ଦାନବାକ୍ସ ଭାଙ୍ଗି ନେଇଗଲେ ଟଙ୍କା

ବିନିକା, ୨୩ା୧୦(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା କପିଳେଶ୍ୱର ମନ୍ଦିରରେ ଥିବା ୩ ଦାନବାକ୍ସ ଭାଙ୍ଗି କେତେକ ଦୁର୍ବୃତ୍ତ ଲୁଟ୍‌ପାଟ୍‌ କରିଥିବା ବିନିକା ଥାନାରେ ଅଭିଯୋଗ ହୋଇଛି। ରବିବାର ଅନୁସନ୍ଧାନକାରୀ କୁକୁର ସହାୟତାରେ ପୋଲିସ ଘଟଣାର ତନାଘନା ଚଳାଇଥିଲେ ହେଁ ଚୋରଙ୍କ ପତ୍ତା ପାଇ ପାରିନାହିଁ।

ସିସି ଟିଭି ଫୁଟେଜରୁ ମିଳିଥିବା ତଥ୍ୟ ଅନୁସାରେ ଶନିବାର ବିଳମ୍ବିତ ରାତିରେ ୩ଜଣ ମୁଖାପିନ୍ଧା ବ୍ୟକ୍ତି ମନ୍ଦିର ପଛ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ସେଠାରୁ ସିଂହଦ୍ୱାର, ମହାଦେବ ବାବାଙ୍କ ସମ୍ମୁଖ ଓ ଚରଦେଇ ମନ୍ଦିର ସମ୍ଭୁଖରେ ଥିବା ଦାନବାକ୍ସକୁ ଭାଙ୍ଗି ସେଥିରେ ଥିବା ଟଙ୍କା ଚୋରି କରି ନେଇଛନ୍ତି । ଟ୍ରଷ୍ଟ ବୋର୍ଡ ସଭାପତିଙ୍କଠାରୁ ଖବର ପାଇ ବିନିକା ଥାନା ଅଧିକାରୀ ପବିତ୍ର ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ ସୋନପୁର ଏସ୍‌ଡିପିଓ ପୁଷ୍ପାଞ୍ଜଳି ମିଙ୍ଗ ଅନୁସନ୍ଧାନକାରୀ କୁକୁର ସହାୟତାରେ ତଦନ୍ତ କରିଥିଲେ। କୁକୁର ପ୍ରଥମେ ମହାପ୍ରଭୁଙ୍କ ରୋଷେଇ ଶାଳା, ପାର୍ବତୀ ମନ୍ଦିର ପଛପଟ ବାବାମଠ, ବାମ୍ପି ରାସ୍ତାଦେଇ ଚାଷ ଜମିରେ ଶନିଶ୍ଚର ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା। ୨୦୧୧ରେ ମଧ୍ୟ ଏହି ମନ୍ଦିରରୁ ସୁନା ଅଳଙ୍କାର ଚୋରି ହୋଇଥିଲା। ଅଦ୍ୟାବଧି ଚୋର ଧରା ପଡିନାହିଁ କି, ଚୋରି ସାମଗ୍ରୀ ଉଦ୍ଧାର ହୋଇନାହିଁ।