ଓଡ଼ିଶାରେ ‘ଓ୍ବିକ୍‌ ଅଫ୍‌ ଓ୍ବେଲ୍‌ସ’ ପାଳିବ ବ୍ରିଟେନ

ଭୁବନେଶ୍ୱର, ୧୫।୧(ବ୍ୟୁରୋ): ଓଡ଼ିଶାରେ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌-୨୦୨୩ ଅବସରରେ କୋଲକାତାସ୍ଥିତ ବ୍ରିଟିଶ ଡେପୁଟି ହାଇ କମିଶନ ‘ଓ୍ବିକ୍‌ ଅଫ୍‌ ଓ୍ବେଲ୍‌ସ’ ପାଳନ କରିବ। ଏହାଦ୍ୱାରା କ୍ରୀଡ଼ା, ଶିକ୍ଷା ଓ ପ୍ରଯୁକ୍ତି ଜରିଆରେ ବ୍ରିଟେନ-ଓଡ଼ିଶା ସମ୍ପର୍କ ଆହୁରି ସୁଦୃଢ଼ ହୋଇପାରିବ। ବ୍ରିଟେନର ଓ୍ବେଲ୍‌ସ ଦେଶର ସରକାର ଆସନ୍ତା ୧୭ରୁ ୧୯ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରିବେ। ଓ୍ବେଲ୍‌ସ ପୁରୁଷ ହକି ଟିମ୍‌ ପ୍ରଥମଥର ପାଇଁ ଚଳିତବର୍ଷ ଏଫ୍‌ଆଇଏଚ୍‌ ହକି ବିଶ୍ୱକପ୍‌ରେ ଭାଗ ନେଇଛି। ଏହାକୁ ‘ଷ୍ଟଡି ଇନ୍‌ ଓ୍ବେଲ୍‌ସ’ ପ୍ରାୟୋଜକ ଭାବେ ସମର୍ଥନ କରିଛି। ଏହାକୁ ଦୃଷ୍ଟିରେ ରଖି ଓ୍ବେଲ୍‌ସ ସରକାର ଓଡ଼ିଶାରେ ‘ଓ୍ବିକ୍‌ ଅଫ୍‌ ଓ୍ବେଲ୍‌ସ’ ପାଳନ କରିବ। ୧୭ତାରିଖରେ ଷ୍ଟଡି ଇନ୍‌ ଓ୍ବେଲ୍‌ସରେ ଓ୍ବେଲ୍‌ସ ପୁରୁଷ ହକି ଟିମ୍‌ ଓ କିଟ୍‌ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏକ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୧୯ ତାରିଖରେ ଓ୍ବେଲ୍‌ସ ପୁରୁଷ ହକି ଟିମ୍‌ କଳିଙ୍ଗ ଷ୍ଟାଡିୟମରେ ଭାରତ ସହିତ ମୁକାବିଲା କରିବ। ଏ ସମ୍ପର୍କରେ ଓ୍ବେଲ୍‌ସ ଫାଷ୍ଟ ମିନିଷ୍ଟର ମାର୍କ ଡ୍ରେକ୍‌ଫୋର୍ଡ କହିଛନ୍ତି, ହକି ବିଶ୍ୱକପ୍‌ରେ ଓ୍ବେଲ୍‌ସ ଟିମ୍‌ ପହଞ୍ଚତ୍ବା ଆମ ପାଇଁ ଏକ ବଡ଼ ସଫଳତା। ଓ୍ବେଲ୍‌ସ ହକି ଟିମ୍‌କୁ ସମର୍ଥନ ଜଣାଇବା ପାଇଁ ବ୍ରିଟିଶ ଡେପୁଟି ହାଇ କମିଶନ କାର୍ଯ୍ୟାଳୟର କର୍ମକର୍ତ୍ତା, ଷ୍ଟଡି ଇନ୍‌ ଓ୍ବେଲ୍‌ସର କର୍ମକର୍ତ୍ତା ଏବଂ ଓ୍ବେଲ୍‌ସ ସରକାରଙ୍କ ପ୍ରତିନିଧି ଏହି ମ୍ୟାଚ୍‌ ଦେଖିବେ ବୋଲି ପୂର୍ବ ଓ ଉତ୍ତରପୂର୍ବ ଭାରତର ବ୍ରିଟିଶ ଡେପୁଟି ହାଇ କମିଶନର ନିକ୍‌ ଲୋ କହିଛନ୍ତି।