ବ୍ରିଟେନ ମହାରାଣୀ ଅସୁସ୍ଥ: ସ୍କଟଲାଣ୍ଡରେ ପହଞ୍ଚିଲା ରାଜ ପରିବାର

ଲଣ୍ଡନ,୮।୯: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଏହାକୁ ନେଇ ଡାକ୍ତର ଚିନ୍ତା ପ୍ରକଟ କରିଥିବା ବେଳେ ୯୬ବର୍ଷୀୟା ମହାରାଣୀ ବର୍ତ୍ତମାନ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି। ଏନେଇ ବକିଂଘମ୍‌ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ରାଜ ପରିବାରର ସମସ୍ତ ବ୍ୟକ୍ତି ସ୍କଟଲାଣ୍ଡରେ ପହଞ୍ଚିଛନ୍ତି। ବର୍ତ୍ତମାନ ମହାରାଣୀ ଏଲିଜାବେଥ ସେଠାରେ ଅଛନ୍ତି। ଏହି ସମୟରେ ମହାରାଣୀ କୌଣସି ସ୍ଥାନକୁ ଯିବାକୁ ଅସମର୍ଥ ଥିବାରୁ ସେ ତାଙ୍କର ସମସ୍ତ ସାକ୍ଷାତାକାର ଲଣ୍ଡନର ବକିଂଘମ୍‌ ପ୍ୟାଲେସ ପରିବର୍ତ୍ତେ ସ୍କଟଲାଣ୍ଡର ବାଲମୋରାଲ ଦୁର୍ଗରେ କରୁଛନ୍ତି। ଅନ୍ୟପଟେ ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ ମହାରାଣୀଙ୍କ ଅସୁସ୍ଥତାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏହି ଖବର ପାଇ ସମଗ୍ର ଦେଶ ଏବେ ଚିନ୍ତିତ ଅଛି। ଲିଜ ଟ୍ରସ ଟୁଇଟ କରି କହିଛନ୍ତି, ମୁଁ ଏବଂ ବ୍ରିଟେନର ଲୋକମାନେ ଏହି ସମୟରେ ରାଣୀ ଏବଂ ତାଙ୍କ ପରିବାରଙ୍କ ସହ ଅଛନ୍ତି। ବୁଧବାର ଲିଜ ଟ୍ରସ ପ୍ରଧାନମନ୍ତ୍ରୀ ହେବା ପରେ ରାଣୀଙ୍କୁ ଭେଟିଥିଲେ। ସୂଚନାଯୋଗ୍ୟ, ରାଣୀ ଗ୍ରୀଷ୍ମ ଛୁଟି କାଟିବା ପାଇଁ ଏଠାକୁ ଆସିଥିବା ବେଳେ ବାଲମୋରାଲ ଦୁର୍ଗରେ ରହୁଥିଲେ। ଦୀର୍ଘ ଦିନରୁ ରାଣୀ ଅସୁସ୍ଥ ଅଛନ୍ତି। ବକିଂଘମ୍‌ ପ୍ୟାଲେସ ଅନୁଯାୟୀ, ତାଙ୍କୁ ଏପିସୋଡିକ ମୋବିଲିଟି ସମସ୍ୟା ରହିଛି। ଏହି ସମସ୍ୟା ଏହି ବୟସର ଲୋକଙ୍କୁ ହୋଇଥାଏ।

Share