ବ୍ରିଟେନ୍‌ ଲୋକେ ୟୁକ୍ରେନ୍‌ ଶରଣାର୍ଥୀଙ୍କୁ ଘରେ ଦେବେ ଆଶ୍ରୟ, ସରକାର ଆରମ୍ଭ କଲେ ଯୋଜନା…

ଲଣ୍ଡନ, ୨୭।୩ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବାଠାରୁ ଏପର୍ଯ୍ୟନ୍ତ ପ୍ରାୟ ୩୦ ଲକ୍ଷରୁ ଅଧିକ ଲୋକ ଜୀବନ ଭୟରେ ଭିଟ।ମାଟି ଛାଡ଼ି ପଳାୟନ କରିଛନ୍ତି। ୟୁକ୍ରେନ୍‌ ଶରାଣାର୍ଥୀଙ୍କୁ ଆଶ୍ରୟ ଦେବା ପାଇଁ ବ୍ରିଟେନ ସରକାରଙ୍କ ପକ୍ଷରୁ ‘ହୋମ ଫର ୟୁକ୍ରେନ‘ ନାମକ ଏକ ଯୋଜନା ଆରମ୍ଭ କରାଯାଇଛି।

ଏହି ଯୋଜନା ଅନ୍ତର୍ଗତ ବ୍ରିଟେନ୍‌ ଲୋକେ ସେମାନଙ୍କ ଘରେ ୬ ମାସ ପାଇଁ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇପାରିବେ। ଏହି ଯୋଜନା ଆରମ୍ଭ ହେବାର ଗୋଟିଏ ସପ୍ତାହ ମଧ୍ୟରେ ୧.୫ ଲକ୍ଷରୁ ଅଧିକ ବିଟ୍ରେନ୍‌ ଲୋକେ ଏହି ଅଫର ଶରଣାର୍ଥୀଙ୍କୁ ଦେଇଛନ୍ତି। ଏହି ଯୋଜନାରେ କେବଳ ଗୋଟିଏ ଉଦ୍ଦେଶ୍ୟ ଅଛି, ୟୁକ୍ରେନରୁ ବିସ୍ଥାପିତ ଲୋକଙ୍କୁ ନିରାପଦ ସ୍ଥାନ ଯୋଗାଇବା। ତେବେ ୧୬ ଟି ଶରଣାର୍ଥୀ ସଂଗଠନ ଏବଂ ମାନବ ଚୋରା ଚାଲାଣ ବିରୋଧୀ ସଂଗଠନ ଏହି ଯୋଜନାକୁ ନେଇ ଚେତାବନୀ ଦେଇଛନ୍ତି।

ବ୍ରିଟେନର କମ୍ୟୁନିଟି ସଚିବଙ୍କୁ ଲେଖିଥିବା ଏକ ଚିଠିରେ କୁହାଯାଇଛି ଯେ ଏହି ଯୋଜନା ଯୌନ ବେପାରୀଙ୍କ ପାଇଁ ଏକ ସୁଯୋଗ ବୋଲି ପ୍ରମାଣ କରୁଛି। ଅପରାଧୀମାନେ ମହିଳା ଓ ଶିଶୁମାନଙ୍କୁ ଏହି ଯୋଜନା ମାଧ୍ୟମରେ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଏହି ସଂସ୍ଥାଗୁଡ଼ିକ କହିଛନ୍ତି ଯେ ଏହି ଯୋଜନା ଟିଣ୍ଡର ଆପ ପରି ହୋଇଛି ଯେଉଁଠାରେ ଲୋକମାନେ ଆଶ୍ରୟ ଦେବା ପାଇଁ ସ୍ବାଇପ ଲେଫ୍ଟ ସ୍ବାଇପ୍‌ ରାଇଟ୍‌କୁ ବ୍ୟବହାର କରିଥାନ୍ତି। ଅଧିକାଂଶ ବ୍ରିଟେନ୍‌ ଲୋକ କୁହନ୍ତି ଯେ ସେମାନଙ୍କର ଏକାକୀ ମହିଳା ଦରକାର, ଯିଏ ସେମାନଙ୍କର ପିଲାମାନଙ୍କର ଯତ୍ନ ନେଇ ପାରିବେ।

ଏକ ସଂଗଠନର ମୁଖ୍ୟ କହିଛନ୍ତି, ଆମେ ଭୟ କରୁଛୁ ଯେ ଏହି ଯୋଜନା ଯୋଗୁ ଯେପରି ଯୌନ କାରବାରକୁ ପ୍ରୋତ୍ସାହିତ ନ ହୁଏ। ଶରଣାର୍ଥୀ ସଂଗଠନ କହିଛି ଯେ ୟୁକ୍ରେନରୁ ଆସୁଥିବା ଲୋକମାନେ ଭୁଲ ହାତରେ ନ ପଡ଼ିବା ପାଇଁ ସରକାର ଏହି ଯୋଜନାରେ ନିଜର ଦାୟିତ୍ୱ ତୁଲାଇବା ଉଚିତ। ବ୍ରିଟେନ ସରକାର ଏହା କହିଛନ୍ତି ଯେ ଉପଯୁକ୍ତ ଅନୁସନ୍ଧାନ ବିନା ଶରଣାର୍ଥୀଙ୍କୁ ଭିସା ଦିଆଯାଉ ନାହିଁ। ସେହିଭଳି, ପ୍ରତ୍ୟେକ ହୋଷ୍ଟକୁ ମଧ୍ୟ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯିବ। ଏହା ବ୍ୟତୀତ ଏହି ଯୋଜନା ଅନ୍ତର୍ଗତ ୟୁକ୍ରେନବାସୀଙ୍କୁ ମାଗଣା ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ।

Share