Categories: ଜାତୀୟ

‘କେବେ ବି ଅମିତ ଶାହାଙ୍କୁ ସୁପାରିଶ କରିନାହିଁ’, ଲୋକ ସଭା ନିର୍ବାଚନ ଟିକେଟକୁ ନେଇ ଏମିତି କହିଲେ ବ୍ରିଜ ଭୂଷଣ

ନୁଆଦିଲ୍ଲୀ,୨୧।୫: ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ତଥା ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ବ୍ରିଜ ଭୂଷଣ ଶରଣ ସିଂ କିଛି ଦିନ ହେବ ଚର୍ଚ୍ଚାର କେନ୍ଦ୍ର ପାଲଟି ଯାଇଛନ୍ତି। ଗୋଟିଏ ପଟେ ତାଙ୍କ ଗିରଫ ଦାବି କରି ୨୮ ଦିନ ହେବ ଦିଲ୍ଲୀର ଜନ୍ତର ମନ୍ତରରେ ଧାରଣାରେ ବସିଛନ୍ତି ମହିଳା ରେସଲର, ଅନ୍ୟପଟେ ବ୍ରିଜ ଭୂଷଣ ଏହି ଅଭିଯୋଗକୁ ଖଣ୍ଡନ କରି ଚାଲିଛନ୍ତି। ନିକଟରେ ଡବ୍ଲୁଏଫଆଇ ଅଧ୍ୟକ୍ଷ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ନେଇ ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ।

୨୦୧୪ରେ ଲୋକ ସଭା ନିର୍ବାଚନ ପାଇଁ ଟିକେଟ ପାଇବା ପରେ ସେ କହିଥିଲେ, ୨୦୧୪ ରେ ଆମେ ବାହରାଇଚରେ ଅମିତ ଶାହାଙ୍କୁ କହିଥିଲୁ ଯେ ଆମେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁ ନାହୁଁ। ତା’ପରେ ଅମିତ ଶାହା କହିଥିଲେ ଯେ ଆପଣଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ। ତାଙ୍କ ପୁଅ ଟିକେଟ ପାଇବା ବିଷୟରେ କଥାବାର୍ତ୍ତା ବେଳେ ସେ କହିଥିଲେ, ଆମେ ଆମ ପୁଅ ପ୍ରତୀକଙ୍କ ପାଇଁ ଟିକେଟ ସୁପାରିଶ କରିନାହୁଁ, କିନ୍ତୁ ଅମିତ ଶାହା ପ୍ରତୀକଙ୍କୁ ଟିକେଟ ଦେଇଛନ୍ତି। ଅମିତ ଶାହା ନିଜେ ଗୋଣ୍ଡାରୁ ପ୍ରତୀକ ଏବଂ ବଳରାମପୁରରୁ ପଲଟୁରାମଙ୍କୁ ଟିକେଟ ଦେଇଥିଲେ। ଆମେ ତାଙ୍କୁ କେବେ ସୁପାରିଶ କରି ନ ଥିଲୁ ।

Share