Categories: ଜାତୀୟ

ଯୌନ ଅନୁଗ୍ରହ ମାଗୁଥିଲେ ବ୍ରିଜ୍‌ଭୂଷଣ

ନୂଆଦିଲ୍ଲୀ/କୁରୁକ୍ଷେତ୍ର,୩ା୬: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ୍‌ଭୂଷଣ ଶରଣ ସିଂ ମହିଳା କୁସ୍ତିଯୋଦ୍ଧାମାନଙ୍କୁ ଅଣ୍ଡାଳୁଥିଲେ। ସେମାନଙ୍କୁ ଅନୁପଯୁକ୍ତ ବ୍ୟକ୍ତିଗତ ପ୍ରଶ୍ନ ପଚାରୁଥିଲେ। କ୍ୟାରିୟର ପାଇଁ ସୁଯୋଗ ଦେବା ବଦଳରେ ଯୌନ ଅନୁଗ୍ରହ ଦାବି କରୁଥିଲେ। ଏପରି କି ଜଣେ ନାବାଳିକା କୁସ୍ତିଯୋଦ୍ଧାଙ୍କ ବକ୍ଷକୁ ସେ ସ୍ପର୍ଶ କରୁଥିଲେ। ସେ ତାଙ୍କ ପିଛା ମଧ୍ୟ କରୁଥିଲେ ବୋଲି ବ୍ରିଜ୍‌ଭୂଷଣଙ୍କ ବିରୋଧରେ ହୋଇଥିବା ଦୁଇଟି ଏଫ୍‌ଆଇଆର୍‌ରେ ଉଲ୍ଲେଖ କରାଯାଇଛି। ଯେଉଁମାନେ ଯୌନ ସୁବିଧା ଦେବାକୁ ମନା କରୁଥିଲେ ସେମାନଙ୍କୁ ବୃତ୍ତିଗତ ସୁଯୋଗରୁ ବଞ୍ଚତ୍ତ କରାଯାଉଥିଲା। ୭ ମହିଳା କୁସ୍ତିଯୋଦ୍ଧାଙ୍କ ଏହି ଅଭିଯୋଗ ଆଧାରରେ ଦିଲ୍ଲୀର କନ୍ନଟ ପ୍ଲେସ୍‌ ଥାନାରେ ୨ଟି ଏଫ୍‌ଆଇଆର୍‌ ହୋଇଛି। ଗୋଟିଏ ଏଫ୍‌ଆଇଆର୍‌ ୬ ବୟସ୍କା ରେସଲରଙ୍କ ଅଭିଯୋଗ ଆଧାରରେ ହୋଇଥିବାବେଳେ ଅନ୍ୟଟି ଜଣେ ନାବାଳିକାଙ୍କ ବାପାଙ୍କ ଅଭିଯୋଗକ୍ରମେ ହୋଇଛି। ୨୦୧୨ରୁ ୨୦୨୨ ମଧ୍ୟରେ ଭାରତ ଓ ବିଦେଶରେ ବ୍ରିଜ୍‌ଭୂଷଣଙ୍କ ଏହି କୁକାର୍ଯ୍ୟକୁ ନେଇ ଗତ ଏପ୍ରିଲ ୨୧ରେ ଅଭିଯୋଗ ହୋଇଥିବାବେଳେ ୨୮ ତାରିଖରେ ପୋଲିସ ମାମଲା ରୁଜୁ କରିଛି। ଅନ୍ୟପକ୍ଷେ ବ୍ରିଜ୍‌ଭୂଷଣ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

Share