Categories: ବାଣିଜ୍ୟ

ଚାଇନା ହୁଓ୍ବାଇକୁ ବ୍ୟାନ୍‌ କଲା ବ୍ରିଟେନ

ଲଣ୍ଡନ,୧୪।୭: ଚାଇନାର ପ୍ରମୁଖ କମ୍ପାନୀ ତଥା ୫ଜି ଟେକ୍ନୋଲୋଜି କମ୍ପାନୀ ହୁଓ୍ବାଇକୁ ବ୍ରିଟେନ ବ୍ୟାନ୍‌ କରିଛି। ଆମେରିକା ଚାପରେ ବ୍ରିଟେନ ଏଭଳି କରିଥିବା କୁହାଯାଉଛି। ପର୍ଯ୍ୟାୟ ଭିତ୍ତିରେ ନିଜ ଦେଶରୁ ଏହି ଟେକ୍ନୋଲୋଜି କମ୍ପାନୀର କାରବାରକୁ ଦେଶ ମଧ୍ୟରୁ ବାହାର କରିବାକୁ ମଙ୍ଗଳବାର ଏଭଳି ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଟେକ୍ନୋଲୋଜି କମ୍ପାନୀ ବିରୋଧରେ କଟକଣା ଲଗାଇଲେ ଏହାର କଡା ଜବାବ ମିଳିବ ବୋଲି ଚାଇନା କହିଥିଲା। ହେଲେ ଏହାକୁ ଭ୍ରୂକ୍ଷେପ ନ କରି ବ୍ରିଟେନ ହୁଓ୍ବାଇ ଉପରେ ବ୍ୟାନ ପ୍ରସ୍ତାବରେ ମୋହର ଲଗାଇଥିବା ଜଣାପଡିଛି। ଚାଇନା ସହ ବାଣିଜ୍ୟ ଯୁଦ୍ଧ ଉପରେ ଆମେରିକା-ଚାଇନା ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି। ବ୍ରିଟେନର ଏହି ନିଷ୍ପତ୍ତି ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପ୍ରଶାସନର କୂଟନୈତିକ ବିଜୟ ହୋଇଛି ବୋଲି କୁହାଯାଉଛି। ଏହାଦ୍ୱାରା ବ୍ରିଟେନର ସମ୍ପର୍କ ଏସିଆର ଏହି ଶକ୍ତିଶାଳୀ ଦେଶ ସହିତ ଖରାପ ହୋଇଛି। ସେହିଭଳି ଟେଲିକମ୍‌ ଯନ୍ତ୍ରାଂଶ ପାଇଁ ବ୍ରିଟେନ କମ୍ପାନୀଗୁଡିକୁ ଅଧିକ ଖର୍ଚ୍ଚ କରିବାକୁ ପଡିବ ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି।

Share