ବ୍ରିଟେନ୍‌ରେ ହାଇ ଆଲର୍ଟ, ଆଟାକ୍‌ କରିବ ରୁଷ! ଖାଦ୍ୟ-୯ ଲିଟର ପାଣି ରଖିବାକୁ ଜାରି ହେଲା…

ଲଣ୍ଡନ,୨୩।୧୦: ମିଡିଲ ଇଷ୍ଟରେ ଚାଲିଥିବା ଉତ୍ତେଜନା ଏପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ। ଏହି ସମୟରେ ବ୍ରିଟେନକୁ ରୁଷ ସହିତ ଯୁଦ୍ଧର ଭୟ ଘାରିଛି। ଯଦିଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହି ସମ୍ଭାବନାକୁ ଖାରଜ କରିସାରିଛନ୍ତି, ତଥାପି ବ୍ରିଟେନ ନିଜ ନାଗରିକମାନଙ୍କ ପାଇଁ ଆଲର୍ଟ ଜାରି କରିଛି ଏବଂ ୭୨ ଘଣ୍ଟା ପାଇଁ ପର୍ଯ୍ୟାପ୍ତ ରାସନ ମହଜୁଦ ରଖିବାକୁ କହିଛି। କେବଳ ସେତିକି ନୁହେଁ, ୟୁନାଇଟେଡ କିଙ୍ଗଡମ ସରକାର ନାଗରିକମାନଙ୍କୁ ରେଡିଓ ଏବଂ ବ୍ୟାଟେରୀ ଭଳି ଜରୁରୀ ସାମଗ୍ରୀ ମଧ୍ୟ ପାଖରେ ରଖିବାକୁ ପରାମର୍ଶ ଦେଇଛନ୍ତି।

ପ୍ରକୃତରେ ୟୁକେର ପ୍ରତିରକ୍ଷା ସଚିବ ୱେସ ଷ୍ଟ୍ରିଟିଂ ରୁଷର ନାମ ନ ନେଇ ସାଇବର ଆକ୍ରମଣ ଏବଂ ଷ୍ଟେଟ-ସ୍ପନସର୍ଡ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ଏହି ଆଲର୍ଟ ଜାରି କରିଛନ୍ତି। ୱେସଙ୍କ କହିବାନୁଯାୟୀ, ସାଇବର ଆକ୍ରମଣ ଯୋଗୁଁ ଇଂଲଣ୍ଡର ଯୋଗାଣ ଶୃଙ୍ଖଳା (supply chain) ବାଧାପ୍ରାପ୍ତ ହୋଇପାରେ କିମ୍ୱା ଜଙ୍ଗଲରେ ନିଆଁ ଲାଗିପାରେ। ଏହା ବ୍ୟତୀତ ଭିତ୍ତିଭୂମି ଉପରେ ମଧ୍ୟ ଆକ୍ରମଣ ହୋଇପାରେ, ତେଣୁ ୭୨ ଘଣ୍ଟା ପାଇଁ ସାମଗ୍ରୀ ମହଜୁଦ ରଖିବା ଅତ୍ୟନ୍ତ ଜରୁରୀ।

ଏହି ବୟାନ ଏପରି ଏକ ସମୟରେ ଆସିଛି, ଯେତେବେଳେ ଏକ ଗୁରୁତର PHP ସୁରକ୍ଷା ତ୍ରୁଟି କାରଣରୁ ସତର୍କତାମୂଳକ ପଦକ୍ଷେପ ସୱରୂପ ବ୍ରିଟେନର ୩୨ଟି ସରକାରୀ ୱେବସାଇଟକୁ ଅଫଲାଇନ କରିଦିଆଯାଇଛି। ବ୍ରିଟେନ ସରକାର ପ୍ରତ୍ୟେକ ପରିବାରକୁ ୭୨ ଘଣ୍ଟା ପାଇଁ ପର୍ଯ୍ୟାପ୍ତ ସାମଗ୍ରୀ ସଂରକ୍ଷଣ କରିବାକୁ ଅନୁରୋଧ କରୁଛନ୍ତି, ଯେଉଁଥିରେ ପ୍ରତି ବ୍ୟକ୍ତି ପିଛା ୯ ଲିଟର ବୋତଲ ବନ୍ଦ ପାଣି, ଖାଦ୍ୟ, ନଗଦ ଟଙ୍କା, କମ୍ୱଳ, ପ୍ରାଥମିକ ଚିକିତ୍ସା କିଟ (first aid kit), ବ୍ୟାଟେରୀ ଏବଂ ଏପରିକି ଏକ ଚାବି ଦିଆଯାଉଥିବା (ୱିଣ୍ଡ-ଅପ) ରେଡିଓ ମଧ୍ୟ ସାମିଲ ରହିଛି।

ଏହାର ଠିକ ଗୋଟିଏ ଦିନ ପୂର୍ୱରୁ, ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷ ସହିତ ଭବିଷ୍ୟତର ଯୁଦ୍ଧକୁ ନେଇ ୟୁରୋପ ଦେଉଥିବା ଚେତାବନୀକୁ ରାଜନୈତିକ ସିଜୋଫ୍ରେନିଆ (ମାନସିକ ବିଭ୍ରାନ୍ତି) ବୋଲି କହି ଖାରଜ କରିଥିଲେ ଏବଂ କହିଥିଲେ ଯେ ରୁଷ ୟୁରୋପୀୟ ଦେଶଗୁଡ଼ିକ ସହିତ ଯୁଦ୍ଧ ଚାହୁଁନାହିଁ। ପୁଟିନ ଯୁଦ୍ଧର ସମ୍ଭାବନାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଥିଲେ। ତଥାପି ଏହା ସତ୍ତ୍ୱେ ବ୍ରିଟେନକୁ ରୁଷ ସହ ଯୁଦ୍ଧର ଭୟ ଘାରି ରହିଛି।

Share