ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ବ୍ରିଟେନର ସମର୍ଥନ…

ଜେନେଭା,୪।୭ : ଜାତିସଂଘ ସୁରକ୍ଷା ପରିଷଦର ସମ୍ପ୍ରସାରଣକୁ ବ୍ରିଟେନ ସମର୍ଥନ କରିଛି ଏବଂ କହିଛି ଜାତିସଂଘ ସୁରକ୍ଷା ପରିଷଦରେ ଭାରତ, ଜାପାନ, ଜର୍ମାନୀ, ବ୍ରାଜିଲ ଏବଂ ଆଫ୍ରିକୀୟ ଦେଶମାନଙ୍କୁ ସ୍ଥାୟୀ ଆସନ ଦିଆଯିବା ଉଚିତ। ବ୍ରିଟେନର ପ୍ରତିନିଧୀ କହିଛନ୍ତି ନୂଆ ସମୟରେ ପାଦ ଦେବାର ବେଳ ଆସିଛି। ପାଞ୍ଚଟି ଦେଶ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ, ଯେଉଁଥିରେ ଆମେରିକା, ବ୍ରିଟେନ, ଚୀନ, ଫ୍ରାନ୍ସ ଏବଂ ରୁଷିଆ ଅନ୍ତର୍ଭୁକ୍ତ। ପ୍ରତି ଦୁଇ ବର୍ଷରେ ଏହାର ୧୦ ଟି ଦେଶ ଅସ୍ଥାୟୀ ସଦସ୍ୟ ହୁଅନ୍ତି, କିନ୍ତୁ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ଆସନ ଦାବି କରୁଛି। ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତାକୁ ବ୍ରିଟେନ ସମର୍ଥନ କରିଛି।

ମିଳିତ ଜାତିସଂଘରେ ବ୍ରିଟେନର ସ୍ଥାୟୀ ପ୍ରତିନିଧୀ ବାର୍ବାରା କାଠୱାର୍ଡ କହିଛନ୍ତି ସୁରକ୍ଷା ପରିଷଦର ସମ୍ପ୍ରସାରଣ କରାଯାଉ ଏବଂ ଏଥିରେ ଭାରତ, ବ୍ରାଜିଲ, ଜର୍ମାନୀ, ଜାପାନ ଏବଂ ଆଫ୍ରିକୀୟ ପ୍ରତିନିଧିତ୍ୱକୁ ସ୍ଥାୟୀ ସ୍ଥାନ ଦିଆଯାଉ। ଜୁଲାଇ ମାସରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବ୍ରିଟେନର ଅଧ୍ୟକ୍ଷତାରେ ଅଛି।

ବାର୍ବାରା କାଠୱାର୍ଡଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ବ୍ରିଟିଶ ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲିଭରଲି ମଧ୍ୟ ଗତ ସପ୍ତାହରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଆଣିବାକୁ ପ୍ରୋତ୍ସାହିତ କରିଥିଲେ। କାଠୱାର୍ଡ କହିଥିଲେ ସୁରକ୍ଷା ପରିଷଦର ସଭାପତି ହେବା ସେହି ଦିଗରେ ପ୍ରଥମ ପଦକ୍ଷେପ। ବାରବାରା କହିଛନ୍ତି ସୁରକ୍ଷା ପରିଷଦରେ ଭାରତ ଏବଂ ବ୍ରାଜିଲ ପ୍ରତିନିଧିତ୍ୱ କରିବା ଆବଶ୍ୟକ। ଉଭୟ ଦେଶର ଜନସଂଖ୍ୟା ବହୁତ ଏବଂ ଉଭୟ ଦେଶ ଦ୍ରୁତ ଅର୍ଥନୈତିକ ବିକାଶ କରୁଛନ୍ତି। ବ୍ରିଟେନର ସ୍ଥାୟୀ ପ୍ରତିନିଧୀ ସୁରକ୍ଷା ପରିଷଦର ସମ୍ପ୍ରସାରଣକୁ ସମର୍ଥନ କରୁଥିବାବେଳେ ଏହା ମଧ୍ୟ କହିଥିଲେ୧୯୪୫ ତୁଳନାରେ ବିଶ୍ୱରେ ଏହି ଦୁଇ ଦେଶର ପ୍ରଭାବ ବହୁତ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ସେମାନଙ୍କୁ ସୁରକ୍ଷା ପରିଷଦରେ ଅନ୍ତର୍ଭୁକ୍ତ କରିବା ସ୍ବାଭାବିକ।

Share