ବ୍ରିଟିଶ ରାଜକୁମାରୀ କେଟ ମିଡଲଟନଙ୍କ ମେଡିକାଲ ରିପୋର୍ଟ ଲିକକୁ ନେଇ ହଙ୍ଗାମା

ଲଣ୍ଡନ,୨୨।୩: ବ୍ରିଟେନରେ ନାଗରିକଙ୍କ ଗୋପନୀୟତା ରକ୍ଷା ପାଇଁ ସୂଚନା କମିଶନର୍‌ ଅଫିସ (ଆଇସିଓ) ବ୍ରିଟିଶ ରାଜ ପରିବାରର ବୋହୂ କେଟ ମିଡଲେଟନଙ୍କ ମେଡିକାଲ ରେକର୍ଡ ଲିକ ହୋଇଥିବା ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ସମୟରେ ବ୍ରିଟେନରେ ଏକ ପୁରୁଣା ଅନୁସନ୍ଧାନ ରିପୋର୍ଟ ଉପରେ ଆଲୋଚନା କରାଯାଉଛି ଯେଉଁଥିରେ କୁହାଯାଇଛି ଯେ ରୋଗୀର ଡାକ୍ତରୀ ରେକର୍ଡ ମେଡିକାଲ କର୍ମଚାରୀଙ୍କ ନିକଟରେ ସହଜରେ ଉପଲବ୍ଧ। ଏହି ରିପୋର୍ଟ ୨୦୨୧ରେ କେୟାର କ୍ୱାଲିଟି କମିଶନ ଦ୍ୱାରା ପ୍ରକାଶିତ ହୋଇଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୁରୁଣା ରିପୋର୍ଟରେ କୁହାଯାଇଛି ଯେ ବଡ ଡାକ୍ତରଖାନାରେ ରୋଗୀ ରେକର୍ଡ ସୁରକ୍ଷିତ ରଖାଯାଏ, କିନ୍ତୁ ସେଗୁଡିକ ମେଡିକାଲ କର୍ମଚାରୀଙ୍କ ପାଇଁ ସହଜରେ ଉପଲବ୍ଧ। ଗତ ଜାନୁଆରୀରେ କେଟ ମିଡଲେଟନ ଅସ୍ତ୍ରୋପଚାର କରିଥିଲେ। ଏହି ଅସ୍ତ୍ରୋପଚାର ଲଣ୍ଡନର ଏକ ଡାକ୍ତରଖାନାରେ ହୋଇଥିଲା। ଦୁଇ ସପ୍ତାହ ହସ୍ପିଟାଲରେ ରହିବା ପରେ କେଟ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ। ନିକଟରେ ଅଭିଯୋଗ ହୋଇଥିଲା ଯେ ଡାକ୍ତରଖାନାରେ କେଟଙ୍କ ଡାକ୍ତରୀମାଇନା ରେକର୍ଡ ଲିକ ହୋଇଛି। ଏହି ପ୍ରସଙ୍ଗରେ ତିନି ଜଣ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ଅସ୍ତ୍ରୋପଚାର ପରଠାରୁ ସେ ସର୍ବସାଧାରଣରେ ଦେଖା ଦେଇନାହାଁନ୍ତି। ଯେଉଁଥିପାଇଁ ତାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ସୋସିଆଲ ମିଡିଆରେ ଆଲୋଚନା ଚାଲିଛି।
ହସ୍ପିଟାଲର ସିଇଓ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ଯେଉଁମାନେ ଜାଣିଶୁଣି ରୋଗୀଙ୍କ ବିଶ୍ୱାସକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ପାଇଁ ଆମ ଡାକ୍ତରଖାନାରେ କୌଣସି ସ୍ଥାନ ନାହିଁ। ରୋଗୀଙ୍କ ଦଲିଲ ସମୀକ୍ଷା କରିବା ପାଇଁ ଆମର ଏକ ଉତ୍ତମ ବ୍ୟବସ୍ଥା ଅଛି ଏବଂ ଯଦି ଏହାକୁ ଉଲ୍ଲଂଘନ କରାଯାଏ ତେବେ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ବ୍ରିଟେନରେ ବିନା ଅନୁମତିରେ ରୋଗୀଙ୍କ ଡାକ୍ତରୀ ଦଲିଲ ଦେଖିବା ଅପରାଧ ଅଟେ।

Share