୁ କଟୁରୀରେ ଭାଇ ବ୍ରହ୍ମାନନ୍ଦ ଅତର୍କିତ ଆକ୍ରମଣ କରିଥିଲେ। ମମତାଙ୍କୁ କଟୁରୀରେ ଆକ୍ରମଣ କରିବା ଦ୍ୱାରା ତାଙ୍କ ମୁଣ୍ଡ, ମୁହଁ, ହାତ, ବେକ ଆଦି ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା। ଖବରପାଇ କଳସପୁର ସରପଞ୍ଚ ସୁଧୀର ମଲ୍ଲିକ ମମତାଙ୍କୁ ବାଇକ୍‌ରେ ବସାଇ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଇ ଆସିଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ ତାଙ୍କର ପ୍ରାଥମିକ ଚିକିତ୍ସା କାରାଯାଇ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲ ପଠାଇ ଦିଆଯାଇଛି। ଏ ସମ୍ପର୍କରେ ଆଇଆଇସି ଦିଲୀପ ସାହୁଙ୍କୁ ପଚାରିବାରେ ଘଟଣାର ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି।