ସଙ୍କଟରେ ବୋରିସ ଜନସନ ସରକାର

ଲଣ୍ଡନ,୬।୭: ବ୍ରିଟେନରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସରକାରରୁ ଆଉ ଦୁଇଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ୱିଲ କୁଇନ୍ସ ଏବଂ ଲୌରା ଟ୍ରଟ ଇସ୍ତଫା ଦେଇଛନ୍ତି। ଏପର୍ଯ୍ୟନ୍ତ ଚାରିଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀଙ୍କ ଇସ୍ତଫା ପରେ ବୋରିସ ଜନସନଙ୍କ ଉପରେ ଚାପ ବୃଦ୍ଧି ପାଇଛି। ବ୍ରିଟେନର ଅର୍ଥମନ୍ତ୍ରୀ ରୁଷି ସୁନାକ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭିଦ ପୂର୍ବରୁ ଇସ୍ତଫା ଦେଇସାରିଛନ୍ତି। ୪ ମନ୍ତ୍ରୀ ଇସ୍ତଫା ଦେବା ପରେ ସରକାରଙ୍କ ଉପରେ ସଙ୍କଟ ଦେଖାଦେଇଛି।
ସୂଚନାଯୋଗ୍ୟ ଯେ, ବ୍ରିଟେନର ଏମ୍‌ପି କ୍ରିସ ପିଞ୍ଚର ମଦ୍ୟପାନ କରି ଲୋକଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା। କ୍ରିସ ପିଞ୍ଚରଙ୍କୁ ସରକାରୀ ଦାୟିତ୍ୱଦେଇଥିବାରୁ ବୋରିସ ଜନସନ କ୍ଷମା ମାଗିଛନ୍ତି। ଗତ ମାସରେ ୫୦ରୁ ଅଧିକ ଏମ୍‌ପି ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଇସ୍ତଫା ମାଗିଥିଲେ। ତେବେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆସ୍ଥା ଭୋଟ ଜିତିବାରେ ସଫଳ ହୋଇଥିଲେ।

Share