ଓଡ଼ିଶାରେ ରହି ରାଜ୍ୟ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଦଲାଲଙ୍କୁ ଜାତୀୟ ସୁରକ୍ଷା ଅଧିନିୟମରେ ଗିରଫ କରାଯାଉ: ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ

କୋରାପୁଟ, ୧୪।୧୦(ସ୍ବ.ପ୍ର.): ଓଡ଼ିଶାରେ ରହି ରାଜ୍ୟ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଦଲାଲମାନଙ୍କୁ ଜାତୀୟ ସୁରକ୍ଷା ଅଧିନିୟମରେ ଗିରଫ କରାଯାଉ ବୋଲି ଗୁରୁବାର ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା କୋରାପୁଟ ଜିଲା ବିଜେଡି ସଭାପତି ଇଂ. ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଦାବି କରିଛନ୍ତି। ଆନ୍ଧ୍ରପ୍ରଦେଶର ଅଧିକାରୀ ଓ ରାଜନେତାମାନଙ୍କ ବାରମ୍ବାର କୋଟିଆରେ ଅନୁପ୍ରବେଶକୁ ସେ ବିରୋଧ କରିଛନ୍ତି।
ଆନ୍ଧ୍ରପ୍ରଦେଶ ପାର୍ବତୀପୁରମ୍‌ ଆଇଟିଡିଏ ଅଧିକାରୀ ଓ କର୍ମଚାରୀ ବୁଧବାର କୋଟିଆରେ ଅନୁପ୍ରବେଶ କରିଥିଲେ। ଏହାକୁ ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ ଦୃଢ଼ ବିରୋଧ କରିବା ସହିତ ଅଧିକାରୀମାନଙ୍କୁ ଏଠାରୁ ତୁରନ୍ତ ଚାଲିଯିବାକୁ ତାଗିଦା କରିଥିଲେ। ଏହି ଘଟଣାକୁ ନେଇ ବିଧାୟକ ଓ ଅଧିକାରୀଙ୍କ ମଧ୍ୟରେ ବହୁ ସମୟ କଥା କଟାକଟି ହୋଇଥିଲା। ଓଡ଼ିଶା ମାଟିର ସୁରକ୍ଷା ଦାୟିତ୍ୱ ସମସ୍ତଙ୍କର। ଏହି ବିବାଦର ସମାଧାନ ନିମନ୍ତେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ପ୍ରକାଶ କରିଛନ୍ତି। ଓଡ଼ିଶା ସରକାର କୋଟିଆ ପଞ୍ଚାୟତର ଲୋକଙ୍କ କଲ୍ୟାଣ ସହିତ ଅଞ୍ଚଳର ବିକାଶ ପାଇଁ ଜୀବନଜୀବିକା କାର୍ଯ୍ୟକ୍ରମ, ଶିକ୍ଷା, ଗମନାଗମନ ଓ ବିଭିନ୍ନ ସାମାଜିକ ବିକାଶ ଯୋଜନା କରୁଛନ୍ତି। ଓଡ଼ିଶାରେ ରହି ରାଜ୍ୟ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଦଲାଲମାନଙ୍କୁ ଚିହ୍ନଟ କରାଯାଇ ଜାତୀୟ ସୁରକ୍ଷା ଅଧିନିୟମରେ ଗିରଫ କରିବାକୁ ସେ ଦାବି କରିଛନ୍ତି। ଯଦି ଗିରଫ କରାନଯାଏ, ତେବେ ଦଲାଲମାନଙ୍କ ଦ୍ୱାରା ଓଡ଼ିଶା ଲୋକେ ପ୍ରଭାବିତ ହୋଇ ଆନ୍ଧ୍ର ପ୍ରତି ଆକୃଷ୍ଟ ହେବାର ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି। ଆନ୍ଧ୍ର ଅଧିକାରୀ ଅନୁପ୍ରବେଶ କରି ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି। ଆନ୍ଧ୍ରକୁ ରାଜ୍ୟ ସରକାର ଉଚିତ ଜବାବ ଦେବେ ବୋଲି କୋରାପୁଟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ସୂଚନା ଦେଇଛନ୍ତି।