କାଟଛାଣ୍ଟ ହେବ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ

ନୂଆଦିଲ୍ଲୀ/ଲଣ୍ଡନ, ୧୫।୪(ଆଇଏଏନ୍‌ଏସ୍‌): ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ତାଙ୍କ ନୂଆଦିଲ୍ଲୀ ଗସ୍ତକୁ କାଟଛାଣ୍ଟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୨୬ରେ ଜନ୍‌ସନ ଭାରତ ଗସ୍ତରେ ଆସିବା କାର୍ଯ୍ୟକ୍ରମ ରହିଛି। ୟୁରୋପୀୟ ସଂଘରୁ ବ୍ରିଟେନ ଓହରିବା ପରେ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କ ବୃଦ୍ଧି କରିବା ଆଶା କରାଯାଉଛି। ଆମେରିକା ପରେ ଭାରତ ହେଉଛି ବ୍ରିଟେନରେ ଦ୍ୱିତୀୟ ସର୍ବାଧିକ ନିବେଶକ। ବ୍ରେକ୍‌ଜିଟ ପରେ ବ୍ରିଟେନ ଏହାର ଅର୍ଥନୀତି ଓ ସୁରକ୍ଷା ପାଇଁ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଉପରେ ଗୁରୁତ୍ୱ ଦେଉଛି। ଜନ୍‌ସନ ଭାରତ ଗସ୍ତ ଅବସରରେ ନୂଆଦିଲ୍ଲୀ ବ୍ୟତୀତ ମୁମ୍ବାଇ, ପୁଣେ, ବେଙ୍ଗାଲୁରୁ ଓ ଚେନ୍ନାଇ ଭ୍ରମଣରେ ଯିବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ। ତେବେ କରୋନା ପାଇଁ ଭାରତ ସରକାରଙ୍କ ସହ କଥା ହୋଇ ତାଙ୍କ ଗସ୍ତକୁ ସଂକ୍ଷିପ୍ତ କରିଥିବା ଜଣେ ମୁଖପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Share