Categories: ଜାତୀୟ

ଶିଶୁ ଆରିହାଙ୍କୁ ଭାରତ ଫେରାଅ

ନୂଆଦିଲ୍ଲୀ, ୪।୬: ବର୍ଲିନ୍‌ର ଏକ ଶିଶୁ କଲ୍ୟାଣ ସଂସ୍ଥା ତତ୍ତ୍ୱାବଧାନରେ ୨୦ ମାସ ହେଲା ରହିଥିବା ଶିଶୁକନ୍ୟା ଆରିହା ଶାହାଙ୍କୁ ତାଙ୍କ ମାଆବାପାଙ୍କ ସହ ମିଶିବା ପାଇଁ ଭାରତ ଫେରାଇ ଦେବାକୁ ୧୯ଟି ରାଜନୈତିକ ଦଳର ୫୯ ଜଣ ଏମ୍‌ପି ଭାରତରେ ଥିବା ଜର୍ମାନ ରାଷ୍ଟ୍ରଦୂତଙ୍କୁ ମିଳିତ ଭାବେ ପତ୍ର ଲେଖି ଅନୁରୋଧ କରିଛନ୍ତି। ଏଥିପାଇଁ ଯଥାସମ୍ଭବ ପଦକ୍ଷେପ ନେବାକୁ ସେମାନେ ରାଷ୍ଟ୍ରଦୂତ ଫିଲିପ୍‌ ଆକେରକାନ୍‌ଙ୍କୁ କହିଛନ୍ତି। ଶିଶୁର ପ୍ରତ୍ୟାବର୍ତ୍ତନ ଲାଗି ଦଳମତ ନିର୍ବିଶେଷରେ ଭାଜପା, କଂଗ୍ରେସ, ବାମଦଳ, ଟିଏମ୍‌ସି ଆଦି ବିଭିନ୍ନ ଦଳର ଏମ୍‌ପି ଏକାଠି ହେବା ଏକ ବିରଳ ଘଟଣା। ଆରିହାଙ୍କୁ ନିଜ ଦେଶ ଭାରତକୁ ଫେରାଇ ଆଣିବା ଜରୁରୀ। ସେ ନିଜର ଦେଶ, ଲୋକ, ସଂସ୍କୃତି ଓ ପରିବେଶକୁ ଫେରିବା ଆବଶ୍ୟକ। ଏଥିରେ ବିଳମ୍ବ ଶିଶୁଟି ପାଇଁ ଅପୂରଣୀୟ କ୍ଷତି ହେବ। ଶୁକ୍ରବାର ଭାରତ ସରକାର ମଧ୍ୟ ଶିଶୁକନ୍ୟାକୁ ଫେରାଇଦେବା ଲାଗି ଜର୍ମାନୀକୁ କହିଛନ୍ତି। ଜଣେ ଭାରତୀୟ ଭାବେ ଏହାର ତାଙ୍କର ଅବିଚ୍ଛେଦ୍ୟ ଅଧିକାର ବୋଲି ସରକାର କହିଛନ୍ତି। ଆରିହା ମାତ୍ର ୭ ମାସର ହୋଇଥିବାବେଳେ ମାଆବାପା ତାଙ୍କୁ ହଇରାଣ କରୁଥିବା ଅଭିଯୋଗକ୍ରମେ ବର୍ଲିନ୍‌ର ଶିଶୁ କଲ୍ୟାଣ ସଂସ୍ଥା ତାଙ୍କୁ ହେପାଜତକୁ ନେଇଥିଲା।
ଜର୍ମାନୀ ରାଷ୍ଟ୍ରଦୂତଙ୍କୁ ଦିଆଯାଇଥିବା ପତ୍ରରେ ସ୍ବାକ୍ଷର କରିଥିବା ଏମ୍‌ପିଙ୍କ ମଧ୍ୟରେ ଲୋକ ସଭାର କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଶଶୀ ଥରୁର, ଭାଜପା ଏମ୍‌ପି ହେମା ମାଳିନୀ, ମାନେକା ଗାନ୍ଧୀ, ଡିଏମ୍‌କେର କାନିମୋଝି, ଏନ୍‌ସିପିର ସୁପ୍ରିୟା ସୁଲେ, ଟିଏମ୍‌ସିର ମହୁଆ ମୈତ୍ର, ସମାଜବାଦୀ ପାର୍ଟିର ରାମଗୋପାଳ ଯାଦବ, ଆର୍‌ଜେଡିର ମନୋଜ ଝା, ଏଏପିର ସଞ୍ଜୟ ସିଂ, ସିପିଏମ୍‌ର ଏଲମାରାନ କରିମ ଏବଂ ଜନ୍‌ ବ୍ରିଟ୍ଟାସ୍‌, ଅକାଳି ଦଳର ହର୍‌ସିମ୍ରତ୍‌ କୌର ବାଦଲ, ବିଏସ୍‌ପିର କୁନଓ୍ବାର ଡାନିଶ ଅଲି, ଶିବସେନା(ୟୁବିଟି)ର ପ୍ରିୟଙ୍କା ଚତୁର୍ବେଦୀ, ସିପିଆଇର ବିନୟ ବିଶ୍ୱମ୍‌ ଏବଂ ନ୍ୟାଶନାଲ କନ୍‌ଫରେନ୍ସର ଫାରୁକ୍‌ ଅବଦୁଲ୍ଲା ଅଛନ୍ତି।
ଆରିହାର ମାଆବାପା ଗୁଜରାଟର ଧାରା ଓ ଭବେଶ ଶାହା ୨୦୧୮ରେ ଜର୍ମାନୀ ଯାଇଥିଲେ। ସେମାନେ ୨୧ ମାସ ହେଲା ନିଜ ଝିଅକୁ ଫେରିପାଇବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଆରିହା ଦୁର୍ଘଟଣାଜନିତ କାରଣରୁ ଆହତ ହେବା ପରେ ମାଆବାପା ତାଙ୍କୁ ହସ୍ପିଟାଲ ନେଇଥିଲେ। ତେବେ ଶିଶୁକୁ ଯୌନ ନିର୍ଯାତନା ଦିଆଯାଇଥିବା ଏବଂ ମାତାପିତା ଅବହେଳା କରିଥିବା ଜର୍ମାନ କର୍ତ୍ତୃପକ୍ଷଙ୍କ ଅଭିଯୋଗକ୍ରମେ ୨୦୨୧ ସେପ୍ଟେମ୍ବର ୨୩ରୁ ଶିଶୁକନ୍ୟାକୁ ଜୁଗେଣ୍ଡାମ୍ଟ ହେପାଜତରେ ରଖାଯାଇଛି।

Share