ପୁଣି ବଢୁଛି ଦଲାଲଙ୍କ ରାଜ୍‌

ଯାଜପୁର ଅଫିସ,୧୩ା୧: ଯାଜପୁର ଜିଲାର ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆରଟିଓ)ରେ ଚାଲିଥିବା ବ୍ୟାପକ ଦୁର୍ନୀତି ଏବଂ ଦଲାଲ୍‌ରାଜ ସମ୍ପର୍କରେ ବାରମ୍ବାର ଅଭିଯୋଗ ହୋଇଆସୁଛି। ଏଦିଗରେ ଜିଲା ପ୍ରଶାସନର ନିଦ ଭାଙ୍ଗୁନାହିଁ । ଏଠାରେ ସାଧାରଣ ଡ୍ରାଇଭିଂ ଲାଇସେନ୍ସଠାରୁ ଆରମ୍ଭ କରିି ଭାରିଯାନଗୁଡ଼ିକର ଫିଟ୍‌ନେସ ସାର୍ଟିଫିକେଟ, ଗାଡ଼ି ରେଜିଷ୍ଟ୍ରେଶନ(ବିନା ଗାଡ଼ିରେ) ଓ ଫି ଦାଖଲ ଇତ୍ୟାଦି କାମ ଏବେ ଦଲାଲଙ୍କ ସହାୟତା ବିନା ସମ୍ଭବ ହେଉନାହିଁ। ରାଜ୍ୟ ସରକାର ଦଲାଲ ହଟାଅ ଅଭିଯାନ ଚଳାଇଥିବାବେଳେ ଚଣ୍ଡିଖୋଲ ଆରଟିଓରେ ପୂର୍ବଭଳି ମୋଟର ଭେଇକିଲ ଇନ୍ସପେକ୍ଟର(ଏମ୍‌ଭିଆଇ) ଓ ସହକାରୀ ଏମ୍‌ଭିଆଇଙ୍କ ଛତ୍ରଛାୟା ତଳେ ରହି ଦଲାଲମାନେ କାମ କରୁଛନ୍ତି। ଚଣ୍ଡିଖୋଲର ଏକ କଲେଜରେ ଚତୁଥର୍ର୍ ଶ୍ରେଣୀ ପଦବୀରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଏମ୍‌ଭିଆଇଙ୍କ ଗାଡ଼ି ଚଳେଇବାଠୁ ଆରମ୍ଭ କରି ବଟି ଆଦାୟରେ ସହଯୋଗ କରୁଥିବା ଅଭିଯୋଗ ହୋଇଛି। ଗାଡ଼ି ଫିଟନେସ ଟେଷ୍ଟ ଆଳରେ ଏହି ଦଲାଲ ବେଆଇନ ଭାବେ ପ୍ରତି ଗାଡ଼ି ପିଛା ୧୦୦୦ ଟଙ୍କା ଲେଖାଏଁ ଅର୍ଥ ଆଦାୟ କରି ମାଲିକମାନଙ୍କୁ ହଇରାଣ କରୁଥିବା ଚର୍ଚ୍ଚା ହେଉଛି। ଏପରିକି ଡ୍ରାଇଭିଂ ଲାଇସେନ୍ସ ପରୀକ୍ଷା ସମୟରେ ମୋଟା ଅଙ୍କର ଅର୍ଥ ଦାବି କରି ପ୍ରଥମେ ଟେଷ୍ଟରେ ଫେଲ କରାଯାଇ ପରେ ସେମାନଙ୍କୁ ପାସ୍‌ କରାଇଥାନ୍ତି। ଫଳରେ ଲୋକମାନେ ବାଧ୍ୟ ହୋଇ ଅଧିକ ଅର୍ଥ ଦେଉଥିବା ଅଭିଯୋଗ ହୋଇଛି। ଏପରିକି ସେଠାରେ ବିନା ଟ୍ରାଏଲ ଦେଇ ମଧ୍ୟ ଦଲାଲଙ୍କ ସହାୟତାରେ ଲାଞ୍ଚଦେଇ ଯେ କୌଣସି ବ୍ୟକ୍ତି ଅନାୟାସରେ ଡ୍ରାଇଭିଂ ଲାଇସେନ୍ସ ପାଇବାରେ ସକ୍ଷମ ହେଉଛନ୍ତି । ଆହୁରି ମଧ୍ୟ ଲାଇସେନ୍ସ ପାଇଁ ଆବଶ୍ୟକ ମେଡ଼ିକାଲ ଫିଟନେସ ସାର୍ଟିଫିକେଟ ମଧ୍ୟ ଡାକ୍ତର ଦସ୍ତଗତ ତଥା ସିଲ ଓ ମୋହର ଜାଲ କରି ପ୍ରଦାନ କରାଯାଇଥିବାରୁ ମେଡିକାଲ ଫିଟନେସ ନ ଥିବା ଅନଭିଜ୍ଞ ଗାଡ଼ି ଚାଳକଙ୍କ ସଂଖ୍ୟା ଯାଜପୁର ଜିଲାରେ ବୃଦ୍ଧି ପାଉଥିବାବେଳେ ସେହି ଅନୁସାରେ ଦୁର୍ଘଟଣା ଉଦ୍‌ବେଗ ଜନକ ହୋଇଛି। ବିନା ରୋଡ ପର୍‌ମିଟ ଓ ଏଣ୍ଟ୍ରି ରିସିଭ ନ ଥାଇ ମଧ୍ୟ ସେଠାରେ ଅବାଧରେ ରାସ୍ତାଗୁଡିକରେ ଗାଡ଼ି ସବୁ ଚଳାଚଳ କରୁଥିବାବେଳେ ପରିବହନ ବିଭାଗ ଅଧିକାରୀଙ୍କ କର୍ମକର୍ତ୍ତାମାନେ ଦଲାଲଙ୍କ ସହ ହାତ ମିଳାଇ ସବୁ ଜାଣି ନ ଜାଣିଲା ପରି ଚୁପ ହୋଇ ବସିଛନ୍ତି ବୋଲି ଅଭିଯୋଗ ହୋଇଛି। ଯେକୌଣସି ଚେକିଂ ସମୟରେ ଗାଡ଼ି ଓ ଡ୍ରାଇଭର ଉପଲବ୍ଧ ଥିବା ସତ୍ତ୍ବେ ଉକ୍ତ ବେସରକାରୀ କର୍ମଚାରୀ ସାଙ୍ଗରେ ନ ଗଲେ ଏମ୍‌ଭିଆଇ ଏବଂ ଆସିଷ୍ଟାଣ୍ଟ ଏମ୍‌ଭିଆଇ ଡ୍ୟୁଟି ଯାଉ ନାହାନ୍ତି। କେଉଁ ଗାଡିରୁ କେତେ ଟଙ୍କା ଆଦାୟ କରାଯିବ ତାହା ସେହି ବେସରକାରୀ କର୍ମଚାରୀ ନିର୍ଦ୍ଧାରଣ କରୁଛନ୍ତି। ଆରଟିଓ ଅଫିସରେ କିମ୍ବା ଟ୍ରାକ୍‌ରେ ଦଲାଲମାନଙ୍କର ହସ୍ତକ୍ଷେପକୁ ସରକାରୀ କଡାକଡି ଭାବେ ମନା କରିଥିବାବେଳେ ଚଣ୍ଡିଖୋଲ ଆରଟିଓରେ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ। ଅଫିସ ଓ ଟ୍ରାକ୍‌ର ସିସିଟିଭି ଫୁଟେଜ ଯାଞ୍ଚ କଲେ ସତ୍ୟାସତ୍ୟ ପଦାକୁ ଆସି ପାରିବ ବୋଲି ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ଚଣ୍ଡିଖୋଲ ଆରଟିଓ ସମ୍ବିତ କୁମାରଙ୍କ ମତାମତ ନେବାକୁ ବୁଧବାର ସନ୍ଧ୍ୟାରେ ଯୋଗାଯୋଗ କରିଥିଲେ ହେଁ ସେ ଫୋନ କଲ ଗ୍ରହଣ କରି ନ ଥିଲେ।