ବ୍ରିଟେନରେ ଅକ୍ଟୋବର ସୁଦ୍ଧା ଶେଷ ହୋଇଯିବ କରୋନା!

ଲଣ୍ଡନ,୨୯ ।୭: ସାରା ବିଶ୍ୱର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା କରୋନା ମହାମାରୀ ଏବେବି କିଛି ଦେଶରେ ସକ୍ରିୟ ରହିଛି । ବ୍ରିଟେନରେ ଦ୍ୱିତୀୟ ଲହର କମ୍ ହେବା ଦେଖାଯାଉଥିବା ବେଳେ ଏବେ ସେଠାକାର ବରିଷ୍ଠ ମହାମାରୀ ବିଶେଷଜ୍ଞ ନୀଲ ଫଗ୍ୟୁସନ୍ କହିଛନ୍ତି ଅକ୍ଟୋବର ସୁଦ୍ଧା ବ୍ରିଟେନରୁ କରୋନା ଭୟ ଦୂର ହୋଇଯିବ । ବିବିସିକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ସେ କହିଛନ୍ତି ଏବେ ବ୍ରିଟେନରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ କମ୍ ହେବାରେ ଲାଗିଛି । ଏହାର କାରଣ ହେଉଛି ଟିକାକରଣ । କରୋନାକୁ ଦୂରେଇବାରେ ଭ୍ୟାକ୍ସିନ ବା ଟିକା ବେଶ୍ ଭଲ କାମ ଦେଉଛି ବୋଲି ସେ କହିଛନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି ସେ ସକରାତ୍ମକ ଚିନ୍ତାଧାରା ସହ ଦାବି କରିଛନ୍ତି ଯେ ଅକ୍ଟୋବର ସୁଦ୍ଧା ବ୍ରିଟେନରୁ କରୋନା ଚାଲିଯିବ । ପୁଣିଥରେ କରୋନା ପୂର୍ବର ସ୍ଥିତି ଫେରି ଆସିବ । ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣ କମ୍ ହେଉଥିବାରୁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ୧୯ ଜୁଲାଇରୁ କରୋନାକୁ ନେଇ ଲାଗିଥିବା ପ୍ରାୟ ସମସ୍ତ କଟକଣାକୁ ହଟାଇ ଦେଇଛନ୍ତି । ତେବେ ବ୍ରିଟେନରେ ଡେଲ୍ଟା ଭାଇରସ ଯୋଗୁ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପୁଥିବା ବେଳେ ଟିକାକରଣ ପରେ ଏବେ ସେଥିରେ ବିରାମ ଲାଗିଛି । ତେଣୁ ବିଶେଷଜ୍ଞମାନେ ଆକଳନ କଲେଣି ଯେ ହୁଏତ ଅକ୍ଟୋବର ସୁଦ୍ଧା ଦେଶରେ କରୋନା ପୂର୍ବର ପରିସ୍ଥିତି ପୁଣି ଫେରି ଆସିବ ।

Share