ତେଲ ଟ୍ୟାଙ୍କର ଚଲାଇବ ବ୍ରିଟିଶ୍‌ ସେନା

ଲଣ୍ଡନ, ୩୦ା୯: ଟ୍ରକ୍‌ ଚାଳକଙ୍କ ଅଭାବରୁ ବ୍ରିଟେନରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବାଯୋଗୁ ସପ୍ତାହେ ହେଲା ଲାଗି ରହିଥିବା ତୈଳ ସଙ୍କଟ ଦୂର କରିବା ପାଇଁ ସେନା ନିୟୋଜିତ ହେବେ। ଅଧିକାଂଶ ସହରରେ ପେଟ୍ରୋଲ ଟାଙ୍କିଗୁଡ଼ିକ ଖାଲି ହୋଇଯାଇଥିବାରୁ ସେଠାକୁ ବ୍ରିଟିଶ ସୈନ୍ୟ ଟ୍ୟାଙ୍କର ଚଳାଇ ପେଟ୍ରୋଲ ଡିଜେଲ ଯୋଗାଣ କରିବେ ବୋଲି ଜଣାଯାଇଛି। ପେଟ୍ରୋଲ ଟାଙ୍କିରେ ତେଲ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଯେଉଁ କେତେକ ଟାଙ୍କିରେ ତେଲ ରହିଛି, ସେଠାରେ ଅସମ୍ଭବ ଭିଡ଼ ଲାଗି ରହୁଛି। ତେଲ ଦର ଆକାଶଛୁଆଁ ହୋଇଥିବାବେଳେ ବହୁ ସଂଖ୍ୟାରେ ଲୋକ ବୋତଲ ଧରି ଟାଙ୍କି ବାହାରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।
ଚାଳକ ନ ଥିବାରୁ ତେଲ କମ୍ପାନୀଗୁଡ଼ିକ ପେଟ୍ରୋଲ, ଡିଜେଲ ଟ୍ରାନ୍ସପୋର୍ଟ ସମ୍ଭବ ନୁହେଁ ବୋଲି କହୁଛନ୍ତି। ୧୫୦ ସୈନ୍ୟ କିଛି ଦିନ ମଧ୍ୟରେ ଟ୍ୟାଙ୍କର ଚଳାଇ ତେଲ ପରିବହନ କରିବେ ବୋଲି ବାଣିଜ୍ୟ ମନ୍ତ୍ରୀ କ୍ୱାସି କ୍ୱାର୍ଟେଙ୍ଗ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବ୍ରିଟେନ୍‌ରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଟ୍ରକ୍‌, ଟ୍ୟାଙ୍କର ଚାଳକଙ୍କ ଅଭାବ ଯୋଗୁ ପରିବହନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏଥିଯୋଗୁ ବହୁ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ୍‌ ହଠାତ୍‌ ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇଛି। ଇନ୍ଧନ ତୈଳ ପହଞ୍ଚିପାରୁ ନ ଥିବାରୁ ବହୁ କମ୍ପାନୀରେ ପ୍ରଡକ୍ସନ ବନ୍ଦ ରହିଛି। ତେଣୁ ପରିବହନ କାର୍ଯ୍ୟରେ ସେନା ମୁତୟନ କରିବାକୁ ଏବଂ ପଡୋଶୀ ଦେଶର ୫ ହଜାର ଚାଳକଙ୍କୁ ଅସ୍ଥାୟୀ ଶ୍ରମ ଭିଜା ପ୍ରଦାନ ନିମନ୍ତେ ବ୍ରିିଟେନ ସରକାର ସ୍ଥିର କରିଛନ୍ତି।

Share